Latest Odisha News

ମୋଦି ନା ନବୀନ…କାହା ସହ ଜନମତ ?

ଭୁବନେଶ୍ବର : ନବୀନଙ୍କ ନାଁ ନେଇ ସିଧା ଟାର୍ଗେଟ୍ । ଚବିଶ ମଇଦାନରେ ବିଜେଡି ସହ ମୋଦିଙ୍କ ଟାର୍ଗେଟରେ ନବୀନ । ପ୍ରଥମ ଥର ବିଜେଡି ସରକାରର ଏକ୍ସପାରୀ ଡେଟ୍ କହିଥିଲେ ମୋଦି । ଏଥର ରତ୍ନଭଣ୍ଡାରରୁ ସ୍ବାସ୍ଥ୍ୟ ବୀମା, ସିଧାସଳଖ ନବୀନଙ୍କୁ ନିଶାନା କରିଛନ୍ତି ମୋଦି। କହିଛନ୍ତି, ଓଡିଶାର ଜିଲ୍ଲା ନାଁ କହିପାରିବେନି ନବୀନ । ମୋଦିଙ୍କ ଗ୍ୟାରେଣ୍ଟିରେ ବଦଳିଯିବ କି ରାଜ୍ୟର ନିର୍ବାଚନୀ ମାହୋଲ ? ନା ନବୀନଙ୍କୁ ପୁଣି ଭରସା କରିବେ ଜନତା ? ଜନତାଙ୍କ ଉପରେ ପଡିବ କାହାର ପ୍ରଭାବ, ମୋଦି କ୍ରେଜ୍ ନା ନବୀନ ମ୍ୟାଜିକ୍ ?

ଆସିଲେ ବର୍ଷିଲେ ଛାଇଗଲେ !
ଗତଥର ବିଜେପି ସରକାରର ଶପଥ ତାରିଖ କହିଥିଲେ, ଏଥର ମାହୋଲ ବନାଇଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ଶୁକ୍ରବାର ରାଜଧାନୀରେ ରୋଡ୍ ଶୋ କଲେ, ତ ଶନିବାର ଜନସଭାରେ ବର୍ଷିଲେ । ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସାଙ୍ଗରେ ନେଇ ରୋଡ ଶୋ କଲେ ମୋଦି । ରୋଡ୍ ଶୋରେ ଓଡିଶା କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଲା। ଏଥିସହ ନିର୍ବାଚନୀ ମାହୋଲରେ ଓଡିଆ ଅସ୍ମିତା ନେଇ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର ଆଭିମୁଖ୍ୟ ଯେ ଖାଣ୍ଟି ଓଡିଆ, ସେକଥା ଦର୍ଶାଇଛନ୍ତି ।

ନବୀନଙ୍କୁ ସିଧା ନିଶାନା
ବିଜେଡି କି ରାଜ୍ୟ ସରକାରଙ୍କ ନାଁ ଧରି ପରୋକ୍ଷରେ ନୁହେଁ ଏଥର ନବୀନଙ୍କ ନାଁ ଧରି ସିଧା ନିଶାନା କରିଛନ୍ତି ମୋଦି । କାଗଜ ନଦେଖି ଓଡିଶାର ୩୦ଟି ଜିଲ୍ଲା ଓ ସେଗୁଡିକର ମୁଖ୍ୟାଳୟର ନାଁ ନବୀନ କହିପାରିବେ ନାହିଁ । ସେ କେମିତି ରାଜ୍ୟବାସୀଙ୍କୁ ଦୁଃଖ ବୁଝିବେ ବୋଲି ମୋଦି କହିଛନ୍ତି । ଗୁଜରାଟ ଅପେକ୍ଷା ଓଡିଶାର ୧୦ଗୁଣା ସାମର୍ଥ୍ୟ ରହିଛି, ହେଲେ ଓଡିଶା କାହିଁକି ପଛରେ ରହିଲା ବୋଲି ପଚାରିଛନ୍ତି। ଧାନରୁ ପର୍ଯ୍ୟଟନ, ହଳଦୀ ଚାଷରୁ ଆଦିବାସୀ ଜମି, ଫୁଲବାଣୀ ସଭାରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଛନ୍ତି ମୋଦି। ଓଡିଶା ସରକାର ଆଉଟସୋର୍ସ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି କହି ଟାର୍ଗେଟ୍ କରିଛନ୍ତି । ବିଜେଡି ସରକାରର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ବାଜା ବଜାଇ ବାଣ ଫୁଟାଇ ନବୀନଙ୍କୁ ବିଦା କରିବାକୁ ମୋଦି କହିଛନ୍ତି ।

ଶ୍ରୀମନ୍ଦିରରୁ ଖୋଲିବ ବିଜୟ ଦ୍ବାର !
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବି ବିଜେଡି ସରକାରକୁ କାଠଗଡାକୁ ଟାଣିଛନ୍ତି ମୋଦି । ୪୦ବର୍ଷରୁ ଅଧିକ ସମୟ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ । ଗତ ୬ବର୍ଷ ହେଲା ଚାବି ମିଳୁନି । ଡୁପ୍ଲିକେଟ୍ ଚାବି କାହିଁକି ତିଆରି ହେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି । ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶ୍ରେୟକୁ ଭୋଟରେ ପରିଣତ କରିବାକୁ ବିଜେଡି ଚାହୁଁଥିବା ବେଳେ ରତ୍ନଭଣ୍ଡାର କଥା ଉଠାଇ ଭୋଟ୍ ଅଟକାଇବାକୁ ଚେଷ୍ଟା କରିଛି ବିଜେପି ।

ମୋଦି ଗ୍ୟାରେଣ୍ଟି Vs ନବୀନ ବିକାଶ
ଓଡିଶାକୁ ବିକାଶର ଗ୍ୟାରେଣ୍ଟି ଦେଉଛନ୍ତି ମୋଦି ତ ନବୀନ କରିଥିବା ବିକାଶ କାମ ଗଣାଉଛନ୍ତି । ଜନକଲ୍ୟାଣକାରୀ ଯୋଜନା କଥା କହି ଭୋଟ୍ ମାଗୁଛି ବିଜେଡି ତ ବିଫଳତାର ଆଇନା ଦେଖାଇ ମାଇଲେଜ୍ ନେବାକୁ ଉଦ୍ୟମ କରୁଛି ବିଜେପି । ପ୍ରଚାର ମଇଦାନରେ ମୋଦି ସିଧା ଟାର୍ଗେଟ୍ କରିଛନ୍ତି, ତ ନବୀନ ବି କାଉଣ୍ଟର ଆଟାକ୍ କରିଛନ୍ତି। ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ବଡ ଗୋଟି ଚଳାଇଥିବା ବେଳେ, ମୋଦି ସମାନ କଥା ଉଠାଇ ତାଉପରେ ମୋହର ମାରିଛନ୍ତି । ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ ଜନମତକୁ କିଏ କେତେ ପ୍ରଭାବିତ କରିବେ? ଓଡିଶାରେ କେତେ କାମ କରିବ ମୋଦି ମ୍ୟାଜିକ୍? ନା ନବୀନଙ୍କ ବିକାଶକୁ ଭରସା କରିବେ ଜନତା?

Comments are closed.