Latest Odisha News

BREAKING NEWS

ବ୍ୟାଙ୍କକରେ ମହମ୍ମଦ ୟୁନୁସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବୈଠକ

ବ୍ୟାଙ୍କକ: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ପରସ୍ପର ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ୯ ମାସ ପରେ ଉଭୟଙ୍କ ମଧ୍ୟରେ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁନୁସ୍ BIMSTEC ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ବ୍ୟାଙ୍କକରେ ପହଞ୍ଚିଛନ୍ତି । ଉଭୟ ବିମଷ୍ଟେକର ସାଇଡଲାଇନରେ ସାକ୍ଷାତ କରିଥିଲେ ।

ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ସେଭେନ ସିଷ୍ଟର, ଚୀନ୍‌ ସହ ବାଂଲାଦେଶର ବନ୍ଧୁତା ଉପରେ ଆଲୋଚନା ହୋଇଥିଲା । ଥାଇଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁନୁସଙ୍କ ସହ ସାକ୍ଷାତ ସମ୍ପର୍କରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏକ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ, ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି। ସେ ୟୁନୁସଙ୍କୁ କହିଥିଲେ, ଭାରତ ବାଂଲାଦେଶ ସହିତ ଏକ ସକାରାତ୍ମକ ଏବଂ ଗଠନମୂଳକ ସମ୍ପର୍କ ଗଠନ କରିବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ, ପରିବେଶକୁ ବିଗାଡ଼ିପାରୁଥିବା ଯେକୌଣସି ବୟାନବାଜି ଏଡାଇ ଦିଆଯିବା ଉଚିତ ।

ସୀମା ସୁରକ୍ଷା ବଜାୟ ରଖିବା ପାଇଁ ସୀମାରେ ଆଇନର କଠୋର ପ୍ରୟୋଗ ଏବଂ ଅବୈଧ ସୀମା ପାର ରୋକିବା ଅତ୍ୟନ୍ତ ଜରୁରୀ। ପ୍ରଧାନମନ୍ତ୍ରୀ ବାଂଲାଦେଶରେ ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଭାରତର ଚିନ୍ତାକୁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ।

ବ୍ୟାଙ୍କକରେ ଚାଲିଥିବା ଷଷ୍ଠତମ BIMSTEC ସମ୍ମିଳନୀରେ ଦୁଇ ଦେଶର ବୈଠକକୁ ଗୁରୁତ୍ବପୂର୍ଣ୍ଣ ଭାବେ ଦେଖାଯାଉଛି, କାରଣ ଭାରତରେ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ଆକ୍ରମଣ, ହସିନା ଭାରତରେ ରହିବା ଯୋଗୁଁ ଦିଲ୍ଲୀ-ଢାକା ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ତିକ୍ତତା ଲାଗିରହିଥିଲା । ଜାତୀୟ ଗଣମାଧ୍ୟମ ଅନୁସାରେ, ମହମ୍ମଦ ୟୁନୁସଙ୍କ ଅନୁରୋଧ ପରେ ମୋଦୀ ବୈଠକ ପାଇଁ ରାଜି ହୋଇଥିଲେ । ଏହା ପୂର୍ବରୁ ୨୦୨୪ ଡିସେମ୍ବରରେ ୟୁନୁସ ଦିଲ୍ଲୀ ଆସିବାକୁ ଅନୁରୋଧ କରିଥିଲେ । କିନ୍ତୁ ଭାରତ ତରଫରୁ ସେପରି କିଛି ସକାରାତ୍ମକ ପ୍ରତିକ୍ରିୟା ଆସିନଥିଲା ।

Comments are closed.