Latest Odisha News

BREAKING NEWS

ନୀତିଶଙ୍କ ମିଶନ ୧୨୦ !

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ବିଜେପି ଭର୍ସେସ ବିରୋଧୀଙ୍କ ମଧ୍ୟରେ ହେବ। ସେଥିପାଇଁ ନୀତିଶଙ୍କ ନେତୃତ୍ୱରେ ବିରୋଧୀ ଏକ ହେଉଥିବା କୁହାଯାଉଛି।

ଏଭଳି ସ୍ଥିତିରେ ନୀତିଶଙ୍କ ବଡ଼ ଗେମପ୍ଲାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନରେ ନୀତିଶ ବିହାର ଓ ଉତ୍ତରପ୍ରଦେଶର ୧୨୦ ଲୋକସଭା ଆସନ ଉପରେ ନଜର ରଖିଥିବା କୁହାଯାଉଛି। ସେଥିପାଇଁ ନୀତିଶ ଓ ତେଜସ୍ୱୀ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ନିଜ ସାଙ୍ଗରେ ନେବାକୁ ଉଦ୍ୟମ କରୁଥିବା ଆଲୋଚନା ହେଉଛି।

ନୀତିଶ ଓ ତେଜସ୍ୱୀଙ୍କ ସହ ଅଖିଲେଶ ଆସିଗଲେ ଉଭୟ ରାଜ୍ୟର ପଛୁଆ ବର୍ଗ ଭୋଟକୁ ନିଜ ପକ୍ଷକୁ ଆଣିବା ସହଜ ହେବ ବୋଲି କୁହାଯାଉଛି। ଉଭୟ ରାଜ୍ୟରେ ପଛୁଆ ବର୍ଗଙ୍କ ମଧ୍ୟରେ ସାମାଜିକ ନ୍ୟାୟର ଚେତନା ଜାଗ୍ରତ କରାଗଲେ ଏହି ବର୍ଗର ଭୋଟ ବିଜେପିକୁ ନ ଯାଇ ଅନ୍ୟ ଦଳକୁ ଯିବ। ଯାହା ଫଳରେ ବିରୋଧୀ ଦଳ ଗୁଡିକ ଅଧିକ ସିଟ ଜିତିବାକୁ ସକ୍ଷମ ହେବେ ବୋଲି ଯୋଜନା ରହିଛି।

ଏପରିକି ବିରୋଧୀଙ୍କୁ ଏକାଠି କରିବା ହେଉ କିମ୍ବା ସବୁ ମଞ୍ଚରେ ଏକାଠି ହେବା ସବୁଠି ଉଭୟ ନୀତିଶ ଓ ତେଜସ୍ୱୀଙ୍କୁ ଦେଖିବାକୁ ମିଳୁଛି। ଦେଶର ପଛୁଆ ବର୍ଗଙ୍କୁ ଗୋଟିଏ ମଞ୍ଚକୁ ଆଣିବା ସହ ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ମାତ ଦେବାକୁ ନୀତିଶଙ୍କର ଏହା ବଡ଼ ଯୋଜନା ବୋଲି କୁହାଯାଉଛି।

ସେପଟେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଏହି ଯୋଜନାର ଅଂଶ ବୋଲି କୁହାଯାଉଛି। ବିହାରରେ ନୀତିଶ ଜାତିଭିତ୍ତିକ ଜନଗଣନା କରୁଥିବା ବେଳେ ଅଖିଲେଶ ମଧ୍ୟ ଉତ୍ତରପ୍ରଦେଶରେ ଏହି ଦାବି କରିଛନ୍ତି।

ଉତ୍ତରପ୍ରଦେଶରେ ୫୨ ପ୍ରତିଶତ ପଛୁଆ ବର୍ଗ ଭୋଟ ଉପରେ ଅଖିଲେଶଙ୍କ ନଜର ଥିବା କୁହାଯାଉଛି। ଆଗାମୀ ଦିନରେ ବିଜେପିକୁ କାଉଣ୍ଟର କରିବାକୁ ନୀତିଶ ଏହି ଭିନ୍ନ ରଣନୀତି ଆପଣାଉଥିବା ଆଲୋଚନା ହେଉଛି।

ଆଗକୁ ବିହାରର ପାଟନାରେ ବିରୋଧୀଙ୍କ ମହାବୈଠକ ହେବାର ସୂଚନା ମିଳୁଥିବାରୁ ଏକ ବଡ଼ ରଣନୀତି ନେଇ ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.