ଆସିକା: ଗଞ୍ଜାମ ଜିଲ୍ଲା ଆସିକା ରାଜନୀତିରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସହରର ଏକ ପରିଚିତ ଛକର ନାମ ପରିବର୍ତ୍ତନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ବିନା କୌଣସି ଆଲୋଚନାରେ ଆସିକାର ପ୍ରସିଦ୍ଧ ‘କଇଁଫୁଲିଆ ଛକ’ର ନାମ ବଦଳାଇ ସ୍ଥାନୀୟ ବିଧାୟକଙ୍କ ନାମରେ ରଖାଯିବା ଘଟଣାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି।
ସୂଚନା ଅନୁଯାୟୀ, କିଛି ଦିନ ତଳେ କଇଁଫୁଲିଆ ଛକଠାରେ ହଠାତ୍ ସାଇନବୋର୍ଡ ଲଗାଯାଇଥିଲା। ସେଥିରେ ଛକର ନାମ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାମ ଅନୁସାରେ ‘ସରୋଜ ପାଢ଼ୀ ଛକ’ ବୋଲି ଉଲ୍ଲେଖ ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ବିଭିନ୍ନ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଧାୟକଙ୍କ ନାମରେ ଛକର ନାମକରଣ ହେବା ଘଟଣା ଏବେ ସୋସିଆଲ୍ ମିଡିଆରେ ମଧ୍ୟ ଜୋରସୋରରେ ଭାଇରାଲ୍ ହେବାରେ ଲାଗିଛି। ଲୋକେ ମନ୍ତବ୍ୟ ଦେଉଛନ୍ତି ଯେ ନାମଫଳକ ମାରିବା ଅପେକ୍ଷା ଆସିକାର ପ୍ରକୃତ ବିକାଶ ପ୍ରତି ଲୋକପ୍ରତିନିଧିମାନେ ଦୃଷ୍ଟି ଦେବା ଉଚିତ୍। ତେବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ବିଧାୟକ ସରୋଜ ପାଢ଼ୀ କିମ୍ବା ତାଙ୍କ ସମର୍ଥକଙ୍କ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।