Latest Odisha News

BREAKING NEWS

ଚାଷ ଜମିରେ ସୋରିଷ ଛିଟା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ଧାନ ଚାଷ ପରେ ପରେ ରବି ଫସଲ ନିଶାରେ ମାତେ ଚାଷୀ, ପ୍ରାୟତଃ ଚାଷ ଜମିରେ ମୁଖ୍ୟ ରବି ଫସଲ ଭାବେ ସୋରିଷ ଚାଷ କରାଯାଏ । ରାସ୍ତା କଡେକଡେ ହଳଦିଆ ପରିବେଶ ଆଉ ଏକ ନିଆରା ବାତାବରଣ । ହଳଦିଆ ଫୁଲ ସହ ସୋରିଷ କ୍ଷେତର ସୌନ୍ଦର୍ଯ୍ୟ ସତରେ ଭାରି ସ୍ୱତନ୍ତ୍ର । ଚାଷକୁ ଚାଷ ହୁଏ ଆଉ ଏପଟେ ବିଲମାଳ ସୋରିଷର ରଙ୍ଗରେ ଭିଜିଯାଏ । ଏବେ ତ ଧାନ ଅମଳ ହେବା ଆରମ୍ଭ ହୋଇଯିବ ଆଉ ତାପରେ ଜମିରେ ଦେଖାଯିବ ସୋରିଷର ସମ୍ଭାର । ସୋରିଷର ବାସ୍ନା ସାଙ୍ଗକୁ ପରିବେଶଟା ଖୁବ୍ ଆନନ୍ଦ ମୟ ଲାଗେ । ଆସନ୍ତୁନା ସେଇ ସୋରିଷ କ୍ଷେତକୁ ଟିକେ ବୁଲିଯିବା ଆଉ ଚାଷୀ ଭାଇକୁ କହିବା ସୋରିଷ କ୍ଷେତେ କରିବା ଚାଷ ।
ସୋରିଷ ଏକ ଲାଭଜନକ ତୈଳବୀଜ ଫସଲ । ସାଧାରଣତଃ ଢିପ ମଝିଆଳି, ନିଗିଡା ଜମିରେ ଦ୍ୱିତୀୟ ଫସଲ ହିସାବରେ ଚାଷ କଲେ ଭଲ ଅମଳ ମିଳିଥାଏ ।

କେଉଁ ମୃତ୍ତିକା ସୋରିଷ ପାଇଁ ଉପଯୁକ୍ତ-

ପଟୁ ଓ ନିଗିଡା ମଟାଳ ମାଟି ସୋରିଷ ଚାଷ ପାଇଁ ଉପଯୁକ୍ତ । ସନ୍ତସନ୍ତିଆ ଜମିରେ ସୋରିଷ ଚାଷ ହୋଇପାରେ ନାହିଁ ।

ଜମି ପ୍ରସ୍ତୁତି ଓ ବୁଣିବା ସମୟ-

ଜମି ଚୟନ କରିସାରିବା ପରେ ଜମିକୁ ୩-୪ ଥର ଓଡ ଚାଷ କରନ୍ତୁ । ପ୍ରତ୍ୟେକ ଓଡ ଚାଷ ପରେ ମଇଦେଲେ ମାଟି ଭଲ ଭାବେ ଗୁଣ୍ଡ ହୋଇଥାଏ । ଚାଷକରି ଘାସ ଓ ପୂର୍ବ ଫସଲର ମୂଳି ବାଛି ସଫା କରିଦିଅନ୍ତୁ । ଏହି ଫସଲକୁ ଦ୍ୱିତୀୟ ଫସଲ ହିସାବରେ ଛୋଟ ଧାନ, ମାଣ୍ଡିଆ, ମକା ଇତ୍ୟାଦି ଫସଲ ପରେ ଚାଷ କରାଯାଏ । ମାଟିର ବତର ଥିବା ଅବସ୍ଥାରେ ସେପ୍ଟେମ୍ବର ମାସ ଶେଷ ଭାଗରୁ ଅକ୍ଟୋବର ମାସ ମଧ୍ୟଭାଗ ପର୍ଯ୍ୟନ୍ତ ନିପାଣିଆ ସୋରିଷ ହିସାବରେ ଏମ୍‌-୨୭, ପିଟି-୩୦୩, ପାର୍ବତୀ ଓ ଅନୁରାଧା କିସମ ସୋରିଷ ବୁଣନ୍ତୁ । ଜଳସେଚନର ସୁବିଧା ଥିଲେ ପୁଷାବୋଲ୍ଡ, ବରୁଣ, ପୁଷା ଜୟକିଷାନ, ପୁଷା ଅଗ୍ରଣୀ କିସମର ସୋରିଷ, ଛୋଟ ଓ ମଝିଆଳି ଧାନ କାଟି ସାରିବା ପରେ ନଭେମ୍ବର ଶେଷ ପର୍ଯ୍ୟନ୍ତ ବୁଣା ହୋଇପାରିବ । ବୁଣା ଡେରି କଲେ ଜଉପୋକ ଫସଲକୁ ବିଶେଷ କ୍ଷତି କରନ୍ତି । ଅନୁଭୁତି ଓ ବିଭିନ୍ନ ପରୀକ୍ଷାରୁ ଜଣାଯାଇଛି ଯେ, ଜଉପୋକ ଏହି ଫସଲର ଶତକଡା ୫୦ ଭାଗ କ୍ଷତି କରିଥାନ୍ତି ।

ଖତ ଓ ସାରର ପରିଚାଳନା-

ଏକର ପ୍ରତି ୧ ଟନ୍ ଗୋବର ଖତ ଜମି ପ୍ରସ୍ତୁତ ସମୟରେ ପ୍ରୟୋଗ କରି ମାଟିରେ ଦିଅନ୍ତୁ । ଅଣ ଜଳସେଚିତ ସୋରିଷ ପାଇଁ ଏକର ପ୍ରତି ୧୨ : ୬ : ୬ କି.ଗ୍ରା. ଏବଂ ଜଳସେଚିତ ସୋରିଷ ପାଇଁ ୨୪ : ୧୨ : ୧୨ କି.ଗ୍ରା. ହିସାବରେ ଯବକ୍ଷାରଜାନ, ଫସଫରସ୍‌, ପଟାସ୍ ଖାଦ୍ୟସାର ବ୍ୟବହାର କରିବା ଆବଶ୍ୟକ । ୧୦ : ୨୬ : ୨୬ ସାର ମୂଳ ସାର ହିସାବରେ ଅଣ ଜଳସେଚିତ ସୋରିଷ ପାଇଁ ୪୬ କି.ଗ୍ରା. ଦରକାର । ବାକି ଯବକ୍ଷାରଜାନ ପାଇଁ ଅଣ ଜଳସେଚିତ ଫସଲରେ ୨୧ କି.ଗ୍ରା. ୟୁରିଆ ମୂଳ ସାର ହିସାବରେ ଜଳସେଚିତ ପାଇଁ ୪୨ କି.ଗ୍ରା. ୟୁରିଆ ବୁଣିବାର ୨୧ ଦିନ ପରେ କୋଡାଖୁସା କରି ପ୍ରୟୋଗ କରନ୍ତୁ ।

ସୋରିଷ ର ରୋଗ ଓ କୀଟ ଦମନ-

୧) ଜଉପୋକ : ଏହା ସୋରିଷ ଫସଲର ଅତ୍ୟନ୍ତ କ୍ଷତିକାରକ ପୋକ । ଜଉପୋକ ସଂଖ୍ୟା ଗଛ ପ୍ରତି ୫୦ ଗୋଟି ଦେଖାଦେଲେ କିମ୍ବା ସୋରିଷ କିଆରୀରେ ଶତକଡା ୩୦ ଭାଗ ଏହି ପୋକ ଲାଗିଲେ ଏକର ପ୍ରତି ୪୦୦ ମି.ଲି. ଡାଇମିଥୋଏଟ୍ କିମ୍ବା ମିଥାଇଲି ଡିମେଟନ୍ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଆବଶ୍ୟକସ୍ଥଳେ ୧୫ ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ । ଔଷଧ ପକାଇବାର ୧୫ ଦିନ ମଧ୍ୟରେ ଗଛର ଡାଳ କିମ୍ବା ପତ୍ର ନେଇ ଶାଗ କିମ୍ବା ଗୋଖାଦ୍ୟ ହିସାବରେ ବ୍ୟବହାର କରିବା ଅନୁଚିତ ।

୨) କରତିଆ ମାଛି : ଏହି ପୋକ ଗଛର ପତ୍ର ଓ କଅଁଳିଆ କାଣ୍ଡକୁ ଖାଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମି.ଲି. କ୍ଲୋରୋପାଇରିଫସ୍ ଔଷଧ ସିଞ୍ଚନ କରନ୍ତୁ ।

୩) ସବୁଜ ଶୁକ : ଏହାର ପତ୍ରର ସବୁଜ ଅଂଶ କୋରି ଖାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମି.ଲି. ଡିଡିରିବ କିମ୍ବା ୪୦୦ ମି.ଲି. କ୍ଲୋରୋପାଇରିଫସ୍ ଔଷଧ ସିଞ୍ଚନ କରନ୍ତୁ ।

ରୋଗ

୧) ପତ୍ରପୋଡା : ରୋଗ ହେଲେ ପତ୍ର, କାଣ୍ଡ ଓ ଛୁଇଁରେ ପ୍ରଥମେ ହଳଦିଆ ରଙ୍ଗର ଦାଗମାନ ଦେଖାଯାଏ । ପରେ ଏହି ଦାଗ ଗୁଡିକ ବାଦାମୀ ବା ଧୂସର ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ମାନକୋଜେବ୍ ୮୦୦ ଗ୍ରାମକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

୨) ନିମ୍ନମୁଖୀ ପାଉଁଶିଆ ରୋଗ : ରୋଗ ହେଲେ ପତ୍ରର ତଳଭାଗରେ ଧୂସର ବର୍ଣର ଚିହ୍ନମାନ ଦେଖାଯାଏ ଏବଂ ସେହି ଚିହ୍ନ ଗୁଡିକର ଠିକ୍ ବିପରୀତ ଭାଗରେ ଅର୍ଥାତ ପତ୍ରର ଉପରଭାଗରେ ଧଳା ରଙ୍ଗର ଦାଗ ଦେଖିବାକୁ ମିଳେ ଓ ପରେ ପତ୍ର ଶୁଖିଯାଏ । ଏହି ଦାଗ ଗଛ ର କାଣ୍ଡରେ ମଧ୍ୟ ଦେଖାଯାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୧ କି.ଗ୍ରା. କପର ଅକ୍ସିକ୍ଲୋରାଇଡ କିମ୍ବା ୧ କି.ଗ୍ରା. ଥିରାମ୍ ଫସଲରେ ପକାଇବା ଉଚିତ ।

(ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ, ବାସୁଦେବପୁର, ଭଦ୍ରକ)
ମୋ-୯୪୩୮୪୬୭୦୭୯

Leave A Reply

Your email address will not be published.