Latest Odisha News

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୧ ଯାଏ ଚାଲିବ । ଏନେଇ ଏକ ସୂତ୍ରରୁ ଜଣାପଡିଛି । ଚଳିତ ଅଧିବେଶନରେ ସଂସଦର ଉଭୟ ଗୃହ ବିନା ଅଫ୍ ଡେ’ରେ ଚାଲିବ । ଅର୍ଥାତ୍ ଶନିବାର ଓ ରବିବାର ଛୁଟି ଦିନରେ ମଧ୍ୟ ଗୃହ କାର୍ଯ୍ୟ ଚାଲୁ ରହିବ ।

ସୂଚନା ଅନୁସାରେ ପ୍ରତିଦିନ ୪ ଘଂଟା ଲେଖାଏଁ ଗୃହ କାର୍ଯ୍ୟ ଚାଲିବ । ସେହିପରି ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟକୁ ପରିଚାଳନା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ସକାଳେ ଓ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟହ୍ନରେ ବସିବ । ଲୋକସଭା ଓ ରାଜ୍ୟସଭାରେ ସାଂସଦଙ୍କ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ବର୍ତ୍ତମାନର ଆସନ ସହିତ ଗ୍ୟାଲେରୀରେ ମଧ୍ୟ ସାଂସଦଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯିବ।

ପ୍ରଥମ ଥର ଲୋକସଭା ଓ ରାଜ୍ୟସଭାର ଗୃହ କାର‌୍ୟ୍ୟ ଅଲଗା ଅଲଗା ସମୟରେ ହେବ। ସାମାଜିକ ଦୂରତା ସୁନିଶ୍ଚିତ କରିବା ପାଇଁ ଦୁଇ ଗୃହର ଚାମ୍ବର ଓ ଗ୍ୟାଲେରୀର ମଧ୍ୟ ଉପଯୋଗ କରାଯିବ। ପ୍ରଥମ ଥର ଗୃହରେ ବଡ ଡିସପ୍ଲେ ସ୍କ୍ରିନ ଲଗାଯିବ। ଚାମ୍ବରଗୁଡିକରେ ୮୫ ଇଂଚର ୪ଟି ଡିସ୍‌ପ୍ଲେ ସ୍କ୍ରିନ୍ ଲଗାଯିବ । ସେହିପରି ୪ଟି ଗ୍ୟାଲେରୀରେ ୬ଟି ୪୦ ଇଂଚର ସ୍କ୍ରିନ୍ ଓ ଅଡିଓ ସିଷ୍ଟମ ଲାଗିବ । ଗ୍ୟାଲେରୀରେ ମଧ୍ୟ ସାଂସଦ ଗୃହ କାର‌୍ୟ୍ୟରେ ଭାଗ ନେଇ ପାରିବେ। ଗ୍ୟାଲେରୀ-ଚାମ୍ବରରେ ସାନିଟାଇଜେସନ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.