Latest Odisha News

ସାତକୋଶିଆରୁ ଚାଲି ଆସିଥିବା କୁମ୍ଭୀର ଗାଁ ପୋଖରିରୁ ବର୍ଷେ ପରେ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗାଁ ପୋଖରି କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ବର୍ଷକ ତଳେ କୁମ୍ଭୀରଟି ଗାଁ ପୋଖରିକୁ ଚାଲି ଆସିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ ।

ଅସନ୍ତୋଷ ତେଜିଥିବା ବେଳେ କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ବନ ବିଭାଗ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲୋକଙ୍କ ଆକ୍ରୋଶ ଦେଖି କୁମ୍ଭୀର ଉଦ୍ଧାର ନିମନ୍ତେ ପ୍ରୟାସ କରି ବିଫଳ ହୋଇଥିଲା ବିଭାଗ । ଏନେଇ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ରବିବାର ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ କୁମ୍ଭୀର । ଜାଲ୍ ସାହାଯ୍ୟରେ ବନ ବିଭାଗ କୁମ୍ଭୀର ଧରିବାକୁ ପ୍ରାୟ ସକାଳ ୯ ଟାରୁ ଆରମ୍ଭ କରିଥିଲେ ଅପରେସନ୍ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ ।

କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ପୁରୁଣାକୋଟ ବନାଞ୍ଚଳ ଅଧିକାରୀ । ଉଦ୍ଧାର କୁମ୍ଭୀର ମଗର ପ୍ରଜାତିର ହୋଇଥିବା ବେଳେ ପୋଖରୀରେ ଅନ୍ୟ ଏକ କୁମ୍ଭୀର ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ତାକୁ ପୋଖରୀରୁ ଧରିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.