Latest Odisha News

ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” 

ଶ୍ରୀମନ୍ଦିରର ଅନ୍ୟତମ ନିର୍ମାତା ଚୋଡ଼ଗଙ୍ଗଦେବଙ୍କ ଶାସନ କାଳ ଦ୍ୱାଦଶ ଶତାବ୍ଦୀରେ ଶ୍ରୀକ୍ଷେତ୍ରକୁ ଆସିଥିଲେ ମହାନ୍ ସନ୍ଥ, ଶ୍ରୀବୈଷ୍ଣବ ଧର୍ମର ଅନ୍ୟତମ ପ୍ରବର୍ତ୍ତକ ତଥା ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀରାମାନୁଜାଚାର୍ଯ୍ୟ ସ୍ୱାମୀ । ଶ୍ରୀକ୍ଷେତ୍ରରେ ରହଣୀ କାଳରେ ସେ ତାଙ୍କର ଅଗାଧ ପାଣ୍ଡିତ୍ୟ ତଥା ବୈଦିକ ଜ୍ଞାନ ଦ୍ୱାରା ଗଜପତିଙ୍କୁ ପ୍ରଭାବିତ କରି ଶ୍ରୀମନ୍ଦିର ପୂଜାବିଧି, ଯାନିଯାତ୍ରାର ପ୍ରଚଳନରେ ବ୍ୟାପକ ସଂସ୍କାର ଆଣିବା ସହିତ ।

କେତେଗୋଟି ନୂତନ ମନ୍ଦିର ଏବଂ ମଠ ନିର୍ମାଣ କରାଇଥିଲେ । ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ପ୍ରଥମେ ରାମାନୁଜକୋଟ ଏବଂ ପରେ ତାଙ୍କର ଜଣେ ଶିଷ୍ୟ ଏମ୍ବାର ସ୍ୱାମୀଙ୍କ ଦ୍ୱାରା ଏମାର ମଠ ପ୍ରତିଷ୍ଠିତ ହୋଇଥିଲା । କୁହାଯାଏ ସେ ଥିଲେ ଜଣେ ଶ୍ରୀ ଉପାସକ, ଶ୍ରୀ ଭାଷ୍ୟର ରଚୟିତା ଏବଂ ଶ୍ରୀକ୍ଷେତ୍ରରେ ଶ୍ରୀ ଉପାସନାର ଆଦି ପ୍ରବର୍ତ୍ତକ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମନ୍ଦିର ପରିସରରେ ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପ ନିର୍ମିିତ ହୋଇଥିଲା ଏବଂ ଶ୍ରୀଜଗନ୍ନାଥଙ୍କ ବହୁ ନୀତିକାନ୍ତି ମହାଲକ୍ଷ୍ମୀଙ୍କ ସହିତ ସଂଯୁକ୍ତ କରାଯାଇଥିଲା ଯାହା ଏ ପର୍ଯ୍ୟନ୍ତ ଚଳିଆସୁଅଛି ।

ଅଣସର ଓ ମହାଅଣସର କାଳରେ ଏହି ମଣ୍ଡପରେ ବିଜେ ଡୋର, ମହାପ୍ରଭୁଙ୍କ ପଇତା ଲାଗି ଡୋର, ବୀରବର ବାନା, ରାହୁ ରେଖା ଓ ଚିତା ଲାଗି ପାଇଁ ଆବଶ୍ୟକୀୟ ଉପକରଣ ପ୍ରସ୍ତୁତ କରାଯାଏ । ଶୀତଳ ଷଷ୍ଠୀ ବେଳେ ଶିବ ପାର୍ବତୀଙ୍କ ବିବାହ ପରେ ପଞ୍ଚମହାଦେବଙ୍କ
ପଞ୍ଚଗ୍ରାସୀ ନୀତି ଦୋଳଗୋବିନ୍ଦଙ୍କ ସହିତ ପାଳନ କରାଯାଏ । ଏଥିରେ ଏଗାର ବାଡ଼ ପନ୍ତି ଲାଗି ହୁଏ । ଜନ୍ମାଷ୍ଟମୀ ପରେ ଏହି ମଣ୍ଡପରେ ଗାଈଦୁହାଁ ନୀତି ସହିତ କୃଷ୍ଣ ବଳରାମଙ୍କୁ କ୍ଷୀର ମଣୋହି ମଧ୍ୟ କରାଯାଏ ।

ଶ୍ରୀମନ୍ଦିରର ବାୟୁକୋଣରେ ଅବସ୍ଥିତ ଲକ୍ଷ୍ମୀ ମନ୍ଦିର ନିଚ୍ଛକ ଓଡ଼ିଶୀ ରେଖ ଦେଉଳ ଶୈଳୀରେ ନିର୍ମିତ ପଞ୍ଚରଥ ବିଶିଷ୍ଟ ମନ୍ଦିର । ସାହାଣ ପଥର ନିର୍ମିତ ମୁଖ୍ୟ ମନ୍ଦିର ତଥା ଜଗମୋହନର ଚତୁଃପାଶ୍ୱର୍ର କାନ୍ଥ ବିଭିନ୍ନ କାରୁକାର୍ଯ୍ୟ ମଣ୍ଡିତ । ସମ୍ମୁଖ ଭାଗରେ ରହିଛି ଏକ ପ୍ରଶସ୍ତ ନାଟ ମଣ୍ଡପ । ଏହାର ଛାତ ଚାରିପାଖକୁ ଚାଳ ଭଳି ଗଡ଼ିରହିଛି । ଏହି ମନ୍ଦିରରେ ପୂଜିତା ଶ୍ରୀମହାଲକ୍ଷ୍ମୀଙ୍କ ବିଗ୍ରହ ସମ୍ମୁଖକୁ ନାଟ ମଣ୍ଡପର ପ୍ରବେଶ ଦ୍ୱାର ଗୋଟିଏ ସରଳ ରେଖାରେ ରହିବା ଦ୍ୱାରା ପାଟ ଅଗଣାରୁ ମଧ୍ୟ ଦେବୀଙ୍କ ଦର୍ଶନ କରିହୁଏ ।

ନାଟମଣ୍ଡପର ଚତୁଃପାଶ୍ୱର୍ରେ କାନ୍ଥ ଓ ଖମ୍ବଗୁଡ଼ିକ ମଧ୍ୟରେ ଆବଶ୍ୟକୀୟ ବ୍ୟବଧାନ ରହିଥିବାରୁ ଉତ୍ତମ ବାୟୁ ସଞ୍ଚାଳନ ସମ୍ଭବ ହୁଏ ।
ଏଣୁ ଭକ୍ତମାନେ ଦର୍ଶନ ସାରି ଆସି କିଛି ସମୟ ଏହିଠାରେ ବସିବା ପାଇଁ ପସନ୍ଦ କରନ୍ତି । ବୋଧହୁଏ ଏହି କାରଣରୁ ଏହି ମଣ୍ଡପକୁ ‘ଅଚିନ୍ତା ମଣ୍ଡପ’ କୁହାଯାଏ । ଏହି ମଣ୍ଡପର ଚଟାଣ ମସୃଣ ମାର୍ବଲ ପଥରରେ ନିର୍ମିତ ଯାହା ଭକ୍ତମାନଙ୍କ ପାଇଁ ଏକ ଆକର୍ଷଣ । ତତ୍‌ସହିତ ନାଟମଣ୍ଡପର ସମସ୍ତ କାନ୍ଥ ଓ ଛାତ ତଳେ କରାଯାଇଥିବା ଆକର୍ଷଣୀୟ ଚିତ୍ରଣ ଭକ୍ତ ମନରେ ଆଧ୍ୟାତ୍ମିକ ଭାବ ଉଦ୍ରେକ କରେ ।

ମଣ୍ଡପର ପୂର୍ବପଟ କାନ୍ଥର ଉତ୍ତର ପଟେ ସୁଦୃଶ୍ୟ ହନୁମାନଙ୍କ ଚିତ୍ର ରହିଅଛି । ଏହାଙ୍କ ବର୍ଣ୍ଣ ପିଙ୍ଗଳ ଚିତ୍ର ଅତ୍ୟନ୍ତ ପ୍ରାଞ୍ଜଳ ଅଟେ । ଏହି ମହାବୀର ଶିରୂଳି ମହାବୀରଙ୍କ ପତିରୂପ ବୋଲି ବିଶ୍ୱାସ କରାଯାଏ । କିମ୍ବଦନ୍ତୀ କହେ, ପୂର୍ବେ ଏହି ମଣ୍ଡପରେ ହନୁମାନଙ୍କ ମୂର୍ତ୍ତି ରହିଥିଲା ଯାହାଙ୍କୁ କୌଣସି କାରଣରୁ ଶ୍ରୀ ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶକ୍ରମେ ଅଢ଼େଇ ପାହୁଣ୍ଡ ଘୁଞ୍ଚାଇ ଦିଆଯାଇଛି ଏବଂ ସେହି ସ୍ଥାନରେ କେବଳ ଚିତ୍ର ଶୋଭା ପାଉଛି ।

ପୂର୍ବପଟ କାନ୍ଥର ଦକ୍ଷିଣ ପାଶ୍ୱର୍ରେ ବିରଳ ବାଇଶି ଭୂଜ ବିଶିଷ୍ଟ ନୃସିଂହଙ୍କ ଚିତ୍ରଣ ରହିଛି ଯାହା ପ୍ରାୟତଃ ଆଉ କେଉଁଠାରେ ଦେଖାଯାଏ
ନାହିଁ । ଦକ୍ଷିଣ ପାଶ୍ୱର୍ କାନ୍ଥରେ ବହୁ ସର୍ପଫେଣା ବେଷ୍ଟିତ ଚତୁର୍ଭୁଜ ବିଶିଷ୍ଟ ଚିନ୍ତାମଣି କୃଷ୍ଣଙ୍କ ଦୁଇ ପାଶ୍ୱର୍ରେ ହାତରେ ପଦ୍ମ ଧାରଣ କରି ଦୁଇଜଣ ସଖୀ ରହିଛନ୍ତି । ଏବଂ ଉତ୍ତର ପାଶ୍ୱର୍ କାନ୍ଥରେ ରକ୍ତବର୍ଣ୍ଣର ପଞ୍ଚମୁଖି ଗଣେଶଙ୍କ ଚିତ୍ର ରହିଅଛି । ତାହା ସହିତ ପଶ୍ଚିମ ପାଶ୍ୱର୍ର ଉତ୍ତର ପାଖ କାନ୍ଥରେ ଅନନ୍ତ ଶ୍ରୀ ବିଭୂଷିତ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କର ଏକ ବିଶାଳ ପ୍ରତିକୃତି ଏହି ଚିତ୍ରଣର ଅନ୍ତର୍ଭୁକ୍ତ । ସ୍ୱାମୀଙ୍କ ଏକ ହାତରେ ତ୍ରିଦଣ୍ଡ ଓ ପତକା ରହିଅଛି । ଏହି ପ୍ରତିକୃତିରେ ଉପରି ଭାଗ ସହସ୍ର ସର୍ପଫଣା ଶୋଭିତ । ମଧ୍ୟଭାଗରେ ଥିବା ପ୍ରବେଶ ପଥର ଉପରି ଭାଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରୂପ ଅଙ୍କିତ ।

ପଶ୍ଚିମପାଶ୍ୱର୍ କାନ୍ଥର ଦକ୍ଷିଣ ଭାଗରେ ଚିତାକର୍ଷକ ଶ୍ରୀ ହୟଗ୍ରୀବଙ୍କ ଏକ ରୂପରେ, କୋଳରେ ଲକ୍ଷ୍ମୀଙ୍କୁ ଧାରଣ କରିଛନ୍ତି । ପଶ୍ଚିମପାଶ୍ୱର୍ ପ୍ରବେଶ ପଥର ଦକ୍ଷିଣରେ ନାରାୟଣଙ୍କ ରୂପ ରହିଥିଲା ବେଳେ ଅପରପାଶ୍ୱର୍ରେ ଜଣେ ସ୍ୱାମୀଙ୍କର ନୀଳ ବର୍ଣ୍ଣର ରୂପ ଚିତ୍ରିତ ହୋଇଅଛି ।
ଏହା ବ୍ୟତୀତ ଆହୁରି ଅନେକ ସ୍ଥାନରେ ବିଭିନ୍ନ ଚିତ୍ରଣ ଯଥା ମଝିରେ ରାମାନନ୍ଦୀ ଚିତା ଥାଇ ଦୁଇ ପାଶ୍ୱର୍ରେ ଶଙ୍ଖ ଚକ୍ର ସହିତ ଗରୁଡ଼ ଓ ଧନୁତୀର ସହିତ ହନୁମାନଙ୍କ ଚିତ୍ର ରହିଅଛି । ଏହା ବ୍ୟତୀତ ଶ୍ରୀକୃଷ୍ଣ, କୃଷ୍ଣକାଳୀ, ଗଜଉଦ୍ଧାରଣ, ଲକ୍ଷ୍ମୀ ନାରାୟଣଙ୍କ ପଶାଖେଳ, ରାମସୀତାଙ୍କ ବିବାହ ତଥା ସ୍ୱୟଂମ୍ବର ଇତ୍ୟାଦି ବିଷୟ ଅପେକ୍ଷାକୃତ କ୍ଷୁଦ୍ରାକାରରେ ଚିତ୍ରିତ ହୋଇଅଛି ।

ମଣ୍ଡପରେ ବିସ୍ତୃତ ଚିତ୍ରଣ ବ୍ୟତୀତ ଏହି ମଣ୍ଡପରେ ଶ୍ରୀ ନୃସିଂହ ଓ ଶ୍ରୀ ନାରାୟଣଙ୍କ କଳାମୁଗୁନି ପଥର ନିର୍ମିତ ମୂର୍ତ୍ତି ମଧ୍ୟ ଶୋଭା ପାଉଅଛି । ସମ୍ପୂର୍ଣ୍ଣ  ଓଡ଼ିଶୀ ପଟ୍ଟଚିତ୍ର ଶୈଳୀରେ ଚିତ୍ରିତ ଏହି ରୂପଗୁଡ଼ିକ ସହିତ ଛାତ ତଳକୁ ଶ୍ରୀରାମାନୁଜ ସମ୍ପ୍ରଦାୟର ସ୍ୱାମୀମାନଙ୍କର ଅପେକ୍ଷାକୃତ
କ୍ଷୁଦ୍ର ରୂପ ଓ ନାମ ଏବଂ ନିମ୍ନରେ ସ୍ୱାମୀଙ୍କ ଦ୍ୱାରା ପ୍ରଣୀତ ଉପନିଷଦର ଶ୍ଳୋକ କେତୋଟି ଗୋଟିଏ ଧାଡ଼ିରେ ଉଲ୍ଲେଖ ହୋଇଛି ।

ଏହିସବୁ ବିସ୍ତୃତ ଚିତ୍ରଣ ଶ୍ରୀ ସମ୍ପ୍ରଦାୟର ଅନୁଗାମୀମାନଙ୍କ ଉଦ୍ୟମରେ କରାଯାଇଥିବାର ଜଣାଯାଏ । ସ୍ୱାମୀସମୁହଙ୍କ ରୂପ ଚିତ୍ରଣର ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ନାଟମଣ୍ଡପରେ ଚିତ୍ରିତ ଶ୍ରୀରାମାନୁଜ ସମ୍ପ୍ରଦାୟର ସ୍ୱାମୀମାନଙ୍କ ନାମ

୧. ଶ୍ରୀ ଅନୁଦାସ ସ୍ୱାମୀ
୨. ଶ୍ରୀ ଗୋବିନ୍ଦାଚାର୍ଯ୍ୟ
ସ୍ୱାମୀ
୩. ଶ୍ରୀ ଦାସରଥୀ ସ୍ୱାମୀ
୪. ଶ୍ରୀ କୁରେଶ (ଦାଢ)
ସ୍ୱାମୀ
୫. ଶ୍ରୀ ଆନ୍ଦ୍ରପୂର୍ଣ୍ଣ ସ୍ୱାମୀ
୬. ଶ୍ରୀ ଭଟ୍ଟନାଥ ଜିୟର
ସ୍ୱାମୀ
୭. ଶ୍ରୀ ଦେବରାଜ ସ୍ୱାମୀ
୮. ଶ୍ରୀ ପ୍ରତିବାଦି
ଭୟଙ୍କର ସ୍ୱାମୀ
୯. ଶ୍ରୀ ଭେଙ୍କଟେଶ ଜିୟର ସ୍ୱାମୀ
୧୦. ଶ୍ରୀ ଅନ୍ନନ ସ୍ୱାମୀ
୧୧. ଶ୍ରୀ ତୋତାଦ୍ରି ସ୍ୱାମୀ
୧୨.ଶ୍ରୀ ପ୍ରାଣ ଦାର୍ତ୍ତିହରାଚାର୍ଯ୍ୟ ସ୍ୱାମୀ
୧୩. ଶ୍ରୀ ରଙ୍ଗନାଥ ସ୍ୱାମୀ
୧୪, ଶ୍ରୀ ମନବଳ ମାମୁନୀ ସ୍ୱାମୀ
୧୫. ଶ୍ରୀ ଗୋଷ୍ଟିପୂର୍ଣ୍ଣ ସ୍ୱାମୀ
୧୬. ଶ୍ରୀ ସମ୍ପଦକୁମାର ସ୍ୱାମୀ
୧୭. ଶ୍ରୀ ପରକାଳ ସ୍ୱାମୀ
୧୮. ଶ୍ରୀ ଭୂତଯୋଗୀ ସ୍ୱାମୀ
୧୯. ଶ୍ରୀ ସୁରଯୋଗୀ ସ୍ୱାମୀ
୨୦. ଶ୍ରୀ ମହଦ୍‌ଯୋଗୀ ସ୍ୱାମୀ                                                                                                      ୨୧. ଶ୍ରୀ ମଧୁର କବି ସ୍ୱାମୀ
୨୨. ଶ୍ରୀ ଭକ୍ତିସାର ସ୍ୱାମୀ
୨୩. ଶ୍ରୀ ଶଠକୋପ ସ୍ୱାମୀ
୨୪. ଶ୍ରୀ କୂଳଶେଖର ସ୍ୱାମୀ
୨୫. ଶ୍ରୀ ଯୋଗୀବାହନ ସ୍ୱାମୀ
୨୬. ଶ୍ରୀ ଭକ୍ତିଘ୍ରିରେଣୁ ସ୍ୱାମୀ
୨୭. ଶ୍ରୀ ଗୋଦାମା ସ୍ୱାମୀ
୨୮. ଶ୍ରୀ ନାଥମୁନୀ ସ୍ୱାମୀ
୨୯. ଶ୍ରୀ ବରବର ମୁନି ସ୍ୱାମୀ
୩୦. ଶ୍ରୀ ଯାମୁନାଚାର୍ଯ୍ୟ ସ୍ୱାମୀ
୩୧. ଶ୍ରୀ ମହାପୂର୍ଣ୍ଣ ସ୍ୱାମୀ

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ- ୯୪୩୭୧୬୬୩୬୯

Comments are closed.