Latest Odisha News

BREAKING NEWS

ଭାରତୀୟ ସଂସ୍କୃତି ଓ ସାମାଜିକ ଜୀବନ ଅନୁଧ୍ୟାନ ନିମନ୍ତେ ଓଡ଼ିଶାରେ ବିଦେଶୀ ମହିଳା

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ସାମାଜିକ ଜୀବନ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି କିଛି ବିଦେଶୀ ମହିଳା । ପ୍ରାୟ ୪ ଜଣ ଭାରତୀୟ ମା’ ତଥା ମହିଳାମାନେ ପାଖାପାଖି ଏକ ବର୍ଷ ତଳେ ନୂଆଦିଲ୍ଲୀରୁ ଲଣ୍ଡନକୁ ସଡ଼କପଥରେ ଯାତ୍ରା କରିଥିଲେ । ଏହି ଦୁଇ ମାସର ଯାତ୍ରା ସମୟରେ ସେମାନେ ୨୨ ଟି ଦେଶ ପରିଭ୍ରମଣ କରିଥିଲେ ।

ସେମାନଙ୍କର ପରିଭ୍ରମଣ ସମୟରେ ଏହି ୨୨ଟି ଦେଶରୁ ୭ଟି ଦେଶର ମହିଳା ମାନେ ଭାରତର କଳା, ସଂସ୍କୃତି, ସାମାଜିକ ବ୍ୟବସ୍ଥା ଏବଂ ପାରିବାରିକ ଜୀବନ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେହି ଆଗ୍ରହକୁ ନେଇ ୩୨ ଜଣ ବିଦେଶୀ ମହିଳା ଅର୍ଥାତ୍ ମା’ମାନେ ବର୍ତମାନ ଭାରତ ଭ୍ରମଣରେ ଆସିଛନ୍ତି । ସେମାନଙ୍କର ଇଚ୍ଛା ରହିଛି ଭାରତର କଳା, ସଂସ୍କୃତି ଏବଂ ପାରିବାରିକ ଜୀବନ ସମ୍ପର୍କରେ ଅଧିକ ଜାଣିବା ପାଇଁ ।

“ଆମେ ଗତବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ୨୩,୬୫୭ କି.ମି. ଅତିକ୍ରମ କରିବା ସହ ୩୦ ଟି ସ୍ଥାନରେ ବିଭିନ୍ନ ମହିଳାଙ୍କ ସହ ଆଲୋଚନା କରିଥିଲୁ । ଏହି ଆଲୋଚନା ବିଶେଷ ଭାବରେ ଆମର ସଂସ୍କୃତି ଏବଂ ପାରିବାରିକ ଜୀବନ ସମ୍ପର୍କରେ ଥିଲା’ ବୋଲି କହିଛନ୍ତି “ମଦର୍ସ ଅନ ହୁଇଲ୍’ ସଂଗଠନର ନେତୃତ୍ୱ ନେଇଥିବା ଶ୍ରୀମତି ମାଧୁରୀ ସହସ୍ରବୁଦେ୍ଧ ।

ଏହି ପରିଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ସାରା ବିଶ୍ୱରେ ନିଜ ପିଲାମାନଙ୍କୁ ଭଲପାଇବା, ଉଚିତ୍ ସଂସ୍କାର ଦେବା ଏବଂ ପରିବାରକୁ ଏକାଠି କରି ରଖିବା ନେଇ ମା’ ମାନଙ୍କର ଭୂମିକା ସମ୍ପର୍କରେ ବାର୍ତା ପ୍ରଚାର ଓ ପ୍ରସାର କରିବା ବୋଲି ଶ୍ରୀମତି ସହସ୍ରବୁଦେ୍ଧ କହିଛନ୍ତି । ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ଏବଂ ସମାଜସେବୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତି ସହସ୍ରବୁଦେ୍ଧ ଏବଂ ଅନ୍ୟ ଜଣେ ମହିଳା କାର୍ ଚଳାଇ ଲଣ୍ଡନ ଯାତ୍ରା କରିଥିବା ବେଳେ ଏହି ଯାତ୍ରାରେ ତାଙ୍କ ସହିତ ଶ୍ରୀମତି ଶୀତଲ୍ ବୈଦ, ଶ୍ରୀମତୀ ଉର୍ମିଳା ଯୋଶୀ ଏବଂ ଶ୍ରୀମତି ମାଧବୀ ସିଂ ସାମିଲ୍ ହୋଇଥିଲେ । ଅନେକ ସ୍ଥାନରେ ଲୋକମାନେ ଭାରତର ଯୌଥ ପରିବାର ସମ୍ପର୍କରେ ଜାଣିବାକୁ ଚାହିଁଥିବା ବେଳେ ଭାରତର ବିବାହ ଏବଂ ପରମ୍ପରା ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ।

ଦେଶର ଏହି ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅଧିକ ଅବଗତ ହେବା ପାଇଁ ମହିଳା ମାନେ ଭାରତକୁ ଆସି ନୂଆଦିଲ୍ଲୀ, ଜୟପୁର, ଭୁବନେଶ୍ୱର, ବେଙ୍ଗାଲୁରୁ ଏବଂ ପୁନେ ଗସ୍ତ କରୁଛନ୍ତି ବୋଲି ସେ କହିଛନ୍ତି । ବିଦେଶୀ ମହିଳାମାନଙ୍କର ଏହି ଗସ୍ତ କାର୍ଯ୍ୟକ୍ରମର ନାମ ରଖାଯାଇଛି ‘ବସୁଧୈବ କୁଟୁମ୍ବକମ୍’ (ସାରା ବିଶ୍ୱ ଗୋଟିଏ ପରିବାର) । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସହସ୍ରବୁଦେ୍ଧଙ୍କ ଦ୍ୱାରା ପରିଚାଳିତ ଫାଉଣ୍ଡେସନ ଫର ହୋଲିଷ୍ଟିକ୍ ଡେଭେଲପମେଂଟ ଇନ ଏକାଡେମିକ ଫିଲ୍ଡ (ଏଫଏଚଡ଼ିଏଏଫ) ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଏଥିରେ ଇନ୍ଦିରାଗାନ୍ଧୀ ନ୍ୟାସନାଲ ସେଂଟର ଫର ଆର୍ଟସ, ଭାରତୀୟ ଶିକ୍ଷମ ମଣ୍ଡଳ ଏବଂ ବିଶ୍ୱ ଗ୍ରାମ ମଧ୍ୟ ସହଯୋଗ କରୁଛି ।

ବିଭିନ୍ନ ଦେଶରୁ ଆସୁଥିବା ମା’ ମାନେ ନଭେମ୍ବର ୧୫ ତାରିଖରେ ଭାରତରେ ପହଂଚି ସାରିଥିବାବେଳେ ନଭେମ୍ବର ୨୧-୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ଚାରି ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ପରିଚାଳନା କରାଯାଉଛି । ଏହି କାର୍ଯ୍ୟକ୍ରମରେ ସି.ଭି.ରମଣ ଇଂଜିନିୟରିଂ କଲେଜ ମଧ୍ୟ ସହଯୋଗ କରୁଛି । ବିଦେଶୀ ପ୍ରତିନିଧିମାନଙ୍କ ଯାତ୍ରା ନଭେମ୍ବର ୩୦ ତାରିଖରେ ଶେଷ ହେବ ।

ପରିଭ୍ରମଣରେ ଆସିଥିବା ମହିଳାମାନେ କୌଣସି ହୋଟେଲ୍ରେ ନ ରହି ଦୁଇ ଜଣ ଲେଖାଏଁ ଏକ ଏକ ଭାରତୀୟ ଯୌଥ ପରିବାରରେ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ମହିଳାମାନେ ଜର୍ମାନୀ, କାଜାକ୍ସ୍ଥାନ, ଉଜବେକିସ୍ଥାନ, ଜର୍ଜିଆ, ବୁଲଗେରିଆ, ଇରାନ ଏବଂ ନେପାଳରୁ ଆସିଛନ୍ତି । ସେମାନେ ଭୁବନେଶ୍ୱରର ବିଭିନ୍ନ ପରିବାର ମଧ୍ୟରେ ରହିବେ, ଘରୋଇ ଖାଦ୍ୟ ଖାଇବେ ଏବଂ ପରିବାର ସମ୍ପର୍କରେ ଜ୍ଞାନ ଆହରଣ କରିବେ । ଶ୍ରୀମତୀ ସହସ୍ରବୁଦେ୍ଧ କହିଛନ୍ତି ଯେ ତାଙ୍କର ୬୦ ଦିନର ଯାତ୍ରା ମଧ୍ୟରେ ଜାଣିବାକୁ ପାଇଥିଲେ ଯେ, ବିଭିନ୍ନ ଦେଶର ମହିଳା ଏବଂ ପୁରୁଷମାନେ ସେମାନଙ୍କର ଜୀବନରେ ଉପୁଜୁଥିବା ବିଭିନ୍ନ ସମସ୍ୟାର କାରଣ ଜାଣିବା ପାଇଁ ଚାହୁଁଛନ୍ତି ।

“ଆମେ ସେହି ଦେଶମାନଙ୍କରେ ମା’ ମାନଙ୍କର ଭୂମିକା ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହିଁଥିଲୁ । ଶେଷରେ ଜାଣିପାରିଥିଲୁ ଯେ ଭାରତର ସଂସ୍କୃତି ଓ ପରମ୍ପରା ସବୁଠାରୁ ଉପରେ ।’ ସାରା ବିଶ୍ୱ ମଧ୍ୟ ଭାରତର ପାରିବାରିକ ସମ୍ପର୍କ, କଳା, ସଂସ୍କୃତି ଓ ପରମ୍ପରା ଜାଣିବା ଉଚିତ୍ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.