Latest Odisha News

BREAKING NEWS

ଉତ୍ତରାଖଣ୍ଡ ଜଙ୍ଗଲରେ ଅଗ୍ନିର ତାଣ୍ଡବ, ନିଆଁ ଲିଭାଉଛନ୍ତି ସେନା କର୍ମଚାରୀ

ଡେରାଡୁନ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିଥିବା ବେଳେ ଏହି ନିଆଁ ଏବେ ଭୟଙ୍କର ହେବାରେ ଲାଗିଛି । ଏହି ନିଆଁ ବର୍ତ୍ତମାନ ନୈନିତାଲ ହାଇକୋର୍ଟ କଲୋନି ପର୍ଯ୍ୟନ୍ତ ପହଞ୍ଚିଛି । ସେପଟେ ରୁଦ୍ରପ୍ରୟାଗ ଜିଲ୍ଲାର ଜଙ୍ଗଲରେ ନିଆଁ ଲଗାଇଥିବା ତିନି ଜଣଙ୍କୁ ଗିରଫ କରିଛି ବନବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନର ୩୧ ଟି ଜଙ୍ଗଲ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଏହି ନିଆଁରେ ୩୩.୩୪ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି ।

ସେପଟେ ବଢୁଥିବା ଅଗ୍ନିକାଣ୍ଡକୁ ଦେଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବନ ଅଧିକାରୀମାନଙ୍କୁ ସତର୍କ ରହିବାକୁ ଏବଂ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେବାକୁ କହିଛନ୍ତି । ବନ କର୍ମଚାରୀଙ୍କ ସହିତ ସେନା କର୍ମଚାରୀମାନେ ମଧ୍ୟ ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି । ନିଆଁ ଲିଭାଇବା ପାଇଁ ହେଲିକପ୍ଟରର ସାହାଯ୍ୟ ନେବାକୁ ମଧ୍ୟ ଉଦ୍ୟମ କରାଯାଉଛି । ପାଇନ୍ସ ନିକଟରେ ଅବସ୍ଥିତ ଭାରତୀୟ ସେନାର ସମ୍ବେଦନଶୀଳ ଅଞ୍ଚଳ ପର୍ଯ୍ୟନ୍ତ ନିଆଁ ପହଞ୍ଚିବା ସମ୍ଭାବନାକୁ ଦୃଷ୍ଟିରେ ରଖି ନିଆଁକୁ ଶୀଘ୍ର ଲିଭାଇବା ପାଇଁ ଉଦ୍ୟମ ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ନୈନୀ ହ୍ରଦରେ ଡଙ୍ଗା ଚାଳନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେପଟେ ନିଆଁ ଲିଭାଇବା ପାଇଁ ହେଲିକପ୍ଟରର ସାହାଯ୍ୟ ନେବାକୁ ମଧ୍ୟ ଉଦ୍ୟମ ଚାଲିଛି ।

ଖବର ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କୁମାଓନ୍ ଅଞ୍ଚଳର ୨୬ ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଗଡୱାଲ୍ ଅଞ୍ଚଳରେ ପାଞ୍ଚଟି ସ୍ଥାନରେ ନିଆଁ ଲାଗି ୩୩.୩୪ ହେକ୍ଟର ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଛି । ଏହି ଘଟଣାରେ ୩୯,୪୪୦ ଟଙ୍କା ଆର୍ଥିକ କ୍ଷତି ହୋଇଥିବା ଆକଳନ କରାଯାଇଛି । ଗତ ବର୍ଷ ନଭେମ୍ବର ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫୭୫ ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଯେଉଁଥିରେ ୬୮୯.୮୯ ହେକ୍ଟର ଜଙ୍ଗଲ କ୍ଷେତ୍ର ପ୍ରଭାବିତ ହୋଇଛି ଏବଂ ୧୪,୪୧,୭୭୧ ଟଙ୍କା ଆର୍ଥିକ କ୍ଷତି ହୋଇଛି ।

Leave A Reply

Your email address will not be published.