Latest Odisha News

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁକୁ ନେଇ ସସପେନ୍ସ, ଶିଷ୍ୟ ଆନନ୍ଦ ଗିରି ଗିରଫ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ । ମହନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ସସପେନ୍ସ ଜାରି ରହିଥିବା ବେଳେ, ତାଙ୍କର ଜଣେ ଅତି ନିକଟତର ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରିଛି ପୋଲିସ । ଆନନ୍ଦ ଗିରିଙ୍କୁ ଉତ୍ତରାଖଣ୍ଡରୁ ପୋଲିସ ଗିରଫ କରିଛି । ଶ୍ରଦ୍ଧାଳୁଙ୍କୁ ଆନନ୍ଦ ଗିରି ଅନେକ ସମୟରେ ହଇରାଣ କରୁଥିବା ସହ ଟଙ୍କା ହେରଫେର କରୁଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିଲା । ଅଭିଯୋଗ ଆସିବା ପରେ ମହନ୍ତଙ୍କ ପାଦ ଧରି କ୍ଷମା ମାଗିଥିଲେ ଆନନ୍ଦ । ଯାହାର ଏକ ଭିଡିଓ ପୋଲିସ ହାତରେ ଲାଗିଛି । ସେହି ଅପମାନର ପ୍ରତିଶୋଧ ପାଇଁ ଆନନ୍ଦ ଗିରି ମହନ୍ତଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାସହ ପଚରାଉଚରା ପାଇଁ ପୋଲିସ ମହନ୍ତଙ୍କର ଆଉ ୨ଶିଷ୍ୟ ସନ୍ଦୀପ ତିୱାରୀ ଏବଂ ଆଦ୍ୟା ତିଓ୍ବାରୀଙ୍କୁ ପଚରାଉଚରା କରୁଛି ।

ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ବୋଲି କହିଥିଲା ପୋଲିସ୍ । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଥିଲା । ହେଲେ ମହନ୍ତଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସୁଇସାଇଡ ନୋଟରେ ମଠର ସମ୍ପତ୍ତିକୁ ନେଇ କେତେକ ତଥ୍ୟ ଉଲ୍ଲେଖ କରିଛନ୍ତି ମହନ୍ତ । ଏଥିରେ ଆନନ୍ଦ ଗିରିଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ଯାହା ଆଧାରରେ ପୋଲିସ ମହନ୍ତଙ୍କର ଅତି ନିକଟତମ ଶିଷ୍ୟଙ୍କୁ ଗିରଫ କରିଛି । ତେବେ ଗୁରୁଙ୍କ ମୃତ୍ୟୁକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଆନନ୍ଦ କହିଛନ୍ତି । ଅନ୍ୟପଟେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ବ୍ଲାକମେଲ କରାଯାଉଥିବାରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

Comments are closed.