ମହାମାରୀର ଦୁଃଖ ଏବେ ପ୍ରତି ଘରେ ଘରେ । ଗଲାବର୍ଷ ଆମେ ଲକଡାଉନ ଦେଖିଥିଲେ ଆଉ ଏବର୍ଷ ବି ଦେଖୁଛେ, ଏ ମହାମାରୀ ଚାଲିଛି ଯେ ସରିବାର ନାଁ ଧରୁନି । ମହାମାରୀ ଆଉ ତା ଭିତରେ ପୁଣି ଦୁନିଆଯାକର ବିପତ୍ତି ମାଡ଼ି ବସିଲାଣି । ବାତ୍ୟା, ଭୂମିକମ୍ପ, ବନ୍ୟା ବିପତ୍ତି ପରେ ବିପତ୍ତି ଆଉ ସରୁନି । କିନ୍ତୁ ଏଇ ସବୁ ଭିତରେ ଆଗରୁ ନଜିର ଅଛି ପରିବାରରେ ମାଆମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ।
ଏଇ ଅସମୟରେ ମାଆମାନଙ୍କ ସହଯୋଗ ପ୍ରତି କ୍ଷେତ୍ରରେ ଦରକାର ପଡିଛି ଏବଂ ସେମାନେ ଯେମିତି ଧର୍ୟ୍ୟର ସହ ସବୁକଥାକୁ ସମ୍ଭାଳି ନେଇଛନ୍ତି ତା ପାଇଁ ସେମାନେ ପ୍ରଶଂସାର ପାତ୍ର । ଏବେ ଏବେ ପ୍ରାୟ ସବୁ ପରିବାରରେ ଉଭୟ ବାପା ଆଉ ମାଆ କର୍ମଜୀବୀ । ଆମେ ସାଧାରଣତଃ ଦେଖିଛେ ମହିଳାଟିଏ ସ୍ୱାବଲମ୍ବୀ ହେଇଥିଲେ ମଧ୍ୟ ସେ କିନ୍ତୁ ଘରର ସବୁଦାୟିତ୍ୱ ନେବାକୁ ସବୁବେଳେ ବାଧ୍ୟ ହେଇଥାଏ । ପିଲାମାନଙ୍କର ଯତ୍ନଠାରୁ ଆରମ୍ଭ କରି ଶାଶୁ, ଶଶୁର ଆଉ ସ୍ଵାମୀଙ୍କର ମଧ୍ୟ ଯତ୍ନ ନେଇଥାଏ । ଆଉ ତା ସାଙ୍ଗରେ ଘରର ଯାବତୀୟ କାମ । କର୍ମଜୀବୀ (ମାଆ) ହେଉ କିମ୍ବା ଗୃହିଣୀ (ମାଆ) ଦୁଇ ଜଣଙ୍କ ଦାୟୀତ୍ୱ ଏକାଥାଏ । କର୍ମଜୀବିଟିଏ ବି ମାଆ ଆଉ ଗୃହିଣୀଟିଏ ବି ମାଆ ଗୋଟିଏ ଧାତୁରେ ଗଢ଼ା ସେ ତାହେଲେ କେମିତି ସେ ଅଲଗା ହେବ । ଦୁଇଟି ଭୂମିକାରେ ସେ ଅବତୀର୍ଣ ହେଲେ ମଧ୍ୟ ନିଜର ଦାୟିତ୍ୱକୁ ସେ ପୂର୍ଣ୍ଣଭାବରେ ସମ୍ପାଦନା କରିଥାଏ । ପରିବାରଟିଏ ମାଆ ବିନା ପୁରା ଅଧା । କୁହାଯାଏ ପିଲାର ପ୍ରଥମ ଶିକ୍ଷକ ହେଉଛି ତାର ମାଆ । ମାଆର ଅନୁଶାସନରେ ହିଁ ପିଲାର ଶିକ୍ଷା ଆଉ ସଂସ୍କାର ଆରମ୍ଭ ହୁଏ । ପ୍ରତ୍ୟେକଟି ପିଲାର ସଫଳ ଭବିଷ୍ୟତ ପାଇଁ ମାଆର ଅବଦାନ ବହୁତ ଅଧିକ ।
ସେଇଥି ପାଇଁ ପିଲାମାନେ ଯଦି କିଛି ଭୁଲ କରନ୍ତି କିମ୍ବା ଅବାଟରେ ଯାଇଥାନ୍ତି ତାହେଲେ ସବୁବେଳେ ମାଆମାନଙ୍କୁ ଦାୟୀ କରାଯାଏ । ଆଉ ଆମ ଓଡ଼ିଆ ଘରମାନଙ୍କରେ ତ ଯଦି ନୂଆ ନୂଆ ବାହାଘର ବେଳେ କିଛି ଭୁଲଭଟକା ହୁଏ ନୂଆବୋହୁର ତାହେଲେ ପ୍ରଥମ ଦୋଷ ଆଗ ମାଆ ଉପରକୁ ଯାଇଥାଏ । ଆଉ କୁହାଯାଇଥାଏ ମାଆ ବୋଧେ କିଛି ଶିଖେଇନାହିଁ, ଏଇଭଳି ଅନେକ ଉଦାହରଣ ଅଛି ଆମ ସମାଜରେ ।
ସେଇଥି ପାଇଁ କୁହାଯାଇଛି ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଆମ ଜୀବନରେ । ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କ ପାଇଁ ତାର କର୍ତବ୍ୟ ସମାନ ଥାଏ । ବିଶ୍ୱସ୍ୱାସ୍ଥ୍ୟ ସଙ୍ଘଠନର ତଥ୍ୟ ଅନୁଯାୟୀ ଏଇ ମହାମାରୀରେ ମହିଳା (ମାଆ) ମାନେ ୭୫ପ୍ରତିଶତ ମାନସିକ ଚାପରେ ରହୁଛନ୍ତି । ଘର କାମ ଆଉ କର୍ମକ୍ଷେତ୍ର କାମ ଏଈ ମହାମାରୀ ସମୟରେ ଘରୁ କରିବା ଦ୍ୱାରା ମାନସିକ ଅବସାଦ ମଧ୍ୟ ଅଧିକ ବଢୁଛି । ଏଇ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ହେବା ଯୋଗୁ ପିଲାମାନଙ୍କର ପାଠପଢ଼ା ମଧ୍ୟ ଘରୁ ଚାଲୁଛି ଏବଂ ପିଲାମାନେ ଏଇ ସମୟରେ ପୁରା ଘରେ ରହୁଛନ୍ତି ଯାହାଦ୍ୱାରା ଅଧିକ କାମର ଚାପ ପଡୁଛି ମଧ୍ୟ ମାଆମାନଙ୍କ ଉପରେ । ମହାମାରୀ ଯୋଗୁ ଘରକୁ ମଧ୍ୟ ପିଲାମାନେ ଫେରିଆସିଛନ୍ତି ଚାକିରୀ ଜାଗାରୁ ଆଉ ଘରେ ବସିକାମ କରୁଛନ୍ତି ଅର୍ଥାତ (ୱର୍କଫ୍ରମ ହୋମ) ରେ ଯାହାକି ମାଆମାନଙ୍କୁ ବହୁତ ଖୁସି ଆଣି ଦେଇଛି କିନ୍ତୁ ଟାଇମ୍ସ ଅଫ ଇଣ୍ଡିଆର ଗୋଟିଏ ସର୍ଭେକ୍ଷଣରୁ ତଥ୍ୟ ଆସିଛି ଯେ ୬୧ପ୍ରତିଶତ କାମ ମହାମାରୀ ସମୟରେ ମହିଳାଙ୍କ ପାଇଁ ବଢିଯାଇଛି । ଯାହାକି ପରବର୍ତୀ ଅବସ୍ଥାରେ ସେମାନଙ୍କ ପାଇଁ ମାନସିକ ଚାପର ରୂପନେଉଛି । ଆମ ଓଡ଼ିଆ ଘରମାନଙ୍କରେ ପ୍ରାୟତଃ ପୁରୁଷମାନଙ୍କୁ ଘରକାମରେ ମହିଳାମାନକୁ ସାହାଯ୍ୟ କରିବାର ଦେଖାଯାଏ ନାହିଁ । ପୁରୁଷମାନେ ଯେ ଦାୟିତ୍ୱ ନିଅନ୍ତି ନାହିଁ ଏକଥା ମୁଁ କହୁନି କିନ୍ତୁ ପରିବାରର ଭାର ସବୁବେଳେ ମାଆ ଉପରେ ଥାଏ,ଏହା ବହୁ କଥାରୁ ପ୍ରମାଣିତ ।
ସେଇଥିପାଇଁ ତ ସେ ଦୁହିତା ମାନେ ଦୁଇ କୁଳକୁ ହିତା । ବାପଘର ଆଉ ଶାଶୁଘର ସବୁ ପାଇଁ ସେ ସବୁବେଳେ ଫିଟ । ବୟସ ଯେତେ ଅତିକ୍ରାନ୍ତ କଲେ ବି ମାଆର କୋଳ ସବୁବେଳେ ମନେପଡିଥାଏ । ନିଜେ ଯେତେ ବଡ଼ ପିଲାରବାପା କି ମାଆ ହେଇସାରିଥିଲେ ମଧ୍ୟ ନିଜ ମାଆର କୋଳ ଏଇ ଅସମୟରେ ବହୁତ ମନେ ପଡେ । ଭିଡ଼ିଓ ଆପ ହେଉ କି ଫୋନ ଏଇ ଦୁଇଟି ମାଧ୍ୟମ ଏବେ ମାଆ ପାଖରେ ନ ଥିଲେ ତାଙ୍କ ସାଙ୍ଗରେ ଯୋଗାଯୋଗ କରିବାର । କୁହାଯାଏ ମାଆର ଋଣ କୋଉ ଛୁଆ ସୁଝିପାରେନି କାରଣ ସେ କୁଆଡ଼େ ତାର ଭିତରେ ୯ମାସ ରହିଥାଏ । କିନ୍ତୁ ସମାଜ ଆଜି ଆମର ଆଉ ପାଦେ ଅନ୍ଧାର ଆଡ଼କୁ ଗତିକଲାଣି ଏବେ ସେ ସନ୍ତାନ ଏତେ ବ୍ୟସ୍ତ ଯେ ନିଜ ପରିବାରକୁ ନେଇ ନିଜ ମାଆ ଏବେ ନିଜ ପରିବାରଟି ପାଇଁ ଅଲୋଡ଼ା ହେଇଯାଇଛି । ଆଉ ନୂଆ ଠିକଣା ମାଆର ପାଲଟିଯାଇଛି ଜରାନିବାସ ।
ବିଚିତ୍ର ଆମ ସମାଜ ଏଇଠି ଏମିତି ବ୍ୟତିକ୍ରମ କେମିତି ଦେଖାଯାଏ । ମହାମାରୀ ଅନେକ କଥା ଶିଖେଇଛି, ଆଉ ମାଆମାନଙ୍କ ପାଇଁ କେମିତି ଆମେ ଯତ୍ନବାନ ହେବାଏଇଠାରୁ ହିଁ ଶିଖିବା ଦରକାର । ସମସ୍ତେ ଯଦି ନିଜର ଦାୟୀତ୍ୱକୁ ଟିକେ ବାଣ୍ଟି ଦିଅନ୍ତେ ତା ହେଲେ ଆପଣଙ୍କ ନିଜ ପିଲାର ମାଆ ବି ଟିକେ ଚାପ ମୁକ୍ତ ହେଇପାରନ୍ତେ ଆଉ ଆପଣଙ୍କ ନିଜ ମାଆ ବି ନିଜ ପୁଅର ଦାୟିତ୍ୱ ଦେଖି ଖୁସି ହେଇପାରନ୍ତେ । ମହାମାରୀ ଶିଖାଉଛି ମାଆମାନେ ଘରର ମୁଖ୍ୟ ତାଙ୍କ ବିନା କିଛି କରିବା ଆମ ପାଇଁ ଅସମ୍ଭବ । କେବଳ ଆମର ଶିଖିବା ବାକିଅଛି, ସମସ୍ତେ ଯଦି ଆମେ ଏଈ କଥାକୁ ବୁଝିପାରିବା ତାହେଲେ ଏଇ ମହାମାରୀ ମାଆମାନଙ୍କ ଧୈର୍ଯ୍ୟକୁ ଭାଙ୍ଗିପାରିବନାହିଁ ।
ଖାଲି ଏଇ ମହାମାରୀ ନୁହେଁ ସବୁବେଳେ ବିପଦ ବେଳେ ମାଆମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ ଏଥିରେ ସନ୍ଦେହ ନାହିଁ ।
Comments are closed.