ନିରୁପମା ପତି
“କୁପୁତ୍ରଃ ଜାୟତେ କ୍ବଚିଦପି କୁମାତା ନ ଭବତି” ଅର୍ଥାତ, ସଂସାରରେ କୁ ପୁତ୍ର ଜନ୍ମ ଲାଭ କରିପାରେ, ମାତ୍ର କେବେହେଲେ କୁମାତା କୈାଣସି ଜନ୍ମ ରେ ଜନ୍ମ ହୁଅନ୍ତି ନାହିଁ। ମାଆ ଆଦର୍ଶ ସ୍ଥାନୀୟା, ଚିର ବନ୍ଦନୀୟା ,ବିଶ୍ବ ଵନ୍ଦନୀୟା। “ନ ମାତୁଃ ପରଦୈଵତଂ”ମାଠାରୁ ଵଡ ଦେଵତା,ଵଡ ଗୁରୁ କେହି ଜୀବନ ରେ ନ ଥାନ୍ତି।
ସେଥିପାଇଁ ବୋଧେ କୁହାଯାଇଛି, ନାସ୍ତିମାତୃସମା ଛାୟା ନାସ୍ତି ମାତୃସମାଗତିଃ ନାସ୍ତିମାତୃ ସମମ୍ ତ୍ରାଣଂ ନାସ୍ତି ମାତୃ ସମା ତ୍ୟାଗଃ ଅର୍ଥାତ ମା’ ପରି ସୁଶୀତଳ ଛାୟା କେହି ଦେଇପାରିବେ ନାହିଁ କି ମା’ ପରି ଦିଗଦର୍ଶକ, ରକ୍ଷାକର୍ତ୍ତା କେହି ହୋଇପାରେ ନାହିଁ। ଜୀବନରେ ମାଆ ପରି ସୁରକ୍ଷା କବଚ, ତ୍ୟାଗର ମନ୍ଦାକିନୀ କେହି ଵୁହାଇ ପାରନ୍ତି ନାହିଁ। ପୁରାଣରେ ବର୍ଣ୍ଣିତ ଅଛି,୧୦ ଜଣ ଉପାଧ୍ୟାୟଙ୍କଠାରୁ ଜଣେ ଆଚାର୍ଯ୍ୟ ବଡ,୧୦୦ ଆଚାର୍ଯ୍ୟଙ୍କଠାରୁ ଜଣେ ପିତା ମହାନ୍,୧୦୦୦ ପିତାଙ୍କ ଠାରୁ ଜଣେ ମାତା ଶକ୍ତି ସ୍ବରୁପିଣୀ, ଗୋୖରବ ମୟୀ ଅଟନ୍ତି।
ମାଆ ଶବ୍ଦ,ଏକ ଅନନ୍ୟ ଉଚାରଣ, ଆବେଗର ଶିହରଣ, ସମସ୍ତ ସନ୍ତାନ ର ପ୍ରାଣ, ପ୍ରାପ୍ତି ଓ ପ୍ରତ୍ୟାଶା ଦିଗଦର୍ଶନ, ଆମର ପୂଜା,ଆମ ହୃଦୟର ପ୍ରାର୍ଥନା, ମଙ୍ଗଳର ମନ୍ତ୍ର, ଆମ ନୟନର ଜ୍ୟୋତି,ଓଷ୍ଠର ହସ,ପ୍ରିତିର ପାର୍ବଣ, ଆନନ୍ଦ ଉଲ୍ଲାସର ବାଞ୍ଛିତ କାରଣ, ଅନ୍ଧାର ରାତ୍ରିରେ ଉଜ୍ଜ୍ବଳମୟ ଦୀପାଳି, କୋଟିଏ ରାତ୍ରୀର ସଦ୍ୟ ପ୍ରସ୍ଫୁଟିତ ଶେଫାଳି, ମମତାର ପ୍ରତିମୂର୍ତ୍ତି, ସ୍ନେହ ଶ୍ରଦ୍ଧା ସୋହାଗର ବୈତରଣୀ, ସାନ୍ନିଧ୍ୟର ସୁଧା ସଞ୍ଜିବନୀ, ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପୀ ଗରୀୟସୀ, ମା” ସ୍ବର୍ଗଠାରୁ ମହାନ୍, ଆକାଶଠାରୁ ବିଶାଳ, ଧରିତ୍ରୀଠାରୁ ସର୍ବଂସହା, ସାଗର ମହାସାଗରଠାରୁ ବ୍ୟାପକ । ସେ ନିଜେ କାନ୍ଦିପାରେ, କନ୍ଦାଇ ପାରେନା,ଦେଇଜାଣେ,ନେଇ ଜାଣେନା,ଜଳି ଜଳି ଆଲୋକ ଦେଖାଇପାରେ, କିନ୍ତୁ ଅନ୍ୟକୁ ଜାଳି ପାରେନା। ଦୁଃଖରୂପକ ଗରଳକୁ ପିଇ ଯାଇ ନୀଳକଣ୍ଠ ସାଜେ, ହେଲେ ଅନ୍ୟ ମାନଙ୍କୁ ଶାନ୍ତି ମୈତ୍ରୀ ପ୍ରୀତି ସ୍ନେହ ଶ୍ରଦ୍ଧା ମମତାର ନିର୍ଝର ବୁହାଇପାରେ। ମାଟିଠାରୁ ଆକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ରେଣୁକା, ମାଆ ଏକ ଭାବାନା, ଏକ ସମ୍ବେଦନଶୀଳ ଆଶ୍ୱାସନାର ଅଳକାନନ୍ଦା। ତ୍ୟାଗର ଅମୋଘ ତରଙ୍ଗ, ମହନୀୟତାର ପ୍ରମୁଖ ଅଙ୍ଗ, ବାତ୍ସଲ୍ୟର ବାରିଧାରା, ଆଶିଷର ଚିତ୍ରାହାର, ଶ୍ରଦ୍ଧା ଭଲପାଇବାର ଅମୃତଧାର, ସହନଶୀଳତାର ସୀମାହୀନ ସାଗର।
ମାତି ଇତିମାତା”, ଅର୍ଥାତ୍ ଯିଏ ମାପି ପାରେ ,ସେ ହେଉଛନ୍ତି ମାଆ।। ମାଆ ହିଁ ମାପିପାରେ, ସନ୍ତାନ ର ପ୍ରତିଟି ବେଦନାକୁ, କଳ୍ପନା କରି ପାରେ,ମନ ତଳର ପ୍ରତ୍ୟେକ ଯନ୍ତ୍ରଣା କୁ, ଅନୁଭବ କରି ଉଠିପଡ଼େ, ସାମ୍ନା କରେ, ପୋଡ଼ାଜଳା ଅବ୍ୟକ୍ତ ବିଦ୍ରୋହକୁ, ସେ ଆମ ଅଫୁରନ୍ତ ଖୁସିର ଖୋରାକ, ଅସରନ୍ତି ଶକ୍ତିର ଝଲକ,ଵାୟୁର ହିଲ୍ଲୋଳ, କବିତାର କଲ୍ଲୋଳ, କାହାଣୀର କାରଖାନା, ଗଳ୍ପର ଆତ୍ମିକ ଉପମା, ଉତ୍ସବର ଉତ୍ସ,ଭାବ ଓ ଆବେଗର ଜୁଆର,ଆନନ୍ଦ ଉଲ୍ଲାସର ମହୋତ୍ସବ, ସଫଳତାର ଉତ୍ପାଦିତ ଉତ୍ ପ୍ରେରକ। ଉତ୍ତରଣର ଉପପାଦ୍ୟ, ସହିଷ୍ଣୁତାର ନିଦର୍ଶନ, ଐଶ୍ୱର୍ଯ୍ୟର ଦେବୀ,ଶୈର୍ଯ୍ୟର ପୂଜାରିଣୀ, ମାଧୁର୍ଯ୍ୟର ମାଧୁରୀ।
ଦୁନିଆରେ ସବୁଠୁ ଛୋଟିଆ ଶବ୍ଦ” ମା” କିନ୍ତୁ, ସବୁଠାରୁ ତତ୍ତ୍ବ, ମହତ୍ତ୍ଵ, ଗୁରୁତ୍ଵପୂର୍ଣ୍ଣ ଅର୍ଥ ମାର,, ଯେଉଁ ମରେ ବସତି ସ୍ଥାପନ କରନ୍ତି,ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ପରି ଦେବତା, ସେ ପୁଣ୍ୟତୋୟା ଗଙ୍ଗା ଯମୁନା ସରସ୍ବତୀଙ୍କର ସମନ୍ବିତ ତ୍ରିବେଣୀ ସଙ୍ଗମ।ସେ ଜନ୍ମ ଦାତ୍ରୀ, ସୃଷ୍ଟି କାରିଣୀ ବୋଲି ବ୍ରହ୍ମଙ୍କ ବାସ ସ୍ଥାନ, ଉତ୍କୃଷ୍ଟ ପାଳନ କରିବାର କଳା ନିପୁଣା, ଏଥିପାଇଁ ସେ ବିଷ୍ଣୁଙ୍କ ପଦଵାଚ୍ୟ, ଶୀଘ୍ର ସନ୍ତାନ କୁ ମନ୍ତ୍ରିତ କରି ସନ୍ତୁଷ୍ଟ କରିପାରୁ ଥିବାରୁ ତଥା ମଙ୍ଗଳା ପ୍ରଦାୟିନୀ ହୋଇଥିବାରୁ , ପ୍ରଭୁ ଆଶୁତୋଷ ପଦବାଚ୍ୟ।ମା; ଏକ ବିଭୁଷିତ ବିଭୂତି, ତ୍ୟାଗ-ତିତିକ୍ଷା, ତପସ୍ୟା-ଉଦାରତା, ସ୍ନେହ ଶ୍ରଦ୍ଧା,ଦୟା, କ୍ଷମା, ମମତା -ଵଳୀଦାନର ଲଳିତ କମନୀୟ ଜୀବନ୍ତ ପ୍ରତିମୂର୍ତ୍ତି। ସେଥିପାଇଁ ବୋଧେ କୁହାଯାଇଛି,ମାତୃଦେବ ଭବଃ ।
ମାଆ,, ମାଟି ପରି ଶକ୍ତ,ଆକାଶ ପରି ବ୍ୟାପ୍ତ,,ମା ଜନମ,,ଏକ ଜପଯଜ୍ଞ,ପ୍ରେମ, ଧୈର୍ଯ୍ୟର, ଭଲପାଇବାର ବାରି ଧାରାକୁ ସବୁରି ମନରେ ବିଞ୍ଚି ଦେଇ ପୀୟୁଷ ଭରିପାରେ। ଅନେକ ତା’ର ପରିଚୟ, ଭିନ୍ନ ଭିନ୍ନ ସମ୍ପର୍କ, ସୁଦୃଢ ବ୍ୟକ୍ତିତ୍ଵ। ପରିବାରକୁ ପତନ ମୁଖରୁ ରକ୍ଷା କରେ ବୋଲି,ସେ ପତ୍ନୀ, ପୁରୁଷର ଅଧା ଅଙ୍ଗ ବୋଲି,ସେ ଅର୍ଦ୍ଧାଙ୍ଗିନୀ, ପତି ଓ ପରିବାରର ଭାର ବହନ କରେ ବୋଲି ଭାର୍ଯ୍ୟା, ଦୁଇଟି କୁଳର ହିତ ସାଧନ କରୁଥିବାରୁ ସେ ଦୁହିତା, ଗୃହର ମଣି ହେତୁ ସେ ଗୃହିଣୀ, ଧର୍ମ କାର୍ଯ୍ୟରେ ସହଯୋଗୀ ହେତୁ ସେ ସହଧର୍ମିଣୀ, ମହିୟସୀ ବାଳା ହେତୁ ସେ ମହିଳା,ଗୃହ ଓ ପରିବାରର ସୌନ୍ଦର୍ଯ୍ୟ ହେତୁ ସେ କାନ୍ତା, ଅରି ଵା ଶତ୍ରୁ ନାଶ କରିବାର ଶକ୍ତିଥିବାରୁ ସେ ନାରୀ, ସଂସାରକୁ ସୁନ୍ଦର ଓ ଶୃଙ୍ଖଳିତ କରୁଥିବାରୁ ସେ,ସ୍ବରୂପା, ପୁରୁଷକୁ ପ୍ରମାଦ ମୁକ୍ତ ବା ପ୍ରମୋଦ ଦେଉଥିବାରୁ ସେ ପ୍ରମୋଦା, ସୃଷ୍ଟିର ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ସେ ମହନୀୟା, ନାରାୟଣଙ୍କ ଅନବଦ୍ୟ ସୃଷ୍ଟିର ଅଦ୍ୱିତୀୟ ଅବଦାନ ହେତୁ,ସେ ନାରାୟଣୀ, ସେଥିପାଇଁ ତ ପୁରାଣରେ ବର୍ଣ୍ଣିତ ଅଛି :-
“ଯତ୍ର ନାର୍ଯ୍ୟେସ୍ତୁ ପୂଜ୍ୟତେ,
ତତ୍ର ଦେଵତା ରମନ୍ତେ,,,
ଯତ୍ରୈତାସ୍ତୁ ନ ପୂଜ୍ୟତେ
ସର୍ବାସ୍ତତ୍ରାଫଳାଃ କ୍ରିୟା ”
ଅର୍ଥାତ, ଯେଉଁଠି ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଦେବତା ବାସ କରନ୍ତି। ମାତୃତ୍ଵ ଏକ ତପସ୍ୱୀର ତପସ୍ୟା,ଏକ ଯୋଗୀର ସାଧନା ପୁଣ୍ୟର ପରାକାଷ୍ଠା, ଅମୃତର ମହାନୁଭବ। ନାରୀ ଜନ୍ମ ସାର୍ଥକ ହୁଏ,ଯେବେ ମା ଶବ୍ଦ ଯୋଡ଼ିଯାଏ। ସେହି ନାରୀ ଶରୀର ଶ୍ରୀମନ୍ଦିରରୁ ମା’ଟିଏ ପ୍ରକଟିତ ହୁଏ।
ଗାନ୍ଧୀଜୀଙ୍କ ଉକ୍ତି ଥିଲା,”ନାରୀ ହେଉଛି ପୁରୁଷ ଭଳି ସମାନ ମାନସିକ ଦକ୍ଷତା ରଖୁଥିବା ପୁରୁଷର ଉତ୍ତମ ସାଥୀ।” ସବୁ କ୍ଷେତ୍ରରେ ବଳିଷ୍ଠ ଅବଦାନ, ଅଂଶ ଗ୍ରହଣ କରିବା ଉଚିତ। ନାରୀ ଏକାଧାରରେ ଜଣେ ଜନନୀ, ଭଗିନୀ ଓ ଜାୟା ରୂପେ ସମାଜ ରେ ପରିପ୍ରକାଶ ହୋଇ ଥାଏ। ମାତ୍ର ପ୍ରଚଳିତ ସମାଜରେ ନାରୀଟି ଆଜି ସୁରକ୍ଷିତ ନୁହେଁ। ସର୍ବଦା ପୁରୁଷର ଅନୁଗାମିନୀ ଭାବେ ପରିଚିତ।
କଥିତ ଅଛି, ବିନା ଆଶ୍ରେ ନ ବଞ୍ଚନ୍ତି କବିତା, ବନିତା, ଲତା । କନ୍ୟା କାଳରେ ବାପା ମାଆଙ୍କର ଆଶ୍ରୟ, ବିବାହ ପରେ ସ୍ବାମୀଙ୍କର ଓ ବୃଦ୍ଧା କାଳରେ ପୁତ୍ରର ସାହାଯ୍ୟ ଲୋଡିଥାଏ। ତ୍ୟାଗର ପରିସୀମାକୁ ବ୍ୟାପକ କରି ପରିବାରର ବଂଶଜ ମାନଙ୍କର ସେବାରେ ନିୟୋଜିତ ହୋଇଥାଏ। ସମସ୍ତଙ୍କର ରକ୍ଷକ ସାଜି ସେ ନିଜର ଅସ୍ତିତ୍ବ ବଜାୟ ରଖିବାକୁ ଶତଚେଷ୍ଟିତ ହେଲେ ମଧ୍ୟ ସମୟର ଅବାରିତ ପ୍ରବହମାନ ଗତିରେ ଭାସିଚାଲେ, ଆଗକୁ ,ବହୁ ଆଗକୁ। ନିଜସ୍ଵ ରୁଚି, ପସନ୍ଦ, ସ୍ବପ୍ନ, ଆଶା ଆକାଂକ୍ଷାକୁ ଭୁଲି ଯାଇ ପରିବାର ପ୍ରତି କର୍ତ୍ତବ୍ୟ ସମ୍ପାଦନ କରେ। ସମାଜରେ ଆଖ୍ୟାୟିତ ଅବଳା ଶବ୍ଦକୁ ଆବୋରି ନେଉଥିଲେ। ନୀଳକଣ୍ଠ ସାଜି ସଦସ୍ୟଙ୍କର ଦୁଃଖ, କ୍ଳେଶକୁ ଆକଣ୍ଠ ପାନକରେ। ସ୍ବୟଂ ସମ୍ପୁର୍ଣ୍ଣା ହୋଇ ବି ପରିବାରର ପ୍ରତିକୂଳରେ ଯାଇ ପାରେନାହିଁ।
ସମୟ ପରେ ସମୟ ବଦଳି ଯାଇଛି। ପୀଢ଼ି ପରେ ପୀଢ଼ିର ଅଙ୍କୁରାରୋପଣ ହୋଇ ନାରୀଟି ଆଜି ଧାର୍ମିକ, ସାମାଜିକ, ଆର୍ଥିକ ଓ ରାଜନୈତିକ ଦକ୍ଷତା ହାସଲ କରିପ୍ରଗତିର ଶୀର୍ଷ ଦେଶରେ ପହଞ୍ଚି ପାରିଛି। ନବ ଜାଗୃତିର ଅଭିଭାଷାରେ ନିଜକୁ ସାମିଲ କରାଇଛି। ଗୃହକୋଣର ଅନ୍ଧକୂପ ମଧ୍ୟରେ କୂପମଣ୍ଡୁକ ହୋଇ ରହିନାହିଁ। ସ୍ନେହ, ପ୍ରେମ, ଶ୍ରଦ୍ଧା,କାମନା, ପ୍ରେରଣାର ମନ୍ଦାକିନୀ ବୁହାଇ ମୂର୍ତ୍ତିମତୀ ଦେବୀ ପାଲଟି ଯାଇଛି। ଆଫଗାନିସ୍ତାନର ସ୍ୱର ଉତ୍ତୋଳନ କାରିଣୀ ଶାନ୍ତି ନୋବେଲ ବିଜୟୀନୀ ମଲାଲା ସାଜିପାରିଛି ତ କେତେବେଳେ ଇନ୍ଦିରା, ମଦର ଟେରେସା, ପ୍ରତିଭା ପାଟିଲ ପରି ନିପୁଣା ରାଜନୀତିଜ୍ଞ ସାଜିଛି , ପୁଣି କେତେବେଳେ ପି,ଭି,ସିନ୍ଧୁ ଓ ଟେନିସ ତାରକା ସାନିଆ ମିର୍ଜା ସାଜିଛନ୍ତି।ଡାକ୍ତରୀ, ବୈଜ୍ଞାନିକ, ଶିକ୍ଷକ, ବିମାନ ଚାଳିକା ଭାବେ ଖୁବ୍ ଖ୍ୟାତି ଅର୍ଜନ କରିପାରିଛି। ଚିତ୍ର କଳା, ସଙ୍ଗୀତ କଳା,ହସ୍ତକର୍ମ ଇତ୍ୟାଦି ରେ ନିପୁଣତା ହାସଲ କରିପ୍ରଗତି ର ଆହ୍ୱାନ କୁ ଆପଣେଇ ନେଇଛନ୍ତି। ପରିବାର ମଧ୍ୟରେ ଜଣେ ଉତ୍ତମ ପତ୍ନୀ, ମାଆ, ବୋହୂ, ଭଉଣୀ, ଝିଅର ଭୂମିକାକୁ ସୁନ୍ଦର କରି ଚିତ୍ରିତ କରି ପାରିଛନ୍ତି। ପତନ ମୁଖରୁ ସ୍ବାମୀଙ୍କୁ ରକ୍ଷା କରି ସେ ଉତ୍ତମ ପତ୍ନୀ, ସ୍ବାମୀଙ୍କର ଦୁଃଖ ଦୂର କରି ସେ ଅର୍ଦ୍ଧାଙ୍ଗିନୀ,ଜାୟତେ ଇତି_ଜାୟା ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରିଛି।
ସେଥିପାଇଁ ସ୍ବାମୀ ବିବେକାନନ୍ଦ କହିଥିଲେ, ମାଆ ଈଶ୍ୱରୀୟ ଉପଲବ୍ଧି, ହୃଦୟର ଉଛ୍ଛ୍ବାସ, ପ୍ରାଣର ସ୍ପନ୍ଦନ,ଅତଳତଳ ଅନ୍ତରର ଅଭିବ୍ୟକ୍ତି, ସଂସ୍କୃତି ଓ ପରମ୍ପରାର ମହାନ୍ ବାର୍ତ୍ତାବହ। ଯଦି ଆଜି ଭୁବନେଶ୍ୱରୀ ଦେବି ଜନ୍ମ ହୋଇ ନଥାନ୍ତେ, ଆମେ ବିବେକାନନ୍ଦଙ୍କୁ ପାଇ ପାରିନଥାନ୍ତେ, ପୁତୁଲିବାଇ ନଥିଲେ, ବାପୁଜୀଙ୍କୁ ପାଇ ନଥାନ୍ତେ, ଜୀଜାବାଇ ନଥିଲେ , ଛତ୍ରପତି ଶିବାଜୀଙ୍କୁ ଚିରଦିନ ପାଇଁ ହରାଇଥାନ୍ତେ। ମାଆଙ୍କର ଭୂମିକା ଆତମକୈନ୍ଦ୍ରିକ ସ୍ବାର୍ଥରୁ ଉର୍ଦ୍ଧ୍ୱରେ,, ମହାଭାରତରେ ବର୍ଣ୍ଣିତ ଶତପୁତ୍ରର ଜନନୀ ଗାନ୍ଧାରୀଙ୍କ ନିରପେକ୍ଷତା ଉପରେ ଉଦାହରଣ ନେଇ ପାରିବେ,,
ଗାନ୍ଧାରୀ ଦେଲା ଜନନୀ ପ୍ରାଣର
ସୁମହତ ପରିଚୟ,
ଅକ୍ଷୟ ହେଉ ପୁଣ୍ୟ ଜଗତେ
ଧର୍ମର ହେଉ ଜୟ।
ତେବେ ମାଆଙ୍କ ମହତ୍ତ୍ଵ କୁ ହୃଦୟ ଙ୍ଗମ କରିବା କଷ୍ଟ ସାଧ୍ୟ।
କବି ବାଞ୍ଛାନିଧି ମହାନ୍ତିଙ୍କ ଭାଷାରେ,,
ନିଜ ଲାଗି ନୁହେଁ ସାଧନା ଯାହାର
ପର ମୁକତିରେ ମୁକତି ତାହାର,
ଅହିଂସା ଯାହାର ସଦା ଗଳାହାର,
ତା ଦେହେବି ବହେ ସଦା ରକ୍ତଧାର ।।
ସେହି ମହନୀୟତା ସମ୍ପର୍କରେସାମାନ୍ୟ ହୃଦୟଙ୍ଗମ ନିମନ୍ତେ ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ସ୍ତରରେ ମେ ମାସରେ ଦ୍ବିତୀୟ ରବିବାରକୁ ବିଶ୍ବ ମାତୃ ଦିବସ ସାରା ପୃଥିବୀରେ ପାଳନ କରାଯାଉଅଛି।
କଥିତ ଅଛି ୧୬୦୦ ଶତାବ୍ଦୀରେ ଇଂରେଜ ମାନେ ମାତୃ ଦିବସ ମେ ମାସର ଚତୁର୍ଥ ରବିବାରକୁ ପାଳନ କରୁଥଲେ। ପ୍ରସ୍ତୁତ କେକକୁ ମଧ୍ୟ ମଦରସ୍ କେକ ବୋଲି କହୁଥିଲେ। ଏହା ପରେ ୧୮୭୦ ରେ ଯୁକ୍ତରାଷ୍ଟ୍ର ଆମେରିକାରେ ମାତୃ ଦିବସ ପାଳନ କରାଗଲା। ମା’ ମାନଙ୍କର ଅତୀବ ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ଶ୍ରଦ୍ଧା ଓ ସମ୍ମାନର ସହିତ ବାର୍ତ୍ତା ପ୍ରେରଣ କରାଯାଏ। ଆନ୍ନା ଦାଭିସ ନାମକ ଜଣେ ମହିଳା ନିଜ ମା’ଙ୍କ ଉଦ୍ଦେଶ୍ୟରେ ପ୍ରଥମେ ମାତୃ ଦିବସ ପାଳନ କରିଥିଲେ। ଏହା ପରେ ୧୮୭୨ ରେ ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ ସହରରେ ମଦର୍ସଡେ ଅନୁଷ୍ଠିତ ହୋଇଥିଲା।୧୯୦୭ ରେ ଏହାକୁ ଜାତୀୟସ୍ତରେ ପାଳନ କରାଗଲା।୧୯୧୪ ମସିହାରେ ତତକାଳୀନ ରାଷ୍ଟ୍ରପତି ଉଡ୍ରୋ ଓ୍ବଲସନ ମେ ମାସର ଦ୍ବିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରିବା ନିମନ୍ତେ ଘୋଷଣା କରିଥିଲେ। କ୍ରମଶଃ ଏହା ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆଦୃତି ହୋଇଥିଲା। ତେବେ ଜଣେ ଆଦର୍ଶ ଜନନୀ ହିଁ ତାଙ୍କର ସନ୍ତାନ ଓ ପରିବାରକୁ ଆଦର୍ଶ କରି ଗଢିତୋଳନ୍ତି।
ତେବେ ଆଜିର ଉପସଂହାରରେ, ପ୍ରତିଟି ମୂହୁର୍ତ୍ତ ହେଉ ମାତୃ ବନ୍ଦନାର ବେଳ, ସନ୍ତାନମାନଙ୍କର ପ୍ରତି ସମୟରେ ମା’ ପ୍ରତି କର୍ତ୍ତବ୍ୟ ନିଷ୍ଠା ତ୍ୟାଗର ମନ୍ଦାକିନୀ ଝରିପଡୁ। ଶିବାଜୀ, ବାପୁଜୀ, ସ୍ବାମୀ ଜୀ, ଶ୍ରୀ ଅରବିନ୍ଦ, ସର୍ଦ୍ଦାର ପଟେଲଙ୍କ ପରି ସେବା ପ୍ରତ୍ୟେକ ମା’ଙ୍କ ଭାଗ୍ୟର ଶୋଭା ପାଉ, ପ୍ରତି ସନ୍ତାନର ମାନସ ପଟରେ ମାତୃଦେବ ଭବଃର ବାଣୀ ଗୁଞ୍ଜରିତ ହେଉ।। ଏହା ହିଁ ଆଜିର ଦିବସରେ କାମନା। ପରିଶେଷରେ,,
ମାଆଠାରୁ ବଳି ଦୁନିଆରେ ନାହିଁ
ତିନି ପୁରେ ସେ ଯେ ବିଶ୍ବ ବନ୍ଦିତା,
ମାତୃ ଆଶୀର୍ବାଦେ ଅମରତ୍ବ ଥାଏ
ନାରୀ ନାରାୟଣୀ ଚିର ପୂଜିତା।
ବ୍ରହ୍ମା ବିଷ୍ଣୁ ଶିବ ଶ୍ରେଷ୍ଠ ପରାଭବ
ସରଗଠୁଁ ବଡ ମହାନ ସ୍ଥାନ,
ସର୍ବଂସହା ମୂର୍ତ୍ତି ଦୟାକ୍ଷମାବତୀ
ଉଜ୍ଜ୍ବଳେ ଭାସ୍କର ଆଶା କିରଣ।।।
ଶିକ୍ଷୟିତ୍ରୀ,
ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍ଆ.ଇ.ଟି ରାଉରକେଲା
Comments are closed.