ନଈ
ମାନିନୀ ମିଶ୍ର
-୧-
ନଈମାନେ
କେଉଁ ଗୋଟେ ପାହାଡର
ଛାତି ଚିରି ଗଡି ଆସୁଥିବା
ଗ୍ଲାସେ ପାଣି, ଚିମୁଟେ ଚିନି
କିଛି ଲୁହ, କିଛି ସିଙ୍ଘାଣି
ଆଉ ସ୍ତ୍ରୀ ଲୋକଟେ
ନିଜକୁ ଚିରି ଚିରି
ତା ଛୁଆ ପାଇଁ
ପରସି ଦେଇଥିବା
ଚାରିଧାର ରୁଟି।
ହେଲେ,
ନଈକି ଚାଲ କହିଲି ଯେ
ତୁ ମତେ ଦେଖେଇଲୁ ଜହ୍ନ
ମୁଁ ତତେ ଯାଚିଲି ମନ
ତୁ ନାହୁଡରେ ଖୁମ୍ପିଲୁ
ମୋର ପ୍ରେମିକାପଣ
ମୁଁ ହସିଲି,
ମୋ ହସର ଥିଲା
ଲମ୍ବା ଲମ୍ବା ପାହୁଣ୍ଡ
ମୁଁ ବ୍ୟାପୁଥିଲି
ଗଳିକନ୍ଦି, ଶୂନ୍ୟ, ମହାଶୂନ୍ୟ
ମୋ ଭିତରକୁ ଧସେଇ ପଶୁଥିଲା
ଚିହ୍ନାଅଚିହ୍ନା ଅନେକ ଚରିତ୍ର
ନଈମାନେ ଏମିତି ପଘାଛଡା ସବୁଦିନ
ଫାଳେ ଆକାଶକୁ ତଳେ ଗଡେଇ
ଛାନ୍ଦ, ଚମ୍ପୁ ଗୁଣୁଗୁଣଉଥିବ
ଡଙ୍ଗା, ଆହୁଲା, ନାଉରୀ
ଷ୍ଟାଚ୍ୟୁ ପୋଜରେ ଥିବେ
ପଥରଟେ ଏବେ ପାଲଟୁଥିବ ନାରୀ
ନଈ ଆଉ ନାରୀର
ନ ଥାଏ ମରଣ
ନଈ ବୁଝିବାକୁ ଚାହୁଁ ତ
ଓହ୍ଲେଇଦେ ତୋ ଆଖିର ସନଗ୍ଳାସ
ଦେହର ବସନ, ଭୂଷଣ
ଆ, ସେ ଅନାଦି ରହସ୍ୟ ସହ କରିବୁ ସ୍ନାନ।
ଛାଡ, ପୁଣି ସେ ନଈକୁ ଯିବା
ନଈ ମାନେ ହୋଇପାରେ
ମୋର ଖୋଲା ବେଣୀ
ନଈ ମାନେ ହୋଇପାରେ
ତୋର ପ୍ରିୟ ଖଟା କମଳା
ଲୁଣ, ଲଙ୍କା ଠିକରେ ଭରି ଜାଣିବୁତ
ଆ ଜିଭ ଲମ୍ବା
ନଈମାନେ ହୋଇପାରେ
ଅଭିଆଡି ଧୋବଣୀ ଝିଅର ପଖଳା ଦେହ
ଯିଏ ଥରେ ଡୁବ ମାରିଲେ
ଉବୁକି ଆସେ ସେଠୁ କାଉଁରୀ କାଠ।
ପଚାରନା ନଈକୁ
କେଉଁ କଙ୍କଡାର ଗାତରେ
କଳାମୁହଁ ଲୁଚାଏ ସୁରୁଜ
ପଚାରନା ନଈକୁ କେମିତି ପାଲଟେ
ଏଠି ଗୋଟେ ମଲା ପ୍ରେମିକାର
ଦେହ, ପବିତ୍ର ଶଙ୍ଖ
ନଈମାନେ
ଛାତି ଭିତରେ
ଛାତିଏ ପ୍ରେମରସ
ପଚାରନା ନଈକୁ
କେମିତି ଉତୁରେ
ରାତିଅଧରେ ତା ଦେହକୁ
ଗଛ, ନୀଡ, ତୁଠପଥର, ମନ୍ଦିର
-୨-
ନଈରେ ଭାସେ ପିତୃପୁରୁଷଙ୍କ ଅର୍ବୁଦ ଅର୍ବୁଦ ରାଣ, ନିୟମ
ନଈରେ ଭାସନ୍ତି ପେଣ୍ଡା ପେଣ୍ଡା ଇତିହାସ
ନଈରେ ଭାସନ୍ତି ସୁନ୍ଦରୀ ବାଘୁଣୀ ଝାମ୍ପିଆଣିଥିବା ମଣିଷ
ନଈରେ ଭାସନ୍ତି ଜାରଜ ଷ୍ଟାମ୍ପ୍ ପିଟା କଅଁଳ ଗୋଡହାତ
ନଈରେ ଭାସନ୍ତି ରୂପସୀ ରାତିର ପ୍ରେମରେ
ପୁନ୍ଜା ପୁନ୍ଜା ଉପାସିଆ ତରା
ଛେଲିଦିଏ ସମୟ ସେମାନଙ୍କ ଚମ
ନିଆଁଲଗା ମେଘ ଜାଳିଦିଏ ସେମାନଙ୍କ ଡେଣା
ଏ ନଈ ଆଜିକାଲି ହଗେ ମୁତେ, ଉଠେବସେ ରାଜଧାନୀରେ
ଏ ନଈ ପିଠିରେ ଏବେ ଧାଡିବାନ୍ଧି ଛିଡା ସହରଟା ଯାକର ଡ୍ରେନ
ଏ ନଈର ଗର୍ଭ ଚିରା, ଚିରା ତାର ଷଠିଘର,
ଏ ନଈରେ ଭାସନ୍ତି ନାତଖିଆ ଗଣେଶ
ଏ ନଈରେ ଭାସନ୍ତି ଥନହରା ଦୁର୍ଗା, ମୁଣ୍ଡହରା ମହିଷ
-୩-
ଏ ବାଲିଜୁରୀ ବଢିଥିବା
ଚଏତୁକୁ ପଚାରନା ନଈ ମାନେ କ’ଣ
ଚଏତୁର ଏ ନଈକୁ ଖୁବ୍ ଡର
ଫି ବଛର ତା’ର ଗୁପଚୁପ୍ ଠେଲାରେ
ହାମୁଡି ପଡେ ଗୋଟେ ଦି’ଟା ଅଚିହ୍ନା ମଢା
ଉହୁଲି ଯାଏ ତାର ତେତେଲ ହାଣ୍ଡି, ତା’ର ଡଲା
ତଥାପି ଚଏତୁ ଜାବୁଡିଧରେ ନଈକି
ନଈ ମାନେ ହୋଇପାରେ ଚଏତୁର
ବୁଡିଯାଇଥିବା ଭିଟାମାଟିର ଶୁଖିଲା କଙ୍କାଳ ।
……………………..
ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)
Comments are closed.