ନୂଆଦିଲ୍ଲୀ:କେନ୍ଦ୍ର ସରକାର ଜୁଲାଇ ୧ ତାରିଖରୁ ଖୁଚୁରା ଦୋକାନରୁ ପେଟ୍ରୋଲ ଏବଂ ଡିଜେଲ କିଣିବା ପାଇଁ ବାଣିଜ୍ୟିକ କ୍ରେତାଙ୍କ ଉପରେ ସମସ୍ତ କଟକଣାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିଜେଲ କିଣିବା କଟକଣା ପ୍ରତ୍ୟାହାର କଲା ପେଟ୍ରୋଲିୟମ ମନ୍ତ୍ରାଳୟ। ୧ ଜୁଲାଇ ସୁଦ୍ଧା ପ୍ରତ୍ୟାହାର ହେବ କଟକଣା। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହେବା ମଧ୍ୟରେ ଏହି କଟକଣାଗୁଡ଼ିକ ଚଳିତ ମାସ ଆରମ୍ଭରେ ଲାଗୁ କରାଯାଇଥିଲା। ସୋମବାର ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ ଜରୁରୀକାଳୀନ ପଦକ୍ଷେପ ଭାବରେ ଲାଗୁ ହୋଇଥିବା ଏହି କଟକଣାଗୁଡ଼ିକ ଜୁଲାଇ ୧ ତାରିଖରୁ ଶେଷ ହେବ।
ଏହି କଟକଣାଗୁଡ଼ିକ ଜୁନ୍ ୧୨ ତାରିଖରେ ଲାଗୁ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ଥିଲା କି, ଫ୍ୟାକ୍ଟ୍ରି ଏବଂ ବଡ଼ ବଡ଼ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପରୁ ତେଲ କିଣିପାରିବେ ନାହିଁ ଏବଂ ଜଣେ ଗ୍ରାହକଙ୍କୁ ଗୋଟିଏ ଦିନରେ ୨୦୦ ଲିଟରରୁ ଅଧିକ ଡିଜେଲ ଦିଆଯିବ ନାହିଁ। ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ମୁତାବକ, ଶିଳ୍ପଭିତ୍ତିକ, ବ୍ୟବସାୟିକ (କମର୍ସିଆଲ) ଏବଂ ସାଂସ୍ଥାନିକ ଗ୍ରାହକମାନେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ କିଣିପାରୁ ନଥିଲେ। ସେମାନଙ୍କୁ ନିଜ ଆବଶ୍ୟକତାର ଇନ୍ଧନ କେବଳ ନିଜ କଞ୍ଜୁମର ପମ୍ପରୁ ହିଁ ନେବାକୁ ପଡୁଥିଲା, ଅର୍ଥାତ୍ ବଡ଼ କ୍ରେତାମାନଙ୍କ ପାଇଁ ପେଟ୍ରୋଲ ପମ୍ପର ରାସ୍ତା ବନ୍ଦ ଥିଲା।
ସରକାର ଏହି ପ୍ରତିବନ୍ଧକ ଲଗାଇଥିଲେ। ମନ୍ତ୍ରଣାଳୟ “ମୋଟର ସ୍ପିରିଟ୍ ଏବଂ ହାଇ ସ୍ପିଡ୍ ଡିଜେଲ୍ ଅର୍ଡର, ୨୦୨୬” ଜାରି କରିଥିଲା, ଯେଉଁଥିରେ ତୈଳ ବିପଣନ କମ୍ପାନୀ ଏବଂ ଇନ୍ଧନ ଖୁଚୁରା ବ୍ୟବସାୟୀମାନଙ୍କୁ ୯୦ ଦିନ ପାଇଁ ଖୁଚୁରା ଦୋକାନରୁ ବଲ୍କ କ୍ରୟ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବଶ୍ୟକ ପଡ଼ିଲେ ସରକାର ଏହାକୁ ଆଗକୁ ବଢ଼ାଇ ପାରିବେ। ଏହା ସହିତ ସରକାର ଚାହିଁଲେ କୌଣସି ଗ୍ରାହକ, ଅଞ୍ଚଳ କିମ୍ବା କାରବାରକୁ ଏହି ନିୟମରୁ ରିହାତି ମଧ୍ୟ ଦେଇପାରିବେ। ବର୍ତ୍ତମାନ ଏହି ସବୁ କଟକଣା ପ୍ରତ୍ୟାହାର କଲା ପେଟ୍ରୋଲିୟମ ମନ୍ତ୍ରାଳୟ।
Comments are closed.