ମୁମ୍ବାଇ: ଆର୍ଥିକ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତ ପୁଣିଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ‘ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୬’ ଅନୁଯାୟୀ, ଭାରତ ବିଶ୍ୱରେ ତୃତୀୟ ସ୍ଥାନ ବଜାୟ ରଖିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଯୁଗରେ ବିଶ୍ୱରେ ଅରବପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦେଶର ଶିଳ୍ପପତି ମୁକେଶ ଅମ୍ବାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିବା ବେଳେ ଗୌତମ ଆଦାନୀ ଓ ରୋଶନୀ ନାଦର ମଧ୍ୟ ଏହି ଦୌଡ଼ରେ ଆଗରେ ରହିଛନ୍ତି ।
ଦୁନିଆର ଅରବପତିଙ୍କ ସଂଖ୍ୟା ଏବେ ୪୦୦୦ ଅତିକ୍ରମ କରିଛି । ଇତିହାସରେ ପ୍ରଥମ ଥର ପାଇଁ ବିଲିୟନେୟାରଙ୍କ ସଂଖ୍ୟା ୪୦୨୦ରେ ପହଞ୍ଚିଛି । ଏହି ତାଲିକାରେ ୧୧୧୦ ଅରବପତିଙ୍କ ସହ ଚୀନ୍ ପ୍ରଥମ ଏବଂ ୧୦୦୦ ଅରବପତିଙ୍କ ସହ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ମାତ୍ର ୩୦୮ ଜଣ ଅରବପତିଙ୍କୁ ନେଇ ଭାରତ ବିଶ୍ୱର ତୃତୀୟ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗତବର୍ଷ ତୁଳନାରେ ୯ ପ୍ରତିଶତ ବୃଦ୍ଧି ପାଇ ୯.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ବିଶ୍ୱ ସ୍ତରରେ ୭୯୨ ବିଲିୟନ ଡଲାର ସମ୍ପତ୍ତି ସହ ଟେସଲା ମୁଖ୍ୟ ଏଲନ ମସ୍କ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।
ଭାରତରେ କେବଳ ପୁରୁଷ ନୁହଁନ୍ତି, ବରଂ ମହିଳା ଅରବପତିଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଚଳିତ ତାଲିକାରେ ୨୩ ଜଣ ଭାରତୀୟ ମହିଳା ସ୍ଥାନ ପାଇଛନ୍ତି । ସହର କଥା କହିଲେ, ମୁମ୍ବାଇ ୯୫ ଜଣ ଅରବପତିଙ୍କ ସହ ଦେଶର ଶୀର୍ଷରେ ରହିଥିବା ବେଳେ ଦିଲ୍ଲୀରେ ୬୪ ଏବଂ ବେଙ୍ଗାଲୁରୁରେ ୩୦ ଜଣ ଅତି ଧନୀ ବ୍ୟକ୍ତି ବାସ କରନ୍ତି ।
ଦେଶରେ ଧନୀ ତାଲିକାରେ ମୁକେଶ ଅମ୍ବାନୀ ପରିବାର ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ ପରିବାର । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ରୋଶନୀ ନାଦର ।
AI କ୍ଷେତ୍ରରେ ହେଉଥିବା ବିପ୍ଳବ ଯୋଗୁଁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଭାରତରୁ ଚଳିତ ବର୍ଷ ୨୪ ଜଣ ନୂଆ ସଦସ୍ୟ ଏହି କ୍ଲବରେ ସାମିଲ ହୋଇଛନ୍ତି, ଯାହା ଦେଶର ବଢୁଥିବା ଅର୍ଥନୈତିକ ଶକ୍ତିର ପ୍ରମାଣ ଦେଉଛି ।