Latest Odisha News

BREAKING NEWS

ପୁଅକୁ ବଞ୍ଚାଇବା ଲାଗି ରେମଡେସିଭିର ପାଇଁ ଅଫିସରଙ୍କ ପାଦ ଧରିଲେ ମାଆ, ତଥାପି ବଞ୍ଚିଲାନି ଜୀବନ

ନୋଏଡା: କାନ୍ଦି କାନ୍ଦି ପୁଅର ଜୀବନ ବଞ୍ଚାଇବାକୁ ଅଫିସରଙ୍କ ପାଦ ଧରିଲେ ମାଆ । ଆଶା ପୁଅର ଜୀବନ ପାଇଁ ଅଫିସର ଦେବେ ରେମଡେସିଭିର । କରୋନା କାଳରେ ଦେଶର ସ୍ୱାସ୍ଥ୍ୟସେବା କେତେ ମଜଭୁତ୍ ତାହା ପଦାରେ ପଡ଼ିଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାର କହୁଛନ୍ତି । ହେଲେ ବାସ୍ତବତା ଢେର୍ ଭିନ୍ନ । କରୋନାର କରୁଣ କାହାଣୀକୁ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ ଜାଣିଛି କେତେ ଦୁଃଖ ଦେଉଛି ଭୂତାଣୁ । ବ୍ୟବସ୍ଥାର ଫାଇଲରେ ସବୁ ଠିକ୍ ଚାଲିଥିବା ବେଳେ ବ୍ୟବସ୍ଥିତି ନୁହେଁ ସବୁକିଛି ।

ଉତ୍ତରପ୍ରଦେଶର ନୋଏଡାରେ ଏମିତି ଏକ ଦୃଶ୍ୟ ଭାଇରାଲ୍ ହେଉଛି । କରୋନା କାଳରେ ଅଫିସର ଯେ କେତେ ନିର୍ଦ୍ଦୟ ହୋଇପାରନ୍ତି ତାହା ଏ ଦୃଶ୍ୟ ବୟାନ କରୁଛି । ନୋଏଡାର ଖୋଡ଼ା କଲୋନୀରେ ରହୁଥିବା ରିଙ୍କି ଦେବୀଙ୍କ ଏକମାତ୍ର ପୁଅ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ନୋଏଡାର ସେକ୍ଟର-୫୧ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ରିଙ୍କି ଦେବୀଙ୍କୁ ରେମଡେସିଭିର ଇଞ୍ଜେକ୍ସନ୍ ଆଣିବା ଲାଗି ପ୍ରେସକ୍ରିପସନ୍ ଧରାଇ ଦେଇଥିଲେ । ରିଙ୍କି ଦେବୀ ଜାଣିବାକୁ ପାଇଲେ ସେକ୍ଟର-୩୯ ସ୍ଥିତ ସିଏମଓ ଅଫିସରେ ରେମଡେସିଭିର ମିଳିବ ।

ତା’ପରେ ସେଠାକୁ ଯାଇ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ ରିଙ୍କି ଦେବୀ । ପୁଅର ଜୀବନ ବଞ୍ଚାଇବା ଲାଗି ରିଙ୍କି ଦେବୀ ଲାଇନରେ ଥିବାବେଳେ ସିଏମଓ ଡକ୍ଟର ଦୀପକ ଓହରିଙ୍କୁ ଦେଖି ତାଙ୍କ ପାଦ ଧରି ପକାଇଥିଲେ । ମୁଖ୍ୟ ଚିକିତ୍ସାଧିକାରୀ ରିଙ୍କି ଦେବୀଙ୍କ ପ୍ରେସକ୍ରିପସନ ତ ନେଲେ ହେଲେ ରେମଡେସିଭିର ନଥିବା କହି ସାହାଯ୍ୟ ପାଇଁ ମନା କରି ଦେଇଥିଲେ । ଅଭାଗିନୀ ରିଙ୍କି ଦେବୀ ରେମଡେସିଭିର ପାଇଁ ଅପରାହ୍ଣ ୪ଟା ଯାଏ ସେମତି ଅଖିଆ ଅପିଆ ସିଏମଓ ଅଫିସରେ ପଡ଼ି ରହିଥିଲେ । ତଥାପି ଇଞ୍ଜେକ୍ସନ୍ ମିଳିଲାନି । ଶେଷରେ ମହାମାରୀ କରୋନା ରିଙ୍କିଙ୍କ ଏକମାତ୍ର ପୁଅକୁ ତାଙ୍କଠାରୁ ଛଡାଇ ନେଇଛି ।

Leave A Reply

Your email address will not be published.