ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହିନ୍ଦୁତ୍ୱ କାର୍ଡ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି କମଳନାଥ ବିଭିନ୍ନ ମାଧ୍ୟମରେ ହିନ୍ଦୁତ୍ୱକୁ ଗୁରୁତ୍ୱ ଦେଉଛନ୍ତି।
ଯାହାକୁ ନେଇ ଦଳର ସଂଖ୍ୟାଲଘୁ ନେତା ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି। କଂଗ୍ରେସର ବରିଷ୍ଠ ସଂଖ୍ୟାଲଘୁ ନେତା ଅଜିଜ କ୍ୟୁରେଶି ଏ ପ୍ରସଙ୍ଗକୁ ନେଇ ନିଜ ଦଳ ଉପରେ ବର୍ଷିଛନ୍ତି। ସଂଖ୍ୟାଲଘୁ ମାନେ କ୍ରୀତଦାସ ନୁହଁନ୍ତି ଯେ ସେମାନେ ତାଙ୍କ ନିର୍ଦେଶରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।
କଂଗ୍ରେସର ଏହି ୮୨ ବର୍ଷୀୟ ନେତା ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିବା ବେଳେ ମଧ୍ୟପ୍ରଦେଶର ମନ୍ତ୍ରୀ ଓ ଲୋକସଭା ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।
ମଧ୍ୟପ୍ରଦେଶର ବିଦିଶାରେ ଆୟୋଜିତ ଏକ ସଂଖ୍ୟାଲଘୁ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏ କଥା କହିଛନ୍ତି। କଂଗ୍ରେସ ସମେତ ଅନ୍ୟ ଦଳକୁ ମଧ୍ୟ ଅଜିଜ ଟାର୍ଗେଟ କରିଛନ୍ତି।
ପୋଲିସ, ପ୍ରତିରକ୍ଷା ଓ ବ୍ୟାଙ୍କ ଗୁଡିକରେ ସେମାନଙ୍କ ପାଇଁ ଚାକିରୀ ନ ଥିବାରୁ ସେମାନେ କାହିଁକି ଭୋଟ ଦେବେ ବୋଲି କହିଛନ୍ତି ଅଜିଜ। ଏପରିକି ସେମାନଙ୍କୁ ବିଭିନ୍ନ ସ୍ଥାନରେ ଟାର୍ଗେଟ କରାଯାଉଥିବା ଏହି ବରିଷ୍ଠ ନେତା ଅଭିଯୋଗ କରିଛନ୍ତି।
ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ କମଳନାଥଙ୍କ ସମେତ ଖୋଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନର୍ମଦା ପୂଜନ କରି ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଥିଲେ। ଯାହାକୁ ଅଜିଜ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତାମାନେ ଏବେ ଜୟ ଗଙ୍ଗାମୟା, ଜୟ ନର୍ମଦା ମୟା ଆଦି ଉଚ୍ଚାରଣ କରୁଛନ୍ତି।
ଏପରିକି ଦଳୀୟ କାର୍ଯ୍ୟାଳୟରେ ମୂର୍ତ୍ତି ଲଗାଉଛନ୍ତି। କିନ୍ତୁ ଏହା ଲଜ୍ୟାଜନକ ବୋଲି କହିବା ସହ ଦଳରୁ ତାଙ୍କୁ ବହିଷ୍କାର କରାଗଲେ ସେ ଡରି ନାହାନ୍ତି ବୋଲି କହିଛନ୍ତି।
ସେପଟେ କଂଗ୍ରେସକୁ ଏହା ଅଡୁଆରେ ପକାଇଛି। କଂଗ୍ରେସ ମୁଖପାତ୍ର କେକେ ମିଶ୍ର ଏହାକୁ ଅଜିଜଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି। କଂଗ୍ରେସ ସବୁବେଳେ ଧର୍ମନିରପେକ୍ଷତାରେ ବିଶ୍ୱାସ ରଖେ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟିକରଣରେ ବିଶ୍ୱାସ କରେ ବୋଲି କହିବା ସହ ନିର୍ବାଚନ ଥିବାରୁ ଦଳୀୟ ନେତାମାନେ ହିନ୍ଦୁତ୍ୱ କଥା କହୁଥିବା ବିଜେପି ମୁଖପାତ୍ର ନରେନ୍ଦ୍ର ସାଲୁଜା କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି। ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା ପୁର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରି ବିଜେପି ବିରୋଧର ସମ୍ମୁଖୀନ ହୋଇଛି।
ଟିକେଟ ଘୋଷଣା ହୋଇଥିବା ଅର୍ଦ୍ଧାଧିକ ସ୍ଥାନରେ ଦଳୀୟ ନେତାମାନେ ଖୋଲା ବିରୋଧ କରିବା ସହ କିଛି ଆଶାୟୀଙ୍କ ସମର୍ଥକ ମାନେ ଦଳୀୟ ନେତା ଓ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ଏହି ବୟାନ ଏମପି ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି।
Comments are closed.