Latest Odisha News

BREAKING NEWS

୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି, ଅର୍ଥାତ୍ ମେ ୨୪ରେ କେରଳ ଛୁଇଁଛି । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଉଁଥିବା ବେଳେ ଏଥର ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଯାହା ଗତ ୧୬ ବର୍ଷ ପରେ ସଅଳ କେରଳ ଛୁଇଁଛି । ତେବେ ଶେଷ ଥର ପାଇଁ ୨୦୦୯ ମସିହା ମେ’ ୨୩ ତାରିଖରେ ଶୀଘ୍ର କେରଳ ଛୁଁଇଥିଲା ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ, ଆଇଏମଡି ।

ରାଜ୍ୟରେ ମୌସୁମୀ ଆଗମନ ପାଇଁ ସମସ୍ତ ପରିସ୍ଥିତି ଅନୁକୂଳ ହୋଇଥିବା ବେଳେ ଦେଶରେ ମୌସୁମୀ ବର୍ଷାର ଶୀଘ୍ର ଆଗମନ ହୋଇଛି ।  ଆଉ ଏହି ମୌସୁମୀ ପ୍ରଣାଳୀ ସହିତ ଲଘୁଚାପ କ୍ଷେତ୍ର ଯୋଗୁଁ, ଗତ ଦୁଇ ଦିନ ମଧ୍ୟରେ କେରଳର ଅନେକ ସ୍ଥାନ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେଉଛି ।

ତେବେ ଶେଷ ଥର ପାଇଁ ୨୦୦୯ ଏବଂ ୨୦୦୧ ମସିହାରେ କେରଳ ରାଜ୍ୟରେ ଏତେ ଶୀଘ୍ର ମୌସୁମୀ ପହଞ୍ଚିଥିଲା। ସେହି ବର୍ଷ ମେ ୨୩ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ । କେରଳରେ ମୌସୁମୀ ବାୟୁ ଆରମ୍ଭ ହେବାର ସାଧାରଣ ତାରିଖ ହେଉଛି ଜୁନ୍ ୧। ପ୍ରଥମ ଥର ପାଇଁ ୧୯୧୮ ମସିହାରେ ମୌସୁମୀ ବାୟୁ ମେ ୧୧ରେ କେରଳରେ ପହଞ୍ଚିଥିଲା । ଅନ୍ୟପକ୍ଷରେ ୧୯୭୨ ମସିହାରେ ସବୁଠୁ ବିଳମ୍ବରେ ଦେଶରେ ମୌସୁମୀର ଆଗମନ ହୋଇଥିଲା । ସେହିବର୍ଷ ପ୍ରାୟ ୧୮ ଜୁନରେ କେରଳ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌଦୁମୀ ବାୟୁ । ସେହିପରି ଗତ ୨୫ ବର୍ଷ ମଧ୍ୟରେ, ସର୍ବାଧିକ ବିଳମ୍ବରେ ୨୦୧୬ରେ ମୌସୁମୀର ଆଗମନ ହୋଇଥିଲା, ସେତେବେଳେ ମୌସୁମୀ ଜୁନ୍ ୯ରେ କେରଳରେ ପ୍ରବେଶ କରିଥିଲା । ଯଦି ଗତ କିଛି ବର୍ଷର ରେକର୍ଡ ଦେଖିବା, ଦକ୍ଷିଣ ରାଜ୍ୟ ଉପରେ ମୌସୁମୀ ଗତ ବର୍ଷ ମେ ୩୦ରେ ପ୍ରବେଶ କରିଥିଲା, ସେହପରି ୨୦୨୩ରେ ଜୁନ୍ ୮ରେ ,  ୨୦୨୨ରେ ୨୯ ମମେରେ, ୨୦୨୧ରେ ୩ ଜୁନ୍ରେ, ୨୦୨୦ରେ ୧ ଜୁନ୍ରେ, ୨୦୧୯ରେ ୮ ଜୁନ୍ରେ ଏବଂ ୨୦୧୮ରେ ମେ ୨୯ ତାରିଖରେ ମୌସୁମୀର ଆଗମନ ହୋଇଥିଲା ବୋଲି ଦର୍ଶାଇଛି ଆଇଏମଡି ।

ସେପଟେ ମୌସୁମୀ ପ୍ରଭାବରେ ଏବେ ଦେଶ ତଥା ରାଜ୍ୟରେ ବର୍ଷାର ମଧ୍ୟ ଆଗମନ ହୋଇଛି । ପୂର୍ବରୁ କାଳବୈଶାଖୀ ବର୍ଷା ହେଉଥିବା ତାତିରୁ ଟିକିଏ ଆଶ୍ବସ୍ତି ଦେଇଥିବା ବେଳେ ଏବେ ମୌସୁମୀର ସଅଳ ଆଗମନ ଚାଷୀଙ୍କ ମନରେ ଏବର୍ଷ ଭଲ ନେଇ ନୂଆ ଆଶା ସଂଚାର କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ପ୍ରଭାବରେ ଦକ୍ଷିଣ ରାଜ୍ୟ କେରଳ, ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ସହିତ କୋଙ୍କଣ ଏବଂ ଗୋଆର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ ।  କେରଳ ଏବଂ ଉପକୂଳ କର୍ଣ୍ଣାଟକରେ ମେ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୪୦-୫୦ କିଲୋମିଟର ଘଣ୍ଟା ବେଗରେ ପ୍ରବଳ ପବନ ମଧ୍ୟ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିକ୍ଷିପ୍ତ ବର୍ଷା ଏବଂ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏଥିସହିତ ଝାଡ଼ଖଣ୍ଡରେ ପ୍ରବଳ ପବନ ଏବଂ ବ୍ୟାପକ ବର୍ଷା ସହିତ ଝଡ଼ବର୍ଷା ହୋଇପାରେ।

ପାଣିପାଗ ବିଭାଗ ଅନୁଯାୟୀ, ମେ ୨୯ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ୨୪-୨୬ ମଇ ମଧ୍ୟରେ ପଶ୍ଚିମବଙ୍ଗ, ସିକିମ, ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ଼, ଓଡ଼ିଶା ଏବଂ ବିହାରରେ ଘଡ଼ଘଡ଼ି ଏବଂ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ଝଡ଼ ପବନ ସହିତ ବ୍ୟାପକ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି।

ଏଥିସହିତ ବିଶେଷ କରି ଓଡିଶାର ବିଭିନ୍ନ ସ୍ଥାନରେ ୨୪, ୨୭, ୨୯ ମେରେ ପ୍ରବଳ ବର୍ଷା ନେଇ ଆଇଏମଡି ଆକଳନ କରିଥିବା ବେଳେ  ଏବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶା ଛୁଇଁଥାଏ । ତେଣୁ ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗୁଆ କେରଳ ଛୁଇଁବା ପରେ ଓଡ଼ିଶାରେ ବି ଆଗୁଆ ମୌସୁମୀ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

Comments are closed.