Latest Odisha News

BREAKING NEWS

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରାଙ୍କିଂ ଜାରି; ଜାଣନ୍ତୁ କାହାକୁ ମିଳିଛି କେଉଁ ସ୍ଥାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ରାଙ୍କିଂ ପ୍ରକାଶ ପାଇଛି । ୨୦୨୫ ବର୍ଷର ପ୍ରଥମ ଛଅ ମାସ ପାଇଁ ଏହା ପ୍ରକାଶ ପାଇଛି । ହେନଲି ଗ୍ଲୋବାଲ ପ୍ରତିବର୍ଷ ଏହି ତାଲିକା ପ୍ରକାଶ କରେ । ରାଙ୍କିଂ ଏହି ଆଧାରରେ ପ୍ରସ୍ତୁତ କରେ ଯେ, ଜଣେ ପାସପୋର୍ଟଧାରୀ ବ୍ୟକ୍ତି ବିନା ଭିସାରେ କେତେ ଦେଶ ଭ୍ରମଣ କରିପାରିବେ ।

ଏହି ରାଙ୍କିଂ ଅନୁସାରେ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ହେଉଛି ସିଙ୍ଗାପୁରର । ଏହି ତାଲିକାରେ ସିଙ୍ଗାପୁର ପ୍ରଥମ ସ୍ଥାନ ପାଇଛି । ସିଙ୍ଗାପୁର ପାସପୋର୍ଟଧାରୀ ଲୋକମାନେ ଭିସା ବିନା ବିଶ୍ୱର ୧୯୫ଟି ଦେଶକୁ ଯାତ୍ରା କରିପାରିବେ । ଯଦି ୨୦୨୩ କୁ ବାଦ୍ ଦିଆଯାଏ, ତେବେ ୨୦୨୧ ରୁ ଏପର୍ଯ୍ୟନ୍ତ ସିଙ୍ଗାପୁର ଏହି ତାଲିକାର ଶୀର୍ଷରେ ରହିଛି । ତଥାପି, ଗତ ବର୍ଷ ୨୦୨୪ ରେ, ଏହା ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ସ୍ପେନ୍ ସହିତ ମିଳିତ ଭାବରେ ପ୍ରଥମ ସ୍ଥାନ ପାଇଥିଲା ।

ଏହାପରେ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଜାପାନ ରହିଛି । ଜାପାନୀ ପାସପୋର୍ଟ ରଖିଥିବା ଲୋକମାନେ ୧୯୩ଟି ଦେଶକୁ ଭିସାମୁକ୍ତ ଯାତ୍ରା କରିପାରିବେ ।

୨୦୨୪ମସିହାରେ, ଜାପାନ ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଦେଶ ସହିତ ପ୍ରଥମ ସ୍ଥାନରେ ଥିଲାଲ । ୨୦୨୩ ମସିହାରେ, ଏହା ସିଙ୍ଗାପୁରକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୨୨, ୨୦୨୧ରେ ଏହା ସିଙ୍ଗାପୁର ସହିତ ୧ ନମ୍ବରରେ ରହିଥିଲା ।

ଜାପାନ ପରେ ତୃତୀୟ ସ୍ଥାନରେ ଅଛନ୍ତି ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ ଏବଂ ଫିନଲ୍ୟାଣ୍ଡ ଭଳି ଦେଶ ଗୁଡିକ । ଏହି ଦେଶଗୁଡ଼ିକର ପାସପୋର୍ଟ ଯେଉଁ ବ୍ୟକ୍ତିଙ୍କ ପାଖରେ ଥିବ ସେ ୧୯୨ଟି ଦେଶରେ ଭିସାମୁକ୍ତ ପ୍ରବେଶ କରିପାରିବେ ।

ବିଶ୍ୱର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସ୍ଥାନରେ ଅଷ୍ଟ୍ରିଆ, ଆୟରଲ୍ୟାଣ୍ଡ, ଡେନମାର୍କ, ଲକ୍ସେମବର୍ଗ, ନରୱେ, ସ୍ବିଡେନ ଏବଂ ନେଦରଲ୍ୟାଣ୍ଡ ରହିଛନ୍ତି । ସେମାନେ ୧୯୧ଟି ଦେଶକୁ ଭିସା ମୁକ୍ତ ପ୍ରବେଶ ପ୍ରଦାନ କରିପାରିବେ । ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ବିଜରଲ୍ୟାଣ୍ଡ, ବ୍ରିଟେନ ଏବଂ ବେଲଜିୟମ ପଞ୍ଚମ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସହିତ ୧୯୦ଟି ଦେଶରେ ଭିସା ମୁକ୍ତ ପ୍ରବେଶ କରିପାରିବେ ।

ଏଥର ଭାରତର ରାଙ୍କିଂ ମଧ୍ୟ ୫ ସ୍ଥାନ ତଳକୁ ଖସିଯାଇଛି । ଏହି ତାଲିକାରେ ଭାରତକୁ ୮୫ତମ ସ୍ଥାନ ମିଳିଛି । ଯେତବେଳେ ଗତ ବର୍ଷ ଦେଶ ୮୦ତମ ସ୍ଥାନରେ ଥିଲା । ଭାରତର ସ୍ଥାନ ୨୦୨୩ ରେ ୮୪, ୨୦୨୨ ରେ ୮୩, ୨୦୨୧ ରେ ୯୦, ୨୦୨୦ ରେ ୮୨ ଏବଂ ୨୦୧୯ ରେ ମଧ୍ୟ ୮୨ ଥିଲା ।

ସେହିପରି, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଥିବା ଦେଶ ତାଲିକାରେ, ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଛି । ପାକିସ୍ତାନ ୩୩ଟି ଦେଶକୁ ମାଗଣା ଭିସା ପ୍ରବେଶ ସହିତ ୧୦୩ତମ ସ୍ଥାନରେ ଅଛି ।

ଆଫ୍ରିକୀୟ ଦେଶ ସୋମାଲିଆ, ପାଲେଷ୍ଟାଇନ, ନେପାଳ ଏବଂ ବାଂଲାଦେଶ ପାକିସ୍ତାନ ଅପେକ୍ଷା ଉପରକୁ ଅଛନ୍ତି । ସୋମାଲିଆର ପାସପୋର୍ଟ ୧୦୨ ନମ୍ବରରେ ଅଛି।

Leave A Reply

Your email address will not be published.