Latest Odisha News

BREAKING NEWS

ନବଗୁଞ୍ଜର ସମ୍ମାନ ୨୦୨୪: ପୁରସ୍କୃତ ହେଲେ ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର ପଟ୍ଟନାୟକ, ଡ.ଅନୀତା ସାବତଙ୍କୁ ଏବର୍ଷର ଯୁବପ୍ରତିଭା ସମ୍ମାନ

ଭୁବନେଶ୍ୱର: ରାଜ୍ୟର ସୁପରିଚିତ ସଂସ୍କୃତି ମଞ୍ଚ ‘ନବଗୁଞ୍ଜର’ ପକ୍ଷରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଅସ୍ମିତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୁଇଜଣ ପ୍ରତିଭାଧରଙ୍କୁ ସେପ୍ଟେମ୍ବର ୨୨ ତାରିଖ ରବିବାର ଦିନ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗାରରେ ଏକ ସମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି।

ବିଶିଷ୍ଟ ବୌଦ୍ଧ ଇତିହାସ ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କୁ ‘ନବଗୁଞ୍ଜର ସମ୍ମାନ’ରେ ଭୂଷିତ କରାଗଲା। ମାନପତ୍ର, ଉତ୍ତରୀୟ ଓ ପଚିଶ ହଜାର ଟଙ୍କାର ପୁରସ୍କାର ରାଶି ସହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ଯୁବ ପ୍ରତିଭା ତଥା ଓଡ଼ିଆ ଅସ୍ମିତା ଯୋଦ୍ଧା ଅନୀତା ସାବତଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର। ସଭା ପ୍ରାରମ୍ଭରେ ଉପସ୍ଥିତ ସଂସ୍କୃତି ପ୍ରେମୀଙ୍କୁ ସ୍ବାଗତ କରି ବିଶିଷ୍ଟ ଲେଖକ ଦାଶ ବେନହୁର ‘ନବଗୁଞ୍ଜର’ ଅନୁଷ୍ଠାନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ପ୍ରଫୁଲ୍ଲ କୁମାର ମିଶ୍ର ବୌଦ୍ଧ ପରମ୍ପରା ସହିତ ଓଡ଼ିଶାର ଐତିହାସିକ ସମ୍ପର୍କକୁ ଦୃଢ଼ ଭାବରେ ଉପସ୍ଥାପିତ କରିବା ପାଇଁ ସମୟ ଆସି ପହଞ୍ଚିଛି ବୋଲି ସ୍ପଷ୍ଟ ଅଭିମତ ରଖିଥିଲେ। ନବଗୁଞ୍ଜର ଅନୁଷ୍ଠାନର ସଭାପତି ଡ. ଉମାକାନ୍ତ ମିଶ୍ର ଓଡ଼ିଆ ଅସ୍ମିତାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଗବେଷକ ପ୍ରବୀର କୁମାର ପଟ୍ଟନାୟକ ଓ ଓଡ଼ିଆ ଅସ୍ମିତା ପ୍ରହରୀ ଅନୀତା ସାବତଙ୍କ ବିଶେଷ କାର୍ଯ୍ୟର ଭୂରି ଭୂରି ପ୍ରଶଂସା କରିଥିଲେ। ସମ୍ମାନିତ ଗବେଷକ ପ୍ରବୀର କୁମାର ପଟ୍ଟନାୟକ ଦ୍ବିତୀୟ ବୁଦ୍ଧ ପଦ୍ମସମ୍ଭବ ଙ୍କ ଜନ୍ମ ଓ ମହାପ୍ରୟାଣ ସ୍ଥଳ ପ୍ରାଚୀନ ଓଡ଼ିଶାରେ ହିଁ ବୋଲି ଯୁକ୍ତିନିଷ୍ଠ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବର୍ଦ୍ଧିତ ପ୍ରତିଭାଧର ଡ.ଅନୀତା ସାବତ ଓଡ଼ିଶାର ରସଗୋଲା ଭଳି ବିଭିନ୍ନ ଅନନ୍ୟ ଖାଦ୍ୟ ସମ୍ଭାର, ସମ୍ବଲପୁରୀ ହସ୍ତତନ୍ତ, ପିପିଲି ଚାନ୍ଦୁଆ, ସୁନାରୂପା ତାରକସି ଆଦି ପାଇଁ ଜି.ଆଇ ଟ୍ୟାଗ୍‌ର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରିଥିଲେ। ଆମେ ସମସ୍ତେ ନିଜର ଓଡ଼ିଆତ୍ୱ ରକ୍ଷା କରିବା ପାଇଁ ନିଷ୍ଠାପର ଭାବରେ ଉଦ୍ୟମ କରିବା ଉଚିତ ବୋଲି ସେ ଓଡ଼ିଶାର ସର୍ବସାଧାରଣଙ୍କୁ ଆହ୍ଵାନ ଜଣାଇଥିଲେ। ଏହି ସମାରୋହରେ ରାଜଧାନୀର ଅନେକ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.