ସୁବର୍ଣ୍ଣପୁର/କଟକ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରା ଛୁଟି ସରିଥିବା ସତ୍ବେ ଏବେବି ଅନେକ ଜିଲ୍ଲାରେ ଖୋଲି ପାରୁନି ସ୍କୁଲ । ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ଵ ଦେଇ ବିଦ୍ୟାଳୟରେ ସକାଳୁଆ ପାଠପଢ଼ା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ । ସୁବର୍ଣ୍ଣପୁରରେ ସମସ୍ତ ସ୍କୁଲ୍, କଲେଜ, ଅଙ୍ଗନୱାଡ଼ି ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଶିକ୍ଷାନୁଷ୍ଠାନ ଗୁଡ଼ିକ ୨୨ ତାରିଖ ସୋମବାର ଠାରୁ ଖୋଲିବ । ୧୦ଟାରୁ ଅପରାହ୍ଣ ୪ଟା ପରିବର୍ତ୍ତେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ପାଠ ପଢା ହେବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।
ଖରା ଛୁଟି ପରେ ଜୁନ୍ ୧୮ ତାରିଖରେ ସାରା ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଧାର୍ଯ୍ୟ କରାଯାଇଥିଲା । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ଜିଲ୍ଲାପାଳ ଜିଲ୍ଲାରେ ଖରା ଛୁଟି ଅବଧି ବଢ଼ାଇଥିଲେ । ୧୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଏକ ଚିଠି ଜାରି କରି ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା ।
ସେହିପରି, କଟକରେ ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକର ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ସକାଳ ୬ଟା୩୦ ରୁ ୧୦ଟା୩୦ ପର୍ଯ୍ୟନ୍ତ ପାଠପଢ଼ା ଜାରି ରହିବ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଏଥିସହ ଖରା ଜାରି ରହିଥିବାରୁ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପିଇବା ପାଣି ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଅନ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।
