Latest Odisha News

BREAKING NEWS

ନବ ଦାସ ହତ୍ୟା ମାମଲା, ଜେଲରେ ଗୋପାଳର ଯାଞ୍ଚ ଆବେଦନକୁ ଅଗ୍ରାହ୍ୟ କଲା ନିମହାନ୍ସ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଆଉ ୪ ଦିନ ପରେ ୩ ମାସ ପୂରିବ । ହେଲେ ଏଏସ୍ଆଇ ଗୋପାଳ କାହିଁକି ନବଙ୍କୁ କରିଥିଲା ଗୁଳି ? ଗୁଳିମାଡ଼ ପଛର କାରଣ କଣ ? ବ୍ୟକ୍ତିଗତ ରାଗ ଥିଲା ନା କାହାଠୁ ସୁପାରି ନେଇ ଗୋପାଳ, ନବଙ୍କୁ ଗୁଳି କରିଥିଲା ।

ନବ ଦାସଙ୍କୁ ହତ୍ୟାର ୩ ମାସ ପୂରିବାକୁ ଯାଉଥିବା ବେଳେ ଏଯାଏ କ୍ରାଇମବ୍ରାଞ୍ଚ କାରଣ ଖୋଜି ପାଇନି । ଅନ୍ୟପଟେ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଅଧିକ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଛି ବେଙ୍ଗଳୁରୁ ସ୍ଥିତ ନିମହାନ୍ସ । ଜେଲରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା ।

ଗୋପାଳର ନାର୍କୋ ସହ ପଲିଗ୍ରାଫ ଟେଷ୍ଟ କରାଯାଇଥିବା ବେଳେ ଚୌଦ୍ୱାର ଜେଲକୁ ଟିମ୍ ପଠାଇ ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ନିମହାନ୍ସକୁ ଅନୁରୋଧ କରିଥିଲା । ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ନିମହାନ୍ସ ପକ୍ଷରୁ କୁହାଯାଇଛି ଜେଲରେ ଯାଞ୍ଚ ସମ୍ଭବ ନୁହେଁ, ଏଥିପାଇଁ ନିମହାନ୍ସ ନେବାକୁ ପଡ଼ିବ ।

ଗତମାସରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ କ୍ରାଇମବ୍ରାଞ୍ଚ ଗୋପାଳକୁ ନିମହାନ୍ସ ନେବା ଲାଗି ଆବେଦନ କରିଥିବା ଅଗ୍ରାହ୍ୟ କରିଥିଲେ କୋର୍ଟ । ଏପରିକି ୪ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ମେଡିକାଲ୍ ବୋର୍ଡ ଦେଇଥିବା ରିପୋର୍ଟରେ ଗୋପାଳ ମାନସିକ ରୋଗୀ ନୁହେଁ ବୋଲି କୋର୍ଟ କହିଥିଲେ ।

ତଥାପି କ୍ରାଇମବ୍ରାଞ୍ଚ କାହିଁକି ଗୋପାଳର ମାନସିକ ସ୍ଥିତି ପରୀକ୍ଷା ପାଇଁ ଚାହୁଁଛି ? ମାନସିକ ସ୍ଥିତି ଯାଞ୍ଚ ପାଇଁ ଗୋପାଳ ଆବେଦନ କରିଛି କି ? ଯଦି ନା କ୍ରାଇମବ୍ରାଞ୍ଚ କାହିଁକି ବ୍ୟାକୁଳ ହେଉଛି ? ଜାନୁଆରୀ ୨୯ରେ ନବ ଦାସ ଏକ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ବ୍ରଜରାଜନଗର ଯାଇଥିବା ବେଳେ ଗୋପାଳ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲା । ସେହିଦିନ ଅସ୍ତ୍ରୋପଚାର ପରେ ନବ ଦାସ ଆଖି ବୁଜିଥିବା ବେଳେ ଏ ଯାଏ ହତ୍ୟା ପଛର ଉଦ୍ଦେଶ୍ୟ ଉପରୁ ପରଦା ହଟିନି ।

Leave A Reply

Your email address will not be published.