Latest Odisha News

BREAKING NEWS

ଶ୍ରୀମନ୍ଦିର ମା’ ବିମଳାଙ୍କ ପୀଠେ ମୂଳାଷ୍ଟମୀ ତଥା ଶାରଦୀୟ ଦୁର୍ଗୋତ୍ସବର ଆୟମାରମ୍ଭ

ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ବା ଶାରଦୀୟ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀକ୍ଷେତ୍ରରେ ଥିବା ସପ୍ତ ଦେବୀ ପୀଠକୁ ଏହା ଯାଇଥାଏ ।

ଗୁରୁବାର ପବିତ୍ର ମୂଳାଷ୍ଟମୀ ଦିନଠାରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଚଳିତ ବର୍ଷ ଯୋଡ଼ା ଆଶ୍ୱିନ ପଡ଼ୁଥିବାରୁ ଏଥର ଶକ୍ତି ପୀଠ ଗୁଡ଼ିକରେ ୧୬ ଦିନ ପରିବର୍ତ୍ତେ ୪୫ ଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହେବ ।

ସେହିପରି ଶ୍ରୀମନ୍ଦିରରେ ଶାରଦୀୟ ପୂଜାର୍ଚ୍ଚନାର ଶୁଭାରମ୍ଭ ହୋଇଛି ।

ଶଙ୍ଖକ୍ଷେତ୍ରର କ୍ଷେତ୍ରଶ୍ଵରୀ ଭାବରେ ମା’ ବିମଳା ଅଧିଷ୍ଠିତ। ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରର ଭିତରବେଢା ମଧ୍ୟରେ ବିରାଜିତା ଦେବୀ ବିମଳା ପାଦପୀଠେଶ୍ଵରୀ ନାମରେ ସୁବିଦିତା । ପୀଠାଧିଶ୍ଵରୀ ମା’ ବିମଳା ହେଉଛନ୍ତି ଶାକ୍ତ ପାରମ୍ପରାରେ ମୁଖ୍ୟ ଶକ୍ତି । ଆଶ୍ଵିନ ମାସର ଶରତକାଳରେ ମା’ ଶ୍ରୀକ୍ଷେତ୍ରଶ୍ଵରୀଙ୍କର ଶ୍ରୌତସ୍ମାର୍ତ୍ତବିଧିରେ ତର୍ପଣ, ମାର୍ଜନ, ହୋମ ଓ ବଳିପୂଜାଦି ଅନୁଷ୍ଠିତ ହୋଇଥାଏ । ବହୁ ଆଡମ୍ବର ଓ ବିଧିବିଧାନ ସହ ବହୁଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଦେବୀଙ୍କର ଏହି ପୂଜା ‘ଶାରଦୀୟ ଦୁର୍ଗୋତ୍ସବ’ ଭାବରେ ଖ୍ୟାତ ।

ଶ୍ରୀମନ୍ଦିରରେ କେବଳ ଶ୍ରୀଜୀଉମାନଙ୍କର ନୈବେଦ୍ୟ ଦେବୀଙ୍କୁ ସମର୍ପଣ କରାଯାଇଥାଏ ।

“ଗଙ୍ଗାୟାଂ ମଙ୍ଗଲାନାମ ବିମଳା ପୁରୁଷୋତ୍ତମ”
“ବିମଳା ଭୈରବୀ ଯତ୍ର , ଜଗନ୍ନାଥସ୍ତୁ ଭୈରବଃ”

ଆଜିଠାରୁ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ର ପୁରୀରେ ମା’ ବିମଳାଙ୍କ ସହିତ ମାଧବଙ୍କ ପୂଜା ଉପାସନାର ପ୍ରଚଳିତ ରହିଛି ।

ଏହାକୁ ଦୁର୍ଗାମାଧବ ଶାରଦୀୟ ପୂଜା କୁହନ୍ତି । ଶାରଦୀୟ ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରତ୍ନ ଭଣ୍ଡାରରୁ ମା’ ଦୁର୍ଗାଙ୍କ ସ୍ୱର୍ଣ ମୂର୍ତ୍ତି ସିଂହାସନରେ ବିଜେ ହୋଇ, ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି ହୋଇଥାଏ । ସେଠାରେ ମା’ ଦୁର୍ଗା ମାଜଣା ମଣ୍ଡପଙ୍କୁ ବିଜେ ହୋଇ ସହସ୍ରକୁମ୍ଭାଭିଷେକ ନୀତି କରାଯାଇଥାଏ ।

ମାଧବ (ଜଗନ୍ନାଥ)ଙ୍କ ପ୍ରତିମୂର୍ତ୍ତିଙ୍କୁ ଦୁର୍ଗା ସହ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବାପରେ ସୁସଂଜିତ ବିମାନରେ ଯାଇ ବିମଳା ମା’ ଙ୍କ ଜଗମୋହନରେ ବିଜେ ହୋଇଥାନ୍ତି । ସେଠାରେ ଶୀତଳ ଭୋଗ ଓ ଠାକୁରଙ୍କୁ ଚନ୍ଦନ ଲାଗି ନୀତି ପରେ ସେବାୟତମାନେ ଦୁର୍ଗାମାଧବଙ୍କୁ ଆଣି ଭଣ୍ଡାର ଘରେ ସ୍ଥାପନl କରିଥାନ୍ତି ।

ଏହିଭଳି ଷୋଡ଼ଶ ଦିନାତ୍ମକ ପୂଜାରେ ପ୍ରଥମ ଆଠ ଦିନ ଶ୍ରୀମନ୍ଦିର ପ୍ରାଙ୍ଗଣ ଭିତରେ ଶ୍ରୀଦୁର୍ଗାମାଧବ ପୂଜା ପାଇଥାନ୍ତି, ଝୁଲଣ ମଣ୍ଡପ ଓ ମା ବିମଳା ମନ୍ଦିରର ଜଗମୋହନରେ ନିର୍ମିତ ଏକ ସ୍ୱତନ୍ତ୍ର ପିଣ୍ଡିରେ ବସି ଦର୍ଶନ ଦିଅନ୍ତି ।

ତତ୍ପରେ, ଆଗାମୀ ଆଠ ଦିନ ଶ୍ରୀଦୁର୍ଗାମାଧବ ଗୁପ୍ତ ଗୁଣ୍ଡିଚାରେ ଦୋଳମଣ୍ଡପ ସାହିସ୍ଥିତ ଶ୍ରୀନାରାୟଣ ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ଦୁର୍ଲଭ ଓ ଅନନ୍ୟ ପରମ୍ପରା ସାରା ବିଶ୍ଵରେ କେବଳ ଶ୍ରୀକ୍ଷେତ୍ର ପୁରୀ ଧାମରେ ଦେଖାଯାଏ । ଶ୍ରୀଦୁର୍ଗାମାଧବଙ୍କ ଉପାସନା କଲେ ଅଶେଷ ଫଳ ପ୍ରାପ୍ତି ହୋଇଥାଏ ।

ଧନ୍ୟ ଏହି କ୍ଷେତ୍ରର ମହିମା।

“କେ କହିବ ବଚନେ ସେ କ୍ଷେତ୍ରର ମହିମା,

ବ୍ରହ୍ମା ଆଦି ଶଙ୍କରଙ୍କୁ ଅଗୋଚର ଯାହା”

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.