Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କର ନବଯୌବନ ଦର୍ଶନ: ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି । ଦୀର୍ଘ ଦିନପରେ ଜ୍ୱରରେ ଆକ୍ରାନ୍ତ ହେବା ଏବଂ ଅଣସର ପିଣ୍ଡିରେ ରହି ଚିକିତ୍ସାପରେ ଆରୋଗ୍ୟ ଲାଭ କରି ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ଶାରିରୀକ ସୁସ୍ଥତା ଅନୁଭବ କରିଛନ୍ତି । ଆଜି ତାଙ୍କର ପ୍ରିୟ ଭକ୍ତମାନଙ୍କୁ ପ୍ରଥମ ଥର ଲାଗି ଦର୍ଶନ ଦେଉଛନ୍ତି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ । ଆଜିର ଏହି ପବିତ୍ର ଦିନରେ ଦାରୁବ୍ରହ୍ମଙ୍କୁ ଟିକେ ଦର୍ଶନ କରି ଶ୍ରଦ୍ଧାଳୁମାନେ ନିଜକୁ କୃତାର୍ଥ କରିବାରେ ଲାଗିଛନ୍ତି ।

 

ଶ୍ରୀମନ୍ଦିର ପ୍ରଶାସନ ତଥା ଛତିଶା ନିଯୋଗର ନିର୍ଘଣ୍ଟ ସୂଚୀ ଅନୁସାରେ ଜୁଲାଇ ୧୩ରେ ନବଯୌବନ ଦର୍ଶନ ହୋଇ ଜୁଲାଇ ୨୫ ତାରିଖରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପବିତ୍ର ରଥଯାତ୍ରା ଉତ୍ସବ ରୀତିନୀତି ଅନୁସାରେ ଶ୍ରୀକ୍ଷେତ୍ରରେ ପାଳନ ହେଉଛି ।

 

ରଥଯାତ୍ରା ନୀତି ନିର୍ଘଣ୍ଟ :-
ଜୁଲାଇ ୧୩ – ନବଯୌବନ ଦର୍ଶନ
ଜୁଲାଇ ୧୪ – ରଥଯାତ୍ରା / ଗୁଣ୍ଡିଚାଯାତ୍ରା
ଜୁଲାଇ ୧୫ – ଠାକୁରଙ୍କ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ
ଜୁଲାଇ ୧୮ – ହେରାପଞ୍ଚମୀ
ଜୁଲାଇ ୧୯ – ଦକ୍ଷିଣୀମୋଡ଼
ଜୁଲାଇ ୨୧ – ନବମୀ/ସନ୍ଧ୍ୟାଦର୍ଶନ
ଜୁଲାଇ ୨୨ – ବାହୁଡ଼ା ଯାତ୍ରା
ଜୁଲାଇ ୨୩ – ସୁନାବେଶ
ଜୁଲାଇ ୨୪ – ଅଧରପଣା
ଜୁଲାଇ ୨୫ – ନୀଳାଦ୍ରିବିଜେ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବଯୌବନ ଦର୍ଶନ ପୂର୍ବରୁ ଅଣସର ପିଣ୍ଡିର ଅନ୍ତିମ କାର୍ଯ୍ୟ ଶ୍ରୀଜୀଉମାନଙ୍କର ବନକଲାଗି ସମାପ୍ତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ମାତା ଓ ଚକ୍ରରାଜ ଶ୍ରୀସୁଦର୍ଶନ ଠାକୁରଙ୍କୁ ବନକଲାଗିରେ ସେବାୟତମାନେ କସ୍ତୁରୀ, ହରିତାଳ, କେଶର, ହିଂଙ୍ଗୁଳ ଆଦି ସୁବାସିତ ଦ୍ରବ୍ୟର ମିଶ୍ରଣକୁ ଶ୍ରୀଅଙ୍ଗରେ ଲାଗି କରାଇଛନ୍ତି । ଏହି ସେବାକୁ ଶ୍ରୀମନ୍ଦିରର ଦତ୍ତ ମହାପାତ୍ର ସେବକମାନେ କରିଛନ୍ତି । ପ୍ରାତଃକାଳରେ ଶୃଙ୍ଗାର ନୀତିରେ ବନକଲାଗି ସମାପ୍ତ ହେବା ପରେ ନବଯୌବନ ବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।

ଆଜି ନବଯୌବନ ଦର୍ଶନରେ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ଶ୍ରଦ୍ଧାଳୁମାନେ ଚତୁର୍ଦ୍ଦାମୂରତୀଙ୍କ ଅପୂର୍ବ ରୂପକାନ୍ତିକୁ ଦର୍ଶନ କରି ନିଜକୁ କୃତାର୍ଥ କରିଛନ୍ତି । ମହାପ୍ରଭୁଙ୍କର ଏହି ନବଯୌବନ ଦଶର୍ନ କରି ଭକ୍ତମାନେ ଅପାର କରୁଣାଲାଭ କରିପାରିଛନ୍ତି । ସକାଳ ୯ଟାରୁ ୧୦ ଘଟିକା ପର୍ଯ୍ୟନ୍ତ ସାହାଣମେଳାରେ ହଜାର ହଜାର ଶ୍ରଦ୍ଧାଳୁମାନେ ରତ୍ନସିଂହାସନର ଦୂରରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

 

ଦିନ ୪:୧୦ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବନ୍ଦାପନା ହୋଇ ରଥକୁ ଆଜ୍ଞାମାଳ ଯିବ । ଏହି ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ରଥଚକଡ଼ାକୁ ରଥମାନେ ବିଜେ କରିବେ । ତେବେ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଠାକୁର ପହୁଡ଼ ପଡ଼ିବେ ନାହିଁ ବୋଲି ନୀତି ରହିଥିବା ସୂତ୍ରୁରୁ ଜଣାପଡ଼ିଛି ।

Leave A Reply

Your email address will not be published.