Latest Odisha News

BREAKING NEWS

ଅନ୍‌ଲାଇନ୍ କ୍ଲାସ୍‌ରେ ଫେଲ୍‌, ଅଫ୍‌ଲାଇନ୍‌ରେ ଆଟାକ୍ !

ମୁମ୍ବାଇ: କରୋନା ମହାମାରୀ ଆରମ୍ଭ କରିଛି ଅନ୍‌ଲାଇନ୍ କ୍ଲାସ୍ ଟ୍ରେଣ୍ଡ । କେଉଁଠି ଛାତ୍ରଛାତ୍ରୀ ଏହି ନୂଆ ଢାଂଚାରେ ଅତିଷ୍ଠ ହୋଇପଡିଲେଣି, ତ ପୁଣି କେଉଁଠି ଅଭିଭାବକ କହୁଛନ୍ତି ପିଲାଙ୍କ ଆଖି ପ୍ରଭାବିତ ହେଉଛି । ଏପରି ଟଣାଓଟରା ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ଏକ ବର୍ବର ଘଟଣା । ଅନ୍‌ଲାଇନ୍ କ୍ଲାସ୍‌ରେ ଫେଲ୍ ହୋଇ ଜଣେ କୁନି ଝିଅ ନିଜ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ।

ବୁଧବାର ମୁମ୍ବାଇର ସାନ୍ତାକ୍ରୁଜ୍ ଅଂଚଳରେ ଏକ କୁନି ଝିଅ ଚାଇଲ୍ଡ ହେଲ୍ପ ଲାଇନ୍ ନମ୍ବରରେ କଲ୍ କରି ନିଜ ଭଉଣୀକୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଥିଲା । ଖବର ପାଇ ଏକ ଏନଜିଓ ସଂସ୍ଥାର ଦୁଇଜଣ ପ୍ରତିନିଧୀ ଠିକଣା ସ୍ଥାନରେ ପହଂଚିଥିଲେ । ସେଠାରେ ପହଂଚି ସମସ୍ତ ଘଟଣା ବିଷୟରେ ଜାଣିବା ପରେ ତାଙ୍କ ହୋସ୍ ଉଡିଯାଇଥିଲା ।

ସାନ୍ତାକ୍ରୁଜ ଅଂଚଳର ଜଣେ ୧୨ ବର୍ଷୀୟା ଝିଅ ଅନ୍‌ଲାଇନ୍ କ୍ଲାସରେ ପରୀକ୍ଷା ଦେଉଥିଲେ । ହେଲେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ପାଖରେ ବସିଥିବା ତାଙ୍କ ମାଆ ଘଟାଇଥିଲେ ଅମାନୁଷିକ କାଣ୍ଡ । ପରୀକ୍ଷାରେ ଫେଲ୍ ହେବା ଦେଖି ମହିଳା ଜଣକ ନିଜ ଝିଅ ପିଠିରେ ପେନ୍‌ସିଲ୍ ଭୁଷିବା ସହ କ୍ରୋଧ ଜର୍ଜରିତ ହୋଇ ଏକାଧିକ ଥର କାମୁଡିବାକୁ ବି ପଛାଇନଥିଲେ । ଏହି ଘଟଣାର ସାକ୍ଷୀ ସାଜିଥିବା ମହିଳାଙ୍କ ସାନ ଝିଅ ଜରିଆରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ।

ଘଟଣାକୁ ନେଇ ପୋଲିସ ପଚରାଉଚରା କରିଥିଲେ ବି ମହିଳା ଜଣକ ନିଜ ଔଦ୍ଧତ୍ୟ ଦେଖାଇ କିଛି ବି କହିବାକୁ ମନା କରିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ଏ ଯାଏଁ ମହିଳା ଜଣକ ଗିରଫ ହୋଇନଥିବା ସୂଚନା ରହିଛି ।

Leave A Reply

Your email address will not be published.