ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ରାଜ୍ୟରେ ବ୍ୟାପକ ଭାବେ ପାଳନ ହେବ ଜାତୀୟ କୃମିନାଶକ ଦିବସ । ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଭଲ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ହୋଇଛି ।
ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, କେନ୍ଦ୍ର ସରକାର ଏବଂ ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନଓ୍ବାନି କେନ୍ଦ୍ର, ପ୍ଲେ ସ୍କୁଲ, ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନରେ କୃମିନାଶକ ଦିବସ ପାଳନ କରାଯିବ ।
ସେହି ଦିନ ୧ରୁ ୧୯ ବର୍ଷ ବୟସର ବାଳକ ବାଳିକା ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।
ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କଠାରୁ ଔଷଧ ଖାଇବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ।
ଏଥିସହ ସେ କହିଛନ୍ତି, ସେହି ଦିନ ତଥା ଚଳିତ ମାସରେ ସରକାରୀ ଟିକାକରଣ କେନ୍ଦ୍ର ଓ ସ୍ବତନ୍ତ୍ର ଭିଚଏନଡି ପ୍ରୋଗ୍ରାମରେ ୯ ମାସରୁ ୬୦ ମାସ ବୟସର ସମସ୍ତ ପିଲାଙ୍କୁ ବୟସ ମୁତାବକ ଉପଯୁକ୍ତ ମାତ୍ରାରେ ‘ଭିଟାମିନ ଏ’ ଦ୍ରବଣ ମଧ୍ୟ ଦିଆଯିବ । ଯେଉଁମାନେ ୧୦ ତାରିଖରେ ଔଷଧ ଖାଇପାରି ନ ଥିବେ ସେମାନଙ୍କୁ ୧୭ ତାରିଖରେ ପ୍ରଦାନ କରାଯିବ ।
Comments are closed.