ଭୁବନେଶ୍ୱର: ଶିଳ୍ପ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଧାତୁ ଓ ଉପାଦାନ ବାହାର କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ‘ନାଲକୋ’। ଆଜି ଭୁବନେଶ୍ୱରସ୍ଥିତ ନାଲକୋ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଠାରେ ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବହୁବିଧ ଉପଯୋଗୀ ‘ଫ୍ଲାଏ ଆସ୍ ପ୍ରକ୍ରିୟାକରଣ ପାଇଲଟ୍ ପ୍ଲାଣ୍ଟ’ର ଉଦ୍ଘାଟନ ହୋଇଯାଇଛି। ନାଲକୋର ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି ନୂତନ ପ୍ଲାଣ୍ଟର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି।
ଖଣି ମନ୍ତ୍ରଣାଳୟର ସହାୟତା ତଥା ସିଏସଆଇଆର-ଆଇଏମଏମଟି ଏବଂ ନାଲକୋର ମିଳିତ ପେଟେଣ୍ଟ ପ୍ରକ୍ରିୟା ଉପରେ ଆଧାରିତ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଦୈନିକ ୫୦ କିଲୋଗ୍ରାମ ଫ୍ଲାଏ ଆସ୍ ପ୍ରକ୍ରିୟାକରଣ କରିବାର କ୍ଷମତା ରଖିଥିବା ଏହି ପ୍ଲାଣ୍ଟ ମାଧ୍ୟମରେ ଆଲୁମିନା, ସେରାମିକ୍ ପାଇଁ କ୍ୟାଲସିୟମ୍ ସିଲିକେଟ୍, କାଚ ପ୍ରସ୍ତୁତି ପାଇଁ କ୍ୱାର୍ଟଜ୍ ଏବଂ ସ୍କାନଡିୟମ୍ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ବିରଳ ମୃତ୍ତିକା ଉପାଦାନ ବାହାର କରାଯାଇପାରିବ। ବିଶେଷ କରି ଇଲେକ୍ଟ୍ରିକ୍ ଗାଡ଼ି, ନବୀକରଣୀୟ ଶକ୍ତି ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତିରେ ଏହି ବିରଳ ଉପାଦାନ ଗୁଡ଼ିକର ବହୁଳ ଚାହିଦା ରହିଛି।
କେବଳ ଫ୍ଲାଏ ଆସ୍ ନୁହେଁ, ଏହି କାର୍ଯ୍ୟକ୍ରମରେ ବକ୍ସାଇଟ୍ ବର୍ଜ୍ୟବସ୍ତୁ ବା ‘ରେଡ ମଡ୍’ର ସଦୁପଯୋଗ ନିମନ୍ତେ ମଧ୍ୟ ଆଉ ଏକ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତାବିତ ପ୍ଲାଣ୍ଟ ଜରିଆରେ ରେଡ ମଡ୍ରୁ ଫେରୋ ଟାଇଟାନିୟମ ଆଲୟ ଓ ମେଟାଲିକ ଆଇରନ ଭଳି ସାମଗ୍ରୀ ପୁନରୁଦ୍ଧାର କରିବା ପାଇଁ ଗବେଷଣା କରାଯିବ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହିତ ଦେଶର ଖଣିଜ ଆମଦାନୀ ଉପରେ ନିର୍ଭରଶୀଳତା କମିବ ।
ଏହି ଅବସରରେ ଉଦବୋଧନ ଦେଇ ସିଏମଡି ଶ୍ରୀ ସିଂହ କହିଛନ୍ତି ଯେ, ଶିଳ୍ପରୁ ବାହାରୁଥିବା ଅବଶିଷ୍ଟାଂଶକୁ ଏକ ମୂଲ୍ୟବାନ ସମ୍ପଦରେ ପରିଣତ କରିବା ପାଇଁ ନାଲକୋ ସର୍ବଦା ପ୍ରତିବଦ୍ଧ। ଏହି ସ୍ୱଦେଶୀ ଜ୍ଞାନକୌଶଳର ସଫଳତା ଆଗାମୀ ଦିନରେ ଦେଶର ଖଣିଜ ସୁରକ୍ଷା ଏବଂ ଚକ୍ରାକାର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ।
ଉଦ୍ଘାଟନୀ ଉତ୍ସବରେ ନାଲକୋର ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଜଗଦୀଶ ଅରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ବାଣିଜ୍ୟିକ) ଅନିଲ କୁମାର ସିଂହଙ୍କ ସମେତ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ଏବଂ କିଟ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

