Latest Odisha News

BREAKING NEWS

କୋଭିଡ୍ ପରେ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତ କରିଛନ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ପାଇଁ ଭାରତ ନୁହେଁ, ବିଦେଶକୁ ଅଧିକ ପସନ୍ଦ କରୁଛନ୍ତି ବିଦ୍ୟାର୍ଥୀ। କାରଣ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଦେଶ ଛାଡ଼ି ବିଦେଶକୁ ପଳାଉଛନ୍ତି। କରୋନା ପରେ ଦେଶର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ବିଦେଶ ଗସ୍ତ କରିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।  ଶୁକ୍ରବାର ସଂସଦରେ ଏସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ବୈଦେଶିକ ମନ୍ତ୍ରାଳୟର ଅଧିନରେ ଥିବା ପ୍ରବାସୀ ବ୍ୟୁରୋର ଏକ ରିପୋର୍ଟ ଦେଇଛନ୍ତି କେନ୍ଦ୍ର ସରକାର।

ଏହି ରିପୋର୍ଟ ଅନୁସାରେ,  କୋଭିଡ୍ ପୂର୍ବରୁ ୨୦୧୭ରେ ୪.୫୪ ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇଥିଲେ। ହେଲେ ୨୦୨୨ରେ ଏହି ସଂଖ୍ୟା ବଢ଼ି ୭.୫୦ ଲକ୍ଷରେ ପହଞ୍ଚିଛି। ଏତେ ସଂଖ୍ୟକ ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଗସ୍ତ କରିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ବର୍ତ୍ତମାନର ସୁଧା ପାଖାପାଖି ୧.୨ ମିଲିୟନ ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନ ବିଷୟ ଉପରେ ବିଦେଶରେ ରହି ପାଠ ପଢ଼ୁଛନ୍ତି। ତେବେ କୋଭିଡ୍ ଯୋଗୁ ଏହି ସଂଖ୍ୟା ହ୍ରାସ ହୋଇଥିଲା। ୨୦୨୦ରେ ୨,୫୯,୬୫୫ ବିଦ୍ୟାର୍ଥୀ ବିଦେଶରେ ରହି ପାଠ ପଢୁଥିଲେ ବୋଲି ସରକାର କହିଛନ୍ତି।

ତେବେ ଡାକ୍ତରୀପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଅନେକ ସମୟରେ କଥା ଉଠୁଥିବା ବେଳେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ମେଡିକାଲ ପାଠ ପଢ଼ୁଛନ୍ତି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ନାହାନ୍ତି ସରକାର। ବର୍ତ୍ତମାନ ଯୁଦ୍ଧ ଚାଲିଥିବାରୁ ୟୁକ୍ରେନ୍‌ରେ ଡାକ୍ତରୀପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁକ୍ରେନ୍‌ ସରକାର ଆକାଡେମୀ ମୋବିଲିଟି ପ୍ରୋଗାମ(ଏଏମ୍‌ପି) ମାଧ୍ୟମରେ ପାଠ ପଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ଭାରତର କୌଣସି ଆପତ୍ତି ନାହିଁ ବୋଲି ଭାରତୀୟ ନ୍ୟାସ୍‌ନାଲ ମେଡିକାଲ କମିଶନ(NMC)ଏକ ନୋଟିସ୍ ଜାରି କରି କହିଛି।

ତେବେ ଋଷ ସହ ଯୁଦ୍ଧ ଲାଗି ରହିଥିବାରୁ ଅସ୍ଥାୟୀ ଭାବେ ଏହି ୟୁନିଭର୍ସିଟି ସ୍ଥାନାନ୍ତରଣ ସେବା ଏଏମ୍‌ପି ଆରମ୍ଭ କରିଥିବା ୟୁକ୍ରେନ୍ କହିଛି। ଏଥିରେ ପାଖାପାଖି ୧୭୦ ଭାରତୀୟ ଛାତ୍ରଛାତ୍ରୀ ନିଜ ନାଁ ପଞ୍ଜୀକୃତ କରିଛନ୍ତି ବୋଲି ଭାରତ ସରକାର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁସାରେ, ମୋଟ ୩,୯୬୪ ଡାକ୍ତରୀପାଠ ପଢ଼ିଥିବା ଭାରତୀୟ ଛାତ୍ର ଏହି ଆକାଡେମିକ ଟ୍ରାନ୍ସଫର ପ୍ରୋଗ୍ରାମ୍‌ରେ ଆଡ୍‌ମିଶନ ନେଇଛନ୍ତି।

 

Leave A Reply

Your email address will not be published.