Latest Odisha News

ଚିତା ବାଘ ପ୍ରକଳ୍ପ ସଂରକ୍ଷଣ ପାଇଁ ଭାରତ-ନାମିବିଆ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ: ଭାରତ ସରକାର ଏବଂ ନାମିବିୟା ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ବିଶେଷତଃ ଚିତା ବାଘ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜ୍‌ରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ ।

ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ବିକାଶକୁ ପ୍ରୋତ୍ସାହନ ଯୋଗାଣ ସକାଶେ ପାରସ୍ପରିକ ସହଯୋଗ ବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରିବ । ଉଭୟ ରାଷ୍ଟ୍ର ପାରସ୍ପରିକ ବିଧିବିଧାନ, ସାର୍ବଭୌମତ୍ୱ, ସମାନତା ତଥା ଭାରତ ଏବଂ ନାମିବିୟାର ସର୍ବଶ୍ରେଷ୍ଠ ସ୍ୱାର୍ଥ ପ୍ରତି ସମ୍ମାନ ପ୍ରଦର୍ଶନ ଆଧାରରେ କାର୍ଯ୍ୟ କରିବେ ।

ଜାତୀୟ ସଂରଣକ୍ଷ ନୀତି ତଥା ଭାବଧାରାରେ ଚିତା ବାଘମାନଙ୍କ ସଂରକ୍ଷଣ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ । ସଂରକ୍ଷଣ ଦୃଷ୍ଟିରୁ ଭାରତରେ ଚିତା ବାଘମାନଙ୍କୁ ପୁଣି ଫେରାଇ ଆଣିବା ମହତ୍ତ୍ୱପୂର୍ଣ୍ଣ । ଚିତା ବାଘଙ୍କ ପୁନଃବିକାଶ ମୂଳ ଚିତା ବାଘଙ୍କ ଆବାସ ସ୍ଥଳୀ ସଂରକ୍ଷଣର ଏକ ପ୍ରୋଟୋଟାଇପ୍‌ର ଅଂଶବିଶେଷ ହେବ । ଏହା ସେମାନଙ୍କ ଜୈବ ବିବିଧତାର ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିବ । ଏହା ଦେଶରୁ ଦ୍ରୁତ ହ୍ରାସ ପାଉଥିବା ଜୈବ ବିବିଧତାର ସଂରକ୍ଷଣ ପାଇଁ ମଧ୍ୟ ସହାୟକ ହେବ।

ବର୍ତ୍ତମାନ ବଡ଼ ବଡ଼ ମାଂସାସୀ ବନ୍ୟ ପ୍ରାଣୀମାନେ ମାନବୀୟ ସ୍ୱାର୍ଥ ସଂଘର୍ଷରତ । ସେହି ତାଲିକାର ସର୍ବନିମ୍ନରେ ଚିତାବାଘ ରହିଛି । ଚିତା ବାଘ ମଣିଷ ସମାଜ ପାଇଁ କୌଣସି ଦୃଷ୍ଟିରୁ ବିପଦ ସୃଷ୍ଟି କରିନଥାନ୍ତି । ସେମାନେ ବଡ଼ ବଡ଼ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଆକ୍ରମଣ କରିନଥାନ୍ତି । ଏଭଳି ଏକ ବନ୍ୟପ୍ରାଣୀର ପୁନଃବିକାଶ ଘଟାଇବା ଐତିହାସିକ ବିବର୍ତ୍ତନ ସନ୍ତୁଳନ ଦିଗରେ ସହାୟକ ହେବ । ଯାହା ପରିବେଶର ବିଭିନ୍ନ ସ୍ତରରେ ମଧ୍ୟ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇବ ।

ଏହା ବନ୍ୟପ୍ରାଣୀ ବିଚରଣ କ୍ଷେତ୍ର (ତୃଣଭୂମି, ଚାରଣଭୂମି ଏବଂ ମୁକ୍ତ ଜଙ୍ଗଲ ବାତାବରଣ)ର ସୁପରିଚାଳନା ଏବଂ ପୁନଃ ସଂସ୍ଥାପନ ପାଇଁ ମଧ୍ୟ ସହାୟକ ହୋଇପାରିବ । ଚିତା ବାଘମାନଙ୍କ ଶିକାରର ସଂରକ୍ଷଣ ଏବଂ ଅନ୍ୟନ୍ୟ ବିଲୁପ୍ତ ପ୍ରାୟ ପ୍ରାଣୀଙ୍କ ସଂରକ୍ଷଣର ସୁରକ୍ଷା ତଥା ବଡ଼ ବଡ଼ ହିଂସ୍ର ପ୍ରାଣୀମାନଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଉପରୁ ତଳ ସ୍ତର ଆଧାରରେ ପରିଚାଳନା କରିବା ଏବଂ ପାରିବେଶିକ ଦୃଷ୍ଟିରୁ ତଳ ସ୍ତରରେ ଏହାର ବିବିଧତା ବଜାୟ ରଖିବା ଦିଗରେ ମଧ୍ୟ ଉପକାରସିଦ୍ଧ ବୋଲି ବିବେଚନା କରାଯିବ ।

ଭାରତରେ ଚିତା ବାଘ ପୁନଃ ସଂରକ୍ଷଣ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶରେ ଚିତା ବାଘ ସଂଖ୍ୟାର ଉଲ୍ଲେଖନୀୟ ବୃଦ୍ଧି । ଯଦ୍ୱାରା ଚିତା ବାଘମାନେ ଏକ ପ୍ରମୁଖ ବନ୍ୟପ୍ରାଣୀ ଭାବେ ସେମାନଙ୍କର ପରିବେଶ କର୍ତ୍ତବ୍ୟ ସଂପାଦନ କରିପାରିବେ । ଏହା ଫଳରେ ପୂର୍ବରୁ ଯେଉଁସବୁ ବନ୍ୟକ୍ଷେତ୍ରରେ ସେମାନେ ବସବାସ କରୁଥିଲେ ସେଠାରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଏହା ଏକ ମୁଖ୍ୟ କାର୍ଯ୍ୟ ହେବ ।

ଏହି ପରିପ୍ରେକ୍ଷୀରେ ୨୦୧୦ ଠାରୁ ୨୦୧୨ ମସିହା ମଧ୍ୟରେ ୧୦ଟି ସ୍ଥାନରେ ସର୍ଭେ କାର୍ଯ୍ୟ ସଂପାଦନ କରାଯାଇଛି । ଭାରତରେ ଚିତା ବାଘଙ୍କ ପୁନଃ ବିକାଶ ସ୍ଥାପନ ପାଇଁ ଏହି ସବୁ ସମ୍ଭାବ୍ୟ ସ୍ଥାନମାନ ଆଇୟୁସିଏନ ଗାଇଡ଼ଲାଇନ ଅନୁସାରେ ନିର୍ଦ୍ଧାରଣ କରାଯାଇଛି । ସେହି ସବୁ ସ୍ଥାନ ପୂର୍ବରୁ ଚିତା ବାଘଙ୍କ ସଂଖ୍ୟା, ଆନୁବଂଶିକ ବିଜ୍ଞାନ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ଅନ୍ୟାନ୍ୟ ପ୍ରାଣୀମାନଙ୍କ ସହିତ ସେମାନଙ୍କର ସଂଗ୍ରାମ ଆଦି ଆଧାରରେ ନିର୍ଦ୍ଧାରଣ କରାଯାଇଛି ।

ମଧ୍ୟ ପ୍ରଦେଶର କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନ ଚିତା ବାଘଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଏଠାରେ ଚିତା ବାଘମାନଙ୍କ ପୁନଃ ବିକାଶ ସକାଶେ ସର୍ବନିମ୍ନ ପରିଚାଳନାଗତ ଅର୍ଥ ବ୍ୟୟ କରିବାକୁ ପଡ଼ିବ । ଏହି ସଂରକ୍ଷଣ କ୍ଷେତ୍ରରେ ଏସୀୟ ସିଂହଙ୍କ ପୁନଃବିକାଶ କାର୍ଯ୍ୟକ୍ରମ ନିମନ୍ତେ ପର୍ୟ୍ୟାପ୍ତ ଅର୍ଥ ବ୍ୟୟ କରାଯାଇସାରିଛି ।

କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ଚିତା ବାଘଙ୍କୁ ଆଣି ପୁନଃ ବିକାଶ ଘଟାଇବା କାର୍ଯ୍ୟ ଆଇୟୁସିଏନ ନିୟମାବଳୀ ଆଧାରରେ ବିକାଶ ଘଟାଯାଇଛି । ସେଠାରେ ସ୍ଥାନ ଆକଳନ ଏବଂ ଅନ୍ୟାନ ଶିକାରୀ ପ୍ରାଣୀଙ୍କ ସାନ୍ଦ୍ରତା ଆଦି ବିଷୟ ଅଧ୍ୟୟନ କରାଯାଇଛି । ତେଣୁ କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନରେ ତଦନୁସାରେ କେତେ ସଂଖ୍ୟକ ଚିତା ବାଘଙ୍କ ବିକାଶ ଘଟିବ ତାହା ନିର୍ଦ୍ଧାରଣ କରାଯାଇଛି ।

ବର୍ତ୍ତମାନର ସ୍ଥିତାବସ୍ଥା ଦୃଷ୍ଟିରୁ କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ସର୍ବାଧିକ ୨୧ଟି ଚିତା ବାଘ ରଖାଯିବାକୁ ସ୍ଥିର କରାଯାଇଛି । ଯଦ୍ୟପି ଏହି ବିସ୍ତୀର୍ଣ୍ଣ ବନ କ୍ଷେତ୍ରରେ ୩୬ଟି ଚିତା ସ୍ୱଚ୍ଛନ୍ଦରେ ବସବାସ କରିପାରିବେ । କୁନୋ ବନ୍ୟପ୍ରାଣୀ ଡିଭିଜନର ଅବଶିଷ୍ଟ ଅଂଶ (୧,୨୮୦ ବର୍ଗ କିଲୋମିଟର)କୁ ଏଥିରେ ସାମିଲ କରି ସେଠାରେ ଚିତା ବାଘ ଆବାସସ୍ଥଳୀର ମାତ୍ରାକୁ ଶିକାର ପୁନଃ ସଂସ୍ଥାପନ ସହ ବୃଦ୍ଧି କରାଯାଇପାରିବ ।

ଭାରତରେ ଚିତା ବାଘ ପୁନଃପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଆର୍ଥିକ ଓ ପ୍ରଶାସନିକ ସହାୟତା ଏନଟିସିଏ ମାଧ୍ୟମରେ କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ । ସରକାର ଏବଂ ବିଭିନ୍ନ କର୍ପୋରେଟ୍‌ ଏଜେନ୍ସିମାନେ ସେମାନଙ୍କୁ ସେମାନଙ୍କ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସଆର) ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ର ସ୍ତରରେ ଅତିରିକ୍ତ ପାଣ୍ଠି ପ୍ରଦାନ ପାଇଁ ପ୍ରୋତ୍ସାହିତ କରାଯିବ ।

ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ), ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାଂସାସୀ/ ଚିତା ବାଘ ବିଶେଷଜ୍ଞ/ ଏଜେନ୍ସିମାନେ ଏହି କାର୍ଯ୍ୟକ୍ରମ ସକାଶେ ପ୍ରଯୁକ୍ତିଗତ ତଥା ଅନ୍ୟାନ୍ୟ ତଥ୍ୟ ଯୋଗାଇଦେବେ ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏନଟିସିଏ, ଡବ୍ଲୁଆଇଆଇ, ରାଜ୍ୟ ଜଙ୍ଗଲ ବିଭାଗମାନଙ୍କୁ ଭାରତରେ ଚିତାବାଘ ପ୍ରକଳ୍ପର ପୁନଃପ୍ରବର୍ତ୍ତନକୁ ସଫଳ କରିବା ସଂପର୍କରେ ସଚେତନ କରାଯିବ । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଆଫ୍ରିକାରେ ଚିତାବାଘ ସଂରଣକ୍ଷ ରିଜର୍ଭ କାର୍ୟ୍ୟକ୍ରମର ସଫଳତା ଆଧାରେ ଦକ୍ଷତା ବୃଦ୍ଧି କରାଯିବ । ଏହା ବ୍ୟତୀତ, ଆଫ୍ରିକାର ଚିତା ପରିଚାଳକ ତଥା ପ୍ରାଣୀ ବିଜ୍ଞାନୀମାନେ ସେମାନଙ୍କର ଭାରତୀୟ ପ୍ରତିପକ୍ଷଙ୍କୁ ଆବଶ୍ୟକ ସକଳ ପ୍ରକାର ତାଲିମ ପ୍ରଦାନ କରିବେ ।

କୁନୋ ଜାତୀୟ ବନ୍ୟ ପ୍ରାଣୀ ଉଦ୍ୟାନ ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ବହନ କରିବ ଯାହାକି ଚିତା ବାଘଙ୍କ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଏକାନ୍ତ ଜରୁରୀ । ଏହା ବ୍ୟତୀତ ଏକ ଚିତା ଗବେଷଣା ଗୋଷ୍ଠୀ ଗବେଷଣା କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ରହିବେ । ସେହିଭଳି ସ୍ଥାନୀୟ ଗ୍ରାମବାସୀମାନଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆଉଟରିଚ୍‌ ଏବଂ ସଚେତନତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯିବ ।

ସରପଞ୍ଚ (ଗାଆଁ ମୁଖିଆ), ସ୍ଥାନୀୟ ନେତୃବୃନ୍ଦ, ଶିକ୍ଷକ, ସାମାଜିକ କର୍ମୀ, ଧର୍ମୀୟ ବ୍ୟକ୍ତିବିଶେଷ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଏହି ସଂରକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଓତଃପ୍ରୋତ ଭାବେ ସାମିଲ କରାଯିବ ।

ଅନ୍ୟ ପକ୍ଷରେ ସ୍ଥାନୀୟ ବିଦ୍ୟାଳୟ, କଲେଜ ଏବଂ ଗ୍ରାମମାନଙ୍କରେ ଲୋକମାନଙ୍କୁ ସଂରକ୍ଷଣ ଏବଂ ଉପଲବ୍ଧ ବିଭିନ୍ନ ଯୋଜନା ଆଦି ସଂପର୍କରେ ସଚେତନ କରିବା ନିମନ୍ତେ ଜଙ୍ଗଲ ବିଭାଗ ସହଯୋଗରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଏଥି ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ଏବେ ଜାରି ରହିଛି ଯଦ୍ୱାରା ସ୍ଥାନୀୟ ମାସ୍କଟ୍‌ ( ନାମ, ‘ଚିଣ୍ଟୁ ଚିତା’) ମାଧ୍ୟମରେ ସ୍ଥାନୀୟ ଗୋଷ୍ଠୀଙ୍କୁ ସଚେତନ କରାଯାଉଛି ।

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ରାଜ୍ୟ ବିଧାନସଭାକୁ ନିର୍ବାଚିତ ସମସ୍ତ ଜନ ପ୍ରତିନିଧିମାନଙ୍କୁ ସେମାନଙ୍କର ନିଜ ନିଜ ନିର୍ବାଚନମଣ୍ଡଳୀ କ୍ଷେତ୍ରରେ କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନରେ ଚିତା-ମାନବ ସହାବସ୍ଥାନ ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

୨୦୨୦ ମସିହାରେ ଭାରତର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ, ଭାରତରେ ଚିତା ବାଘର ପୁନଃପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ), କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପରିଚାଳନା କରୁଛନ୍ତି । ଭାରତର ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବସ୍ଥାପିତ ବିଶେଷଜ୍ଞ କମିଟି ଏହାକୁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନା ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.