ଦୁବାଇ: ସାଉଦି ଆରବରେ ଚଳିତ ବର୍ଷ ୧୦୦ରୁ ଅଧିକ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ସାଉଦି ପ୍ରେସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଶନିବାର ଦିନ ଦକ୍ଷିଣ-ପଶ୍ଚିମରେ ଥିବା ନାଜରାନରେ ଜଣେ ୟେମେନ ନାଗରିକଙ୍କୁ ଡ୍ରଗ୍ସ କାରବାରରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ଜାଣନ୍ତୁ ଏହା ମଧ୍ୟରେ ଭାରତର କେତେଜଣ ରହିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦୧ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦିଆସରିଲାଣି। ଏହି ସଂଖ୍ୟା ୨୦୨୩ ଏବଂ ୨୦୨୨ର ପ୍ରାୟ ତିନିଗୁଣ ଅଟେ। ଏହା ପୂର୍ବରୁ ସାଉଦି କର୍ତ୍ତୃପକ୍ଷ ପ୍ରତିବର୍ଷ ୩୪ଜଣ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦେଉଥିଲେ।
ବର୍ଲିନ୍ ସ୍ଥିତ ୟୁରୋପୀୟ-ସାଉଦି ମାନବଅଧିକାର ସଂଗଠନର ଆଇନ ନିର୍ଦ୍ଦେଶକ ତାହା ଅଲ-ହାଜି କହିଛନ୍ତି, “ଗୋଟିଏ ବର୍ଷରେ ଏହି ସଂଖ୍ଯା ସର୍ବାଧିକ। କାରଣ ସାଉଦି ଆରବରେ ଏହା ପୂର୍ବରୁ ଗୋଟିଏ ବର୍ଷରେ ୧୦୦ ଜଣ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ।” ତେବେ ଏହାକୁ ନେଇ ସାଉଦି ଆରବ କ୍ରମାଗତ ଭାବେ ସମାଲୋଚନାର ଶିକାର ହେଉଛି।
ଏମନେଷ୍ଟି ଇଣ୍ଟରନ୍ୟାସନାଲ ଅନୁଯାୟୀ ୨୦୨୩ ମସିହାରେ ମସିହାରେ ଚୀନ୍ ଏବଂ ଇରାନ ପରେ ସାଉଦି ଆରବ ବିଶ୍ୱର ତୃତୀୟ ଦେଶ ଯିଏକି ସର୍ବାଧିକ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ସେପ୍ଟେମ୍ବରରେ, ଏଏଫପି ରିପୋର୍ଟ ଅନୁଯାୟୀ ମୃତ୍ୟୁଦଣ୍ଡ ସଂଖ୍ୟାରେ ୨୦୨୨ରେ ୧୯୬ ଏବଂ ୧୯୯୫ରେ ୧୯୨କୁ ଅତିକ୍ରମ କରିଛି। ତେବେ ରବିବାର ପର୍ଯ୍ୟନ୍ତ ଚଳିତ ବର୍ଷ ମୋଟ ୨୭୪ ଜଣଙ୍କୁ ଫାଶୀ ଦିଆଯାଇଛି।
ତେବେ ଫାଶୀ ପାଇଥିବା ବିଦେଶୀମାନଙ୍କ ମଧ୍ଯରୁ ପାକିସ୍ତାନରୁ ୨୧, ୟେମେନରୁ ୨୦, ସିରିଆରୁ ୧୪, ନାଇଜେରିଆରୁ ୧୦, ଇଜିପ୍ଟରୁ ୯ ଜୋର୍ଡାନରୁ ୮ ଏବଂ ଇଥିଓପିଆର ୭ ଜଣ ଅନ୍ତର୍ଭୁକ୍ତ। ସୁଡାନ, ଭାରତ ଏବଂ ଆଫଗାନିସ୍ତାନରୁ ତିନି ଜଣ ଏବଂ ଶ୍ରୀଲଙ୍କା, ଇରିଟ୍ରିଆ ଏବଂ ଫିଲିପାଇନ୍ସରୁ ୧-୧ ଜଣଙ୍କୁ ଫାଶୀ ଦିଆଯାଇଥିଲା।