Latest Odisha News

BREAKING NEWS

‘ଛତିଶଗଡ଼ ରାଜନୀତି’, ବିଜେପି ଛାଡି ହାତ ଧରିଲେ ନନ୍ଦ

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟକା ଲାଗିଛି। ଛତିଶଗଡ଼ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନନ୍ଦ କୁମାର ସାଏ ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି।

ନନ୍ଦ କୁମାର ବିଜେପିର ପ୍ରମୁଖ ସଂଗଠନ ଦାୟିତ୍ୱ ସହ ବିଜେପିର ଟାଣୁଆ ବିଧାୟକ ରହିଛନ୍ତି। ବିଜେପିର ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାରଙ୍କର ଛତିଶଗଡ଼ ଉତ୍ତର କ୍ଷେତ୍ରରେ ଭଲ ପ୍ରଭାବ ରହିଛି।

ଆଗକୁ ନିର୍ବାଚନ ଥିବାରୁ ରାଜସ୍ଥାନ ଓ ଛତିଶଗଡ଼ ବର୍ତ୍ତମାନ ପ୍ରମୁଖ ରାଜନୈତିକ ଦଳର ନଜରରେ ରହିଛି। ଏପରିକି ଦେଶରେ ଆଦିବାସୀ ସମ୍ପ୍ରଦାୟକୁ ନିଜ ଆଡକୁ ଆକର୍ଷିତ କରିବାକୁ ବିଜେପି ବହୁ ପଦକ୍ଷେପ ନେଉଛି। କିନ୍ତୁ ଜଣେ ଟାଣୁଆ ଆଦିବାସୀ ନେତା ଦଳ ଛାଡିବା ଦଳକୁ ଚିନ୍ତାରେ ପକାଇଥିବା ଆଲୋଚନା ହେଉଛି।

ଏପରିକି ଛତିଶଗଡ଼ରେ ନନ୍ଦ କୁମାର ସାଏଙ୍କୁ ଗୋଟିଏ ସମୟରେ ଦଳର ପୋଷ୍ଟର ବୟ କୁହାଯାଉଥିଲା। ରାଜ୍ୟ ଗଠନ ହେବା ପରେ ସେ ବିରୋଧୀ ଦଳ ନେତା ହେବା ସହ ସେତେବେଳର ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ବାରମ୍ବାର ଘେରି ଅଡୁଆରେ ପକାଇଥିଲେ।

୨୦୦୩ ରେ ବିଧାନସଭା ନିର୍ବାଚନ ବେଳେ ନନ୍ଦ କୁମାର ଯୋଗୀଙ୍କ ବିରୋଧରେ ଲଢ଼ି ହାରିଥିଲେ ମଧ୍ୟ ରାଜ୍ୟରେ ବିଜେପି ସରକାର ଆସିଥିଲା। ସେଥିରେ ନନ୍ଦଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଏ। ଛତିଶଗଡ଼ରେ ରମଣ ସିଂଙ୍କ ସରକାର ଆସିବା ପରେ ନନ୍ଦଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏପରିକି ବିଭିନ୍ନ ସମୟରେ ସେ ଦଳୀୟ ନିଷ୍ପତ୍ତିକୁ ସମାଲୋଚନା କରୁଥିଲେ। ତେଣୁ କଂଗ୍ରେସରେ ନନ୍ଦ କୁମାର ସାମିଲ ହେବା ପରେ ଛତିଶଗଡ଼ରେ ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି।

ଚଳିତ ବର୍ଷ ଶେଷ ଆଡ଼କୁ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବ। ତେଣୁ ଏଭଳି ସମୟରେ ନନ୍ଦଙ୍କ କଂଗ୍ରେସରେ ମିଶିବା ବିଜେପି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ସେପଟେ ଛତିଶଗଡ଼ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଅନ୍ୟତମ ମୁଖ୍ୟମନ୍ତ୍ରୀ ଦାବିଦାର ଟି ଏସ ସିଂଦେଓ ଙ୍କୁ ନେଇ କଂଗ୍ରେସ ମଧ୍ୟ ଅଡୁଆରେ ରହିଛି।

ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ଟିଏସ ସିଂଦେଓ ଗୋଷ୍ଠୀ ମଧ୍ୟରେ ମତଭେଦ ରହିଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଏ ପ୍ରସଙ୍ଗକୁ ନେଇ ଲଢେଇ ହେବା ସହ କଥା ହାଇକମାଣ୍ଡଙ୍କ ପାଖକୁ ଯାଇଥିଲା। ଏବେ ମଧ୍ୟ ଟିଏସ ସିଂଦେଓ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା କୁହାଯାଏ।

ଏଭଳି ସ୍ଥିତିରେ ବିଜେପି ନେତା ନନ୍ଦଙ୍କ କଂଗ୍ରେସରେ ମିଶିବା ପରେ ଟିଏସ ସିଂଦେଓଙ୍କ ଉପରେ ବିଜେପି ନଜର ରଖିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.