Latest Odisha News

BREAKING NEWS

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୁନିଆର ଅରବପତି ତାଲିକାରେ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅନ୍ୟପଟେ ଭାରତର ଅନ୍ୟତମ ଅରବପତି ଗୌତମ ଆଦାନୀ ପୁଣି ତାଲିକାରେ ତଳକୁ ଖସିଛନ୍ତି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅମ୍ବାନୀ ୧୩ରୁ ୧୨ତମ ସ୍ଥାନକୁ ଉଠିଛନ୍ତି ।

ଅନ୍ୟପଟେ ଗୌତମ ଆଦାନୀଙ୍କ କମ୍ପାନୀ ସେୟାର ନିୟମିତ ଭାବେ ଖସି ଖସି ଚାଲିଛି । ଯାହାଫଳରେ କମିବାରେ ଲାଗିଛି ଆଦାନୀଙ୍କ ସମ୍ପତ୍ତି । ଧନୀ ତାଲିକାର ୨୧ତମ ସ୍ଥାନରେ ଥିବା ଗୌତମ ଆଦାନୀ ୨୩ତମ ସ୍ଥାନକୁ ଖସିଛନ୍ତି ।

ବ୍ଲୁମବର୍ଗ ବିଲିନେୟର ଇଣ୍ଡେକ୍ସ ଅନୁସାରେ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ଦିନକରେ ୫.୦୬ ମିଲିୟନ୍ ଡଲାର ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୫.୮ ଅରବ ଡଲାର ରହିଛି । ସେହିଭଳି ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ଗତ ୨୪ ଘଣ୍ଟାରେ ୩୫.୧ ମିଲିୟନ୍ ଡଲାର ବୃଦ୍ଧି ପାଇଛି । ଏଥିସହ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫.୫ ଅରବ ଡଲାର ରହିଥିବା ବେଳେ ସେ ତାଲିକାରେ ୧୩ତମ ସ୍ଥାନରେ ଅଛନ୍ତି ।

ଭାରତର ଦ୍ୱିତୀୟ ଧନୀ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତ ୨୪ ଘଣ୍ଟାରେ ଢେର୍ ହ୍ରାସ ପାଇଛି । ଆଦାନୀ ୨୧ରୁ ୨୩ତମ ସ୍ଥାନକୁ ଖସିବା ସହ ୭୦୪ ମିଲିୟନ୍ ଡଲାର କ୍ଷତି ସହିଛନ୍ତି । ଏବେ ଗୌତମ ଆଦାନୀଙ୍କ ପାଖରେ ୫୬.୪ ଅରବ ଡଲାର ସମ୍ପତ୍ତି ରହିଛି । ହିଣ୍ଡନବର୍ଗର ରିପୋର୍ଟ ପରେ ଆଦାନୀଙ୍କୁ ଲଗାତାର କ୍ଷତି ସହିବାକୁ ପଡ଼ୁଛି । ଚଳିତବର୍ଷ ଜାନୁଆରୀରୁ ଆଜି ଯାଏ ଆଦାନୀଙ୍କ ପ୍ରାୟ ୬୪.୨ ଅରବ ଡଲାର କ୍ଷତି ହୋଇଛି ।

Leave A Reply

Your email address will not be published.