ନବରଙ୍ଗପୁର: ଆଦିବାସୀଙ୍କ ସରଳତା ଓ ନିରୀହତାର ସୁଯୋଗ ନେଇ ଠକେଇ । ଏମାନେ ସମସ୍ତେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ । ଏମାନଙ୍କ ଆକାଉଣ୍ଟକୁ ସରକାର ଟଙ୍କା ବି ପଠାଉଛନ୍ତି । ହେଲେ ୩୦ରୁ ଊର୍ଦ୍ଧ୍ୱ ଚାଷୀ ୩ ବର୍ଷ ହେଲା ଟଙ୍କାଟିଏ ପାଇନାହାଁନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଏକୋରୀ ପଞ୍ଚାୟତର ସଂଖ୍ୟାଧିକ ଚାଷୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
୨୦୧୯ ମସିହା ଯାଏ ଚାଷୀ ଏସବିଆଇ ଆକାଉଣ୍ଟରେ କାଳିଆ ଅର୍ଥ ପାଉଥିଲେ । ଏବେ ୩ ବର୍ଷ ହେବ ସେମାନଙ୍କ ଅଜାଣତରେ ଅନ୍ୟ କେହି ଏକ ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି ।
ତେବେ କିଏ ଏକାଧିକ ଚାଷୀଙ୍କ ଅଜଣାତରେ ଆକାଉଣ୍ଟ ଖୋଲି କାଳିଆ ପୋର୍ଟାଲରେ ପରିବର୍ତ୍ତନ କଲା ? ଆକାଉଣ୍ଟ ଖୋଲିବା ପାଇଁ କେଉଁଠୁ ପାଇଲା ପରିଚୟପତ୍ର ? ଆଦିବାସୀଙ୍କ ସରଳତାର ସୁଯୋଗ ନେଇ କେଉଁ ଦଲାଲ୍ ଏଭଳି କରିଛନ୍ତି ନା ଏଥିରେ ସରକାରୀ ବାବୁଙ୍କ ସମ୍ପୃକ୍ତି ରହିଛି ? ନିରୀହ ଆଦିବାସୀ କିଛି ବୁଝି ପାରୁ ନଥିବା ବେଳେ ଚାଷୀଙ୍କ ନାଁରେ ଆକାଉଣ୍ଟ ଖୋଲି କିଏ ଟଙ୍କା ଉଠାଇଛି ତାର ତଦନ୍ତ ପାଇଁ ଦାବି ହୋଇଛି ।
ଠକାମୀର ଶିକାର ହୋଇଥିବା ଚାଷୀ ଏନେଇ କୋଷାଗୁମୁଡ଼ା ବିଡିଓଙ୍କ ସହ ପୋଲିସରେ ଅଭିଯୋଗ କରିଛନ୍ତି । ୩ ବର୍ଷରେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି । ତେବେ ଚାଷୀଙ୍କୁ ବଡ଼ ଧରଣର ଠକେଇ ପଛରେ କେଉଁ ରାକେଟ୍ କାମ କରୁଛି ? ତୁରନ୍ତ ତଦନ୍ତ କରି ପର୍ଦ୍ଦାଫାସ୍ କରିବାକୁ ଦାବି ହେଉଛି ।
Comments are closed.