Latest Odisha News

BREAKING NEWS

MMDR ସଂଶୋଧନ ବିଲ୍‌-୨୦୨୬କୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ମୋକିମ୍‌;ଓଡ଼ିଶାର ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇବେ…

ଭୁବନେଶ୍ୱର: ସଂସଦରେ ପାରିତ ହୋଇଥିବା MMDR (ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬ ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ ଏକ ସିଧାସଳଖ ଆକ୍ରମଣ ଏବଂ ରାଜ୍ୟର ଗରିବ, ଖଣି ପ୍ରଭାବିତ ଆଞ୍ଚଳ ସହ ବିଶେଷ କରି ଜନଜାତିଙ୍କ ପ୍ରତି ଏକ ଐତିହାସିକ ବିଶ୍ୱାସଘାତକତା। ଏପରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ମହମ୍ମଦ ମୋକିମ୍‌। ଏଥିସହ ରାଜ୍ୟର ଆର୍ଥିକ ହକ୍‌ ଓ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଗାମୀ ସେପ୍ଟେମ୍ବର ୮ ତାରିଖରେ ଚଣ୍ଡିଖୋଲରେ ଦଳ ପକ୍ଷରୁ ବ୍ୟାପକ ଆର୍ଥିକ ଅବରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସୂଚନାଥାଉକି, ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମହମ୍ମଦ ମୋକିମ୍‌ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ୯-ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ରାଜ୍ୟଗୁଡ଼ିକୁ ଖଣିଜ ସମ୍ପଦ ଉପରେ ଟିକସ ଲଗାଇବାର ସାମ୍ବିଧାନିକ ଅଧିକାର ଦେଇଥିଲେ। ଏହି ରାୟ ଆଧାରରେ ORISED ଆକ୍ଟ, ୨୦୦୪ ବଳରେ ଓଡ଼ିଶା ସରକାର କର୍ପୋରେଟ୍ ଖଣି ମାଲିକମାନଙ୍କଠାରୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବକେୟା ରାଜସ୍ୱ ଆଦାୟ କରିଥାନ୍ତେ। ଏହି ଅର୍ଥକୁ କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ଏବଂ ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସାମାଜିକ ସୁରକ୍ଷା ପାଇଁ ବିନିଯୋଗ କରାଯାଇପାରିଥାନ୍ତା। ମାତ୍ର କେନ୍ଦ୍ର ସରକାର ବଡ଼ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏହି ନୂତନ ସଂଶୋଧନ ଆଣିଛନ୍ତି।
ସଂଶୋଧିତ ଆଇନର ଧାରା ୯ଘ (Section 9D) ସମ୍ପର୍କରେ ଆଲୋକପାତ କରି ମୋକିମ୍‌ କହିଛନ୍ତି ଯେ, ଏହି ନୂଆ ଧାରା ଓଡ଼ିଶା ସରକାରଙ୍କୁ ତାଙ୍କର ଅତୀତର ବକେୟା ଏବଂ ଭବିଷ୍ୟତର ଖଣି ଟିକସ ଆଦାୟ କରିବାରୁ ସମ୍ପୂର୍ଣ୍ଣ ବାରଣ କରୁଛି। ଧାରା ୯D ପ୍ରୟୋଗ କରି କେନ୍ଦ୍ର ସରକାର ଅତୀତର ସମସ୍ତ ଅନାଦାୟ ଟିକସକୁ ଆଇନଗତ ଭାବେ ରଦ୍ଦ ଓ ଅକାମୀ କରିଦେଇଛନ୍ତି। ଏହାଦ୍ୱାରା ଓଡ଼ିଶାର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ବକେୟା ଦାବି ରାତାରାତି ଶୂନ୍ୟ ହୋଇଯାଇଛି। ଏହା ବ୍ୟତୀତ, ଭବିଷ୍ୟତରେ ମଧ୍ୟ ରାଜ୍ୟ ସରକାରମାନେ ଲୁହାପଥର କିମ୍ବା କୋଇଲା ଉପରେ ସ୍ୱାଧୀନ ଭାବେ କୌଣସି ନୂତନ ସେସ୍‌ ଲଗାଇପାରିବେ ନାହିଁ, ଯାହା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ପ୍ରାୟ ₹୧୨,୦୦୦ ରୁ ₹୧୫,୦୦୦ କୋଟି ଟଙ୍କାର ଭବିଷ୍ୟତ ରାଜସ୍ୱ ହରାଇବ।

ଧାରା ୯D ଅନୁଯାୟୀ ଏହି ବକେୟା ଆଦାୟ ପାଇଁ ରାଜ୍ୟ ସରକାର କୌଣସି କୋର୍ଟ, ଟ୍ରିବ୍ୟୁନାଲ୍ କିମ୍ବା ଅଥରିଟିଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରିବେ ନାହିଁ। ଏହି ଆଇନ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ବାଇପାସ୍ କରିବା ସହ ଖଣି କମ୍ପାନୀଗୁଡ଼ିକୁ ଆଇନଗତ ସୁରକ୍ଷା କବଚ ପ୍ରଦାନ କରିଛି। ଖଣି ଅଞ୍ଚଳର ଲୋକେ ପ୍ରଦୂଷଣ, ଧୂଳି, ଧୂଆଁ ଓ ବିସ୍ଥାପନର ଶିକାର ହେଉଥିବା ବେଳେ ଲାଭସବୁ ପୁଞ୍ଜିପତିମାନେ ନେଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଓଡ଼ିଶା ସ୍ୱାର୍ଥବିରୋଧୀ ଏହି ଆଇନ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟର ୨୦ ଜଣ ବିଜେପି ସାଂସଦଙ୍କ ନୀରବତାକୁ ନେଇ ସେ କଡ଼ା ସମାଲୋଚନା କରିଛନ୍ତି । ଶାସକ ଦଳ ଓଡ଼ିଶାର ଆଦିବାସୀଙ୍କ କଲ୍ୟାଣ ଅପେକ୍ଷା କର୍ପୋରେଟ୍ ସ୍ୱାର୍ଥକୁ ବେଶୀ ଗୁରୁତ୍ୱ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସହିତ ଆଲୋଚନା କରି ଏହି ଆଦିବାସୀ-ବିରୋଧୀ ଓ ଓଡ଼ିଶା-ବିରୋଧୀ ଆଇନକୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ନନିଅନ୍ତି, ତେବେ ଓଡ଼ିଶା ଜନତା କଂଗ୍ରେସ ଆଗାମୀ ସେପ୍ଟେମ୍ବର ୮ ତାରିଖରେ ଚଣ୍ଡିଖୋଲଠାରେ ଆର୍ଥିକ ଅବରୋଧ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ମୋକିମ୍‌ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.