ବରଗଡ଼:ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ପାଖରୁ ୧୩୧ କେଜି ୩୪୦ ଗ୍ରାମ ଗଞ୍ଜେଇ, ଗୋଟିଏ କାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଏହି ଗଞ୍ଜେଇକୁ ଝାଡ଼ଖଣ୍ଡକୁ ନେଇ ବିକ୍ରି କରିବାର ଯୋଜନା କରିଥିବାର ତଦନ୍ତରୁ ଜଣାପଡିଛି ।
ବରଗଡ଼ ଏସ୍ପି ଓ ଏସ୍ଡିପିଓ ଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ NHରେ ଯାଞ୍ଚ କରାଯାଇଥିଲା।ଯାଞ୍ଚ ବେଳେ ଏକ କଳା ରଙ୍ଗର କ୍ରେଟା କାର କୁ ଅଟକାଇ ତଦନ୍ତ କରାଯାଇଥିବା ବେଳେ କାରରୁ ୧୩୧ କେଜି ୩୪୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା।
ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା ଅନ୍ତର୍ଗତ ତାତିଝାରିଆ ଅଞ୍ଚଳର ମନୋଜ ଦିୱାକର(୨୯) ଏବଂ ବର୍ହି ଥାନା ଅଞ୍ଚଳର ରୌଶନ କୁମାର ସିଂହ (୩୦)।
ତେବେ ଏହି କାରବାରରେ କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବରଗଡ଼ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।