Latest Odisha News

BREAKING NEWS

ଗଦର-୨ ସଫଳତାକୁ ନେଇ ପାର୍ଟି ଦେଲେ ସନ୍ନି ଦେଓଲ, ସାମିଲ ହେଲେ ସଲମାନ, ଅମିର, ଶାହାରୁଖ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଏହି ଫିଲ୍ମ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଅମିଷା ପଟେଲ ଏବଂ ସନ୍ନି ଦେଓଲଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଛି । ଫିଲ୍ମର ସଫଳତାକୁ ନେଇ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ ସନ୍ନି ଦେଓଲ । ଏହି ପାର୍ଟିରେ ସଲମାନ୍ ଖାନ୍‌, ଆମିର ଖାନ୍‌, ଶାହାରୁଖ ଖାନ୍‌ଙ୍କ ସମେତ ବଲିଉଡର ଅନେକ କଳାକାର ଯୋଗ ଦେଇଥିଲେ ।

ବିଗତ ଦିନର ଶତ୍ରୁତା ଭୁଲି ସନ୍ନି ଦେଓଲଙ୍କ ପାର୍ଟିରେ ଏହି ତିନି କଳାକାର ଏକାଠି ହୋଇଥିଲେ । ହେଲେ ପାର୍ଟିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶାହାରୁଖ-ସନ୍ନି । ଶାହାରୁଖ ତାଙ୍କ ପତ୍ନୀ ଗୌରୀଙ୍କ ସହିତ ଯୋଗ ଦେଇଥିଲେ । ଉଭୟ ଶାହାରୁଖ ଓ ସନ୍ନି ଏକାଠି ହେବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ତିରିଶ ବର୍ଷର ମନୋମାଳିନ୍ୟ ଭୁଲିଛନ୍ତି ଶାହାରୁଖ ଖାନ୍ ଏବଂ ସନ୍ନି ଦେଓଲ । ‘ଡର’ ଚଳଚ୍ଚିତ୍ର ପରଠାରୁ ଏହି ଦୁଇ ଅଭିନେତାଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା । ସନ୍ନି ନିଜେ କହିଥିଲେ ଯେ, ସେ ଷୋହଳ ବର୍ଷ ଧରି ଶାହାରୁଖଙ୍କ ସହ କଥା ହୋଇନାହାନ୍ତି । ହେଲେ ‘ଗଦର ୨’ ଦେଖିବା ପୂର୍ବରୁ ଶାହାରୁଖ ସନ୍ନିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ ।

ସେହିପରି ସଲମାନ ଖାନ୍ ଏକ ନୂଆ ପୋଷାକ ପିନ୍ଧି ନୂଆ ଲୁକ୍‌ରେ ନଜର ଆସିଥିଲେ । ସେହିପରି ଆମିର ଖାନ୍ ଏକ ଆକର୍ଷଣୀୟ ପୋଷାକରେ ପାର୍ଟିକୁ ଆସିଥିଲେ । ଏବେ ଏହି ତିନି ଖାନ୍‌ଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.