ବୁଗୁଡ଼ା : ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ବାରମ୍ବାର ଅଭିଯୋଗ ଆସିବା ସତ୍ତ୍ୱେ ଲୋକଙ୍କ ସମସ୍ୟାକୁ ବେଖାତିର କରୁଛନ୍ତି ସରକାରୀ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଞ୍ଚଳରୁ।
ସୂଚନାନୁସାରେ, ପୂର୍ତ୍ତବିଭାଗ ରାସ୍ତା ବଡ ପଥର ଠାରୁ ମାଣିତରା – ଚିଲିଖମା ଗ୍ରାମ ଉନ୍ନୟନ ବିଭାଗ ରାସ୍ତାକୁ ସଂଯୋଗ ହୋଇଥିବା ରାସ୍ତା ଦେଇ ଚିଲିଖମା, ଶଙ୍କୁରୁ, କାନକୁଟୁରୁ ଓ ଘୋଳପୁର ଗ୍ରାମ ଲୋକମାନେ ବୁଗୁଡାକୁ ଯିବା ଆସିବା କରିଥାନ୍ତି। ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ବ ହେଲା ଏହି ରାସ୍ତା ମରାମତି ହୋଇନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏହି ରାସ୍ତା ବୁଗୁଡା ପାଞ୍ଚାୟତ ସମିତି ଅଧୀନରେ ଥିବା ବେଳେ ବର୍ତ୍ତମାନ ଏହା ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଛି ଏଥି ଯୋଗୁଁ ବ୍ଲକ ପକ୍ଷରୁ ସେହି ରାସ୍ତା ମରାମତି ହୋଇପାରିବ ନାହିଁ ବୋଲି ବୁଗୁଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।
ସେହିପରି ଏନେଇ କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ, ଉକ୍ତ ରାସ୍ତା ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଯାହା ଫଳରେ ସେହି ରାସ୍ତାରେ ଆରଡ଼ି ବିଭାଗ ମରାମତି କରିପାରବ ନାହିଁ।
ରାସ୍ତା ବର୍ତ୍ତମାନ ମରଣ ଯନ୍ତାରେ ପରିଣତ ହୋଇ ପଡ଼ିଥିବା ବେଳେ ଜନସାଧାରଣ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗୋଟିଏ ପଟେ ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବା ବେଳେ ଅନ୍ୟପଟେ ଏହାକୁ ମରାମତି କରିବାକୁ ସତେ ଯେପରି କେହି ଆବଶ୍ୟକତା ମଣୁ ନାହାନ୍ତି। ବାଧ୍ୟ ହୋଇ ସ୍ଥାନୀୟ ଚିଲିଖମା ଗ୍ରାମର ଚାରି ଶହରୁ ଉର୍ଦ୍ଧ୍ବ ଲୋକ ନଭେମ୍ବର ୫ ତାରିଖରେ ରାସ୍ତାକୁ ମରାମତି କରିବା କାମ ନିଜ ହାତକୁ ନେଇଛନ୍ତି।
ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ରାସ୍ତାକୁ ମରାମତି କରିବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।
Comments are closed.