Latest Odisha News

BREAKING NEWS

ମୋଦିଙ୍କୁ ହଟାଇବାକୁ ନୀତିଶଙ୍କ ନକ୍ସା!

ଭୁବନେଶ୍ୱର: ଖୁବ ଶୀଘ୍ର ରୂପ ନେବ ବିରୋଧୀ ମେଣ୍ଟ। କଂଗ୍ରେସ ସମେତ ଦେଶର ଅନ୍ୟ ପ୍ରମୁଖ ବିରୋଧୀମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ।

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀଙ୍କ ଏହି ମହା ବୈଠକ ବସିବ। ତାହା ପୁଣି ବିହାରର ପାଟନାରେ। ଏଭଳି କିଛି ବଡ଼ ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଛି।

ଯୋଜନାର ମଙ୍ଗ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଧରିଥିବା ବେଳେ ମିଶନ ଅପୋଜିସନ ଯୋଜନା ସଫଳ କରିବା ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ମିଶି ଏଭଳି ବଡ଼ ଯୋଜନାକୁ ବାସ୍ତବ ରୂପ ଦେବାକୁ ଲାଗିଛନ୍ତି।

ଉଭୟ ନେତା ବିରୋଧୀ ଦଳର ନେତାମାନଙ୍କୁ ଭେଟିବା ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ବାମ ଦଳର ପ୍ରମୁଖ ନେତାଙ୍କୁ ନୀତିଶ ଭେଟି ଆଲୋଚନା କରିସାରିଛନ୍ତି।

ତେଣୁ ମେ ମାସରେ ସବୁ ବିରୋଧୀଙ୍କ ମିଳିତ ବୈଠକ ହୋଇପାରେ ବୋଲି କୁହାଯାଉଛି। ଯାହାକି ବିହାରର ପାଟନାରେ ହେବ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି, ବିଆରଏସ ଆଦି ଦଳର ପ୍ରମୁଖ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବିହାରରୁ ବହୁ ପ୍ରମୁଖ ରାଜନୈତିକ ଆନ୍ଦୋଳନ ରୂପ ନେଇଥିବାରୁ ଏହି ମାଟିରୁ ବିରୋଧୀଙ୍କୁ ଏକ କରି ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ବଡ଼ ଯୋଜନା ହେଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିରୋଧୀ ସବୁ ମନୋମାଳିନ୍ୟ ଭୁଲି ଏକାଠି ହେବା ସହ ଯୋଜନାବଦ୍ଧ ଲଢ଼େଇକୁ ରୂପ ଦେବାକୁ ଚାହୁଁଛନ୍ତି।

ଏପରିକି ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ବିରୋଧୀ ଏକତା ଦୃଢ଼ ହେଉଥିବା କୁହାଯାଉଛି। ଅଣବିଜେପି ଶାସିତ ରାଜ୍ୟ ଓ ନେତାଙ୍କ ଉପରେ ସିବିଆଇ ଇଡି ରେଡ଼ ବିରୋଧୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି।

ତେଣୁ ଏଭଳି ସ୍ଥିତିରେ ବିରୋଧୀ ଏକତା କିଭଳି ରୁପ ନେବ ତାକୁ ନେଇ ରାଜନୈତିକ ଆଲୋଚନା ଜୋର ଧରିଛି। ସେପଟେ କିନ୍ତୁ ଏହା ପୂର୍ବରୁ ଭାରତ ରାଷ୍ଟ୍ର ସମିତି ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ପ୍ରମୁଖ ବିରୋଧୀଙ୍କ ମଙ୍ଗ ଧରିବାକୁ ଉଦ୍ୟମ କରିଛନ୍ତି। ତେଣୁ ଏବେ ନୀତିଶଙ୍କ ଯୋଜନା କେତେ ସଫଳ ହେବ ଓ ବିରୋଧୀଙ୍କ ନେତା କିଏ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.