Latest Odisha News

BREAKING NEWS

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି।

ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ ଭାଗ କରି ରାଜନୀତି କରିବାକୁ ଉଦ୍ୟମ କରୁଥିବା ମୋଦି କହିଛନ୍ତି। କଂଗ୍ରେସର କାମ କେବଳ ମୋଦିଙ୍କୁ ଅପମାନ ଦେବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏ ପର୍ଯ୍ୟନ୍ତ ତାଙ୍କୁ କଂଗ୍ରେସର ବରିଷ୍ଠ ନେତାମାନେ ୯୧ ଥର ଗାଳି ଦେଇଛନ୍ତି ବୋଲି ସେ ସଭା ମଞ୍ଚରେ ଲୋକଙ୍କୁ କହିଛନ୍ତି। କଂଗ୍ରେସର ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁ ତାଙ୍କୁ କଂଗ୍ରେସ ଅଧିକ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି।

ଏପରିକି ଦେଶ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଓ ବୀର ସଭରକରଙ୍କୁ କଂଗ୍ରେସ ଗାଳି ଦେଉଥିବା ବେଳେ ମୋଦିଙ୍କୁ ଗାଳି ଦେବା କିଛି ବଡ଼ କଥା ନୁହେଁ ବୋଲି ସେ କହିଛନ୍ତି। ଏପରିକି ତାଙ୍କୁ ଗାଳି ଦେବା ପାଇଁ କଂଗ୍ରେସ ଏକ ଲିଷ୍ଟ ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସର ବଡ଼ ବଡ଼ ନେତାମାନେ ଖାଲି ଏହି ଗାଳି ଦେବା କାମରେ ବ୍ୟସ୍ତ ରହୁଛନ୍ତି।

କଂଗ୍ରେସ ଦଳ ଯଦି ମୋଦିଙ୍କୁ ଗାଳି ଦେବା ବଦଳରେ ଲୋକଙ୍କ ପାଇଁ କାମ କରିଥାନ୍ତା ତାହେଲେ ଦଳକୁ ଆଜି ଏ ଦୁର୍ଦଶା ଭୋଗିବାକୁ ପଡି ନ ଥାନ୍ତା ବୋଲି କହିଛନ୍ତି ମୋଦି। ଗାଳିର ଜବାବ ଲୋକମାନେ ଭୋଟରେ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏପରିକି ଦିଲ୍ଲୀରେ ଆପଣଙ୍କ ପୁଅ ବସିଛି ଆପଣଙ୍କ ସେବା ପାଇଁ ବୋଲି ସଭାରେ କହିଛନ୍ତି ମୋଦି। ଅନ୍ୟପକ୍ଷରେ ବିଜେପି ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ କରିଛି ବୋଲି କହିବା ସହ ସେ ସମ୍ପର୍କରେ ତଥ୍ୟ ରଖିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଭଳି ବହୁ ଲୋକଙ୍କୁ ଘର ଦିଆଯାଇଛି କିନ୍ତୁ କଂଗ୍ରେସ ବେଳେ ଏହା ଧିମେଇ ଯାଇଥିବା କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି। ଏଥିସହିତ କଂଗ୍ରେସ ସହିତ ଜେଡିଏସକୁ ମଧ୍ୟ ଭୋଟ ନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।

କର୍ଣ୍ଣାଟକରେ ଏକ ସ୍ଥିର ସରକାର ଆଣିବାକୁ ବିଜେପିକୁ ପୂର୍ଣ୍ଣ ବହୁମାତରେ ଜିତାଇବାକୁ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଭଳି ଢଙ୍ଗରେ ନିଜର ପ୍ରଥମ ଦିନର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ।

ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ପ୍ରଚାର ପାଇଁ ଆସିଥିବା ମୋଦି ଦୁଇଟି ରୋଡ୍‌ ସୋ ଓ ୬ଟି ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୩୦ ତାରିଖରେ ରାହୁଲଙ୍କ ପାଇଁ ଚର୍ଚ୍ଚାରେ ଥିବା କୋଲାରରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି।

ଗୋଟିଏ ପଟେ ରାହୁଲଙ୍କ ସମେତ କଂଗ୍ରେସ ନେତାମାନେ ସଭା ଓ ରୋଡ଼ ଶୋ କରି ମୋଦିଙ୍କୁ ଟାର୍ଗେଟ କରି ଆସୁଥିବା ବେଳେ ମୋଦି ପ୍ରଚାରର ଆରମ୍ଭରୁ ହିଁ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ତେଣୁ ପ୍ରଚାରରେ ମୋଦୀଙ୍କ ଏଣ୍ଟ୍ରି ପରେ କର୍ଣ୍ଣାଟକ ରାଜନୀତି କେଉଁ ଆଡ଼କୁ ଗତି କରୁଛି ତା ଉପରେ ନଜର। ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ଯାୟକ୍ରମେ ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକରେ ବହୁ ରୋଡ ଶୋ କରିବା ସହ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.