Latest Odisha News

ଏମପିରେ ଆଶୀର୍ବାଦ ମାଗୁଛି ବିଜେପି, କିନ୍ତୁ ଦଳୀୟ ନେତା ପାଲଟିଛନ୍ତି ଅଭିଶାପ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟପ୍ରଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିତ୍ରକୁଟରୁ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟବ୍ୟାପୀ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ଏହି ଯାତ୍ରାକୁ ବିଜେପି ବଡ଼ ଆକାରରେ କରୁଛି। ଏମପିର ୧୦ ହଜାର କିଲୋମିଟରରୁ ଅଧିକ ଅଞ୍ଚଳ କଭର କରିବ ଏହି ଯାତ୍ରା।

ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ପ୍ରମୁଖ କେନ୍ଦ୍ରିୟ ନେତୃବୃନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଯାତ୍ରାରେ ଯୋଗ ଦେବେ। ତେଣୁ ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦଳ ଉଦ୍ୟମ ଆରମ୍ଭ କରିଛି।

ସେପଟେ ଆଗୁଆ ପ୍ରାର୍ଥୀ ଘୋଷଣା କରି ବଡ଼ ଅଡୁଆରେ ପଡିଛି ବିଜେପି। ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଥିବା ରାଜକୁମାର ମେବଙ୍କୁ ନେଇ ବିରୋଧ ତୀଵ୍ର ହେବାରେ ଲାଗିଛି।

ବିଜେପି କାର୍ଯ୍ୟକର୍ତାମାନେ ତାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ବିରୋଧ ଶୋଭାଯାତ୍ରା ବାହାର କରିଛନ୍ତି। ତିନୋଟି ଅଲଗା ଅଲଗା ସ୍ଥାନରୁ ବାଇକ ରାଲି କରାଯାଇଛି।

ରାଜକୁମାର ମେବ ଗତ ବିଧାନସଭା ନିର୍ବାଚନରେ ଟିକେଟ ନ ମିଳିବାରୁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଲଢ଼ିଥିଲେ। ତେଣୁ ବିଜେପି ପକ୍ଷରୁ ତାଙ୍କ ପ୍ରାର୍ଥୀତ୍ବକୁ ଜୋରଦାର ବିରୋଧ କରାଯାଉଛି। ସପ୍ତାହେ ପୂର୍ବରୁ ଦଳୀୟ କାର୍ଯ୍ୟକର୍ତା ମେବଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ସେପଟେ ବ୍ରାହ୍ମଣ ସମାଜ ବିରୋଧୀ ମନ୍ତବ୍ୟ ଦେଇଥିବା ପିଛୋର ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରୀତମ ଲୋଧିଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବ୍ରାହ୍ମଣ ସମାଜ ଏହାକୁ ଘୋର ବିରୋଧ କରୁଛି। ସେଥିପାଇଁ ବ୍ରାହ୍ମଣ ସମାଜ ପକ୍ଷରୁ ବିଜେପି ନେତୃତ୍ୱଙ୍କ ନିକଟରେ ଲିଖିତ ଦାବି କରାଯାଇଛି।

ଗୋଟିଏ ପଟେ ଆଶୀର୍ବାଦ ଯାତ୍ରା ମାଧ୍ୟମରେ ନିର୍ବାଚନ ମାହୋଲ ତିଆରି କରିବାକୁ ଉଦ୍ୟମ ଜୋରଦାର କରିଥିବା ବିଜେପି ପାଇଁ ଖୋଦ ନିଜ ଦଳର କର୍ମୀ ଓ ନେତା ଅଡୁଆ ସ୍ଥିତି ସୃଷ୍ଟି କରିଛନ୍ତି।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ମନ୍ତବ୍ୟ ମଧ୍ୟ ଦଳର ଅଡୁଆ ବଢାଇଛି। ଆଶୀର୍ବାଦ ଯାତ୍ରାକୁ ଉମା ଭାରତୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା ସେ କହିଛନ୍ତି।

ତାଙ୍କୁ ଏହି ଯାତ୍ରାକୁ ନିମନ୍ତ୍ରଣ କରାଯାଇନାହିଁ କିନ୍ତୁ ଏଥିରେ କିଛି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ ପାଇଁ ବିଜେପିର ଅନେକ ବିକାଶ ହୋଇଥିଲା କିନ୍ତୁ ଏବେ ତାଙ୍କୁ ଜନ ଆଶୀର୍ବାଦ ଯାତ୍ରାକୁ ଡକାଯାଇନାହିଁ। ଏଣିକି ଡାକିଲେ ବି ଆଉ ଯିବିନି ବୋଲି ସେ କହିଛନ୍ତି।

ଏପରିକି ଆଗାମୀ ନିର୍ବାଚନ ପାଇଁ ଉମା ଭାରତୀ ନିଜର ୧୯ ଜଣ ସମର୍ଥକଙ୍କ ପାଇଁ ଟିକେଟ ମାଗିଛନ୍ତି। ବିଜେପିର ରାଜ୍ୟ ସଭାପତି ବିଡ଼ି ଶର୍ମାଙ୍କୁ ସେ ପତ୍ର ମାଧ୍ୟମରେ ଏହି ଦାବି ଜଣାଇଛନ୍ତି।

ଏପରିକି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କିଛି ସମର୍ଥକଙ୍କ ଲିଷ୍ଟ ଦିଆଯିବ ବୋଲି କୁହାଯାଇଛି। ଯେଉଁ ଚିଠି ସାମାଜିକ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଏସବୁ ପ୍ରସଙ୍ଗକୁ ନେଇ ଏମପିରେ ବିଜେପି ପାଇଁ ଅଡୁଆ ବଢ଼ିବାରେ ଲାଗିଛି ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.