Latest Odisha News

BREAKING NEWS

ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି

ନୂଆଦିଲ୍ଲୀ : ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ନିୟମ ସମ୍ପର୍କରେ ଅବଗତ କରିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ଏହି ନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବ । ଏହାଦ୍ବାରା ଏସବୁ କେନ୍ଦ୍ରରେ ନାମ ଲେଖାଉଥିବା ଶିକ୍ଷାର୍ଥୀମାନେ ଉଚିତ ପ୍ରଶିକ୍ଷଣ ଓ ଜ୍ଞାନ ପାଇପାରିବେ ।

ଏବେ ଆସନ୍ତୁ ଜାଣିବା ଏହି ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ଗୁଡିକର ପ୍ରମୁଖ ବୈଶିଷ୍ଟ୍ୟ ବିଷୟରେ :

୧ – ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ପ୍ରଶିକ୍ଷଣ ପ୍ରଦାନ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଗୁଡିକରେ ସିମୁଲେଟର ଓ ସ୍ବତନ୍ତ୍ର ଡ୍ରାଇଭିଂ ଟେଷ୍ଟ ଟ୍ରାକ ରହିବ ।

୨ – ମୋଟର ଯାନ ଅଧିନିୟମ ୧୯୮୮ ଅନୁଯାୟୀ ଆବଶ୍ୟକତା ଅନୁସାରେ ଏହି କେନ୍ଦ୍ର ଗୁଡିକରେ ରିଫ୍ରେଶର ପାଠ୍ୟକ୍ରମ ଉପଲବ୍ଧ ହେବ ।

୩ – ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷଣ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀମାନେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ସମୟରେ ଡ୍ରାଇଭିଂ ଟେଷ୍ଟ ଦେବାରୁ ଛାଡ଼ ପାଇବେ । ଏବେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ଦ୍ବାରା ଡ୍ରାଇଭିଂ ଟେଷ୍ଟ କରାଯାଉଛି । ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ରରୁ ତାଲିମ ନେବା ପରେ ସହଜରେ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ ।

୪ – ଏହି କେନ୍ଦ୍ରଗୁଡ଼ିକ ବଜାରର ଆବଶ୍ୟକତାକୁ ଭିତ୍ତିକରି ପ୍ରଶିକ୍ଷଣ ଦେଇପାରିବ ।

ଭାରତୀୟ ସଡ଼କ ପରିବହନ କ୍ଷେତ୍ରରେ ଦକ୍ଷ ଡ୍ରାଇଭରଙ୍କ ଅଭାବ ଏବେ ପ୍ରମୁଖ ସମସ୍ୟା ପାଲଟିଛି । ଏହାସହ ଚାଳକମାନେ ସଡ଼କ ନିୟମ ଜାଣିନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ତେଣୁ ମୋଟର ଯାନ ସଂଶୋଧିତ ଅଧିନିୟମ ୨୦୧୯ର ଧାରା ୮ ଅନୁଯାୟୀ କେନ୍ଦ୍ର ସରକାର ଚାଳକ ପ୍ରଶିକ୍ଷଣ କେନ୍ଦ୍ରର ସ୍ବୀକୃତି ସମ୍ପର୍କରେ ନିୟମ ପ୍ରଣୟନ କରିଛନ୍ତି ।

Leave A Reply

Your email address will not be published.