ଭୁବନେଶ୍ୱର: ବୁଦ୍ଧନଗରର ୭୬ ବର୍ଷୀୟା ବୃଦ୍ଧା କୁଂଜଲତା ନନ୍ଦ ହତ୍ୟା ମାମଲାରେ ନୂଆ ମୋଡ । ସୁନା ତାସ୍ ପାଇଁ କେୟାରଟେକର ବଳଭଦ୍ର ମହାରଣା ମାଲିକାଣୀଙ୍କୁ କରିଥିଲା ହତ୍ୟା । ବ୍ରହ୍ମଗିରିରୁ ଜବତ ହେଲା କୁଂଜଲତାଙ୍କ ଘରୁ ଚୋରି ହୋଇଥିବା ଗୋଲଡ ପ୍ଲେଟେଡ୍ ତାସ୍ , ସୁନା, ରୂପା ଗହଣା ଓ ରୂପା ବାସନ । ସବୁ ଚୋରୀ ସାମଗ୍ରୀ ବ୍ରହ୍ମଗିରିର ଜଣେ ମହିଳା ସବିତା ସେଠୀଙ୍କ ପାଖରୁ ଜବତ କରିଛି ପୋଲିସ । ବଳଭଦ୍ର ସହ ସମ୍ପୃକ୍ତି ଅଭିଯୋଗରେ ସବିତାକୁ ଗିରଫ କରାଯାଇଛିା ସୁରତରୁ ବଳଭଦ୍ରକୁ କାବୁ କର ରିମାଣ୍ଡରେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ବଳଭଦ୍ର ।
ସୁନା ତାସ୍ ପାଇଁ ମାନବିକତା ଭୁଲି ନୃଂସଶ ପାଲଟିଯାଇଥିଲା ବଳଭଦ୍ର । ହତ୍ୟା ପରେ ବାଇକରେ ଘରକୁ ଯାଇଥିଲା, ଲୁଗା ବଦଳାଇ ଘରେ ମିଛ କହି ବ୍ରହ୍ମଗିରି ଚାଲିଯାଇଥିଲା । ସେଠାରେ ସବିତାକୁ ଚୋରି ସାମଗ୍ରୀ ଦେଇ ସେଠାରୁ ସୁରତ୍ ଖସି ପଳାଇଥିବା ପୋଲିସ ସୂଚନା ଦେଇଛି । ଜବତ ସାମଗ୍ରୀ ମଧ୍ୟରେ ୨ଟି ସୁନା ଚୁଡି, ଗୋଟିଏ ସୁନା ଚେନ୍, ୨ଟି ସୁନା ମୁଦି, ଗେଟେ ହଳ କାନଫୁଲ ଏବଂ ସବୁଠୁ ଗୁରୁତ୍ୱପୂଣ୍ଣ ର୍ ୪ଟି ଗୋଲଡ ପ୍ଲେଟେଡ୍ ପ୍ଲେଇଂ କାର୍ଡ ଜବତ ହୋଇଛି । କେବଳ ସେତିକି ନୁହେଁ କେଜିଏ ଓଜନର ରୂପା ଗହଣା ଓ ବାସନ ଜବତ ହୋଇଛି । ବଳଭଦ୍ରର ମୋଟରସାଇକେଲ୍ ଜବତ କରିଛି ପୋଲିସ । ଉଭୟ ବଳଭଦ୍ର ଓ ସବିତାଙ୍କୁ କୋର୍ଟଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ ।
ଗତ ୪ ତାରିଖରେ ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ସ୍ଥିତ ଘରେ କୁଂଜଲତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିଲା । ଘଟଣା ସାମ୍ନାକୁ ଆସିବା ପରେ ହତ୍ୟାକାରୀଙ୍କୁ ଧରିବାରୁ ପୋଲିସ ତନାଘନା କରିଥିଲା ।
