ଭୁବନେଶ୍ବର: ଆଜି ଭାରତ ବନ୍ଦ । ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବାଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସମେତ ବିଭିନ୍ନ କ୍ଷେତ୍ରରେ ୨୫ କୋଟିରୁ ଅଧିକ ଶ୍ରମିକ ଏହି ଧର୍ମଘଟକୁ ସମର୍ଥନ କରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ।
ଧର୍ମଘଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇପାରେ ଖଣି ଓ କାରଖାନା । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ଆଉଟ୍ସୋର୍ସିଂକୁ ବିରୋଧ କରାଯାଉଛି । ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ ଓ ଅଧିକ ନିଯୁକ୍ତି ସୃଷ୍ଟି ରହିଛି ଆଜି ଏହି ବନ୍ଦର ମୁଖ୍ୟ ଦାବି ।
ଏହି ବନ୍ଦରେ ବ୍ୟାପକ ଭାବେ ପ୍ରଭାବିତ ହେବ ଜୀବନଯାତ୍ରା । କଲବଲ ହେବେ ସାଧାରଣ ଜନତା । ତେବେ ଏହି ବନ୍ଦ ସମୟରେ ସ୍କୁଲ, କଲେଜ, ସରକାରୀ ଅଫିସ୍ ବସ୍, ରେଳ ସେବା, ବିମାନ ସେବା, ବଜାର ମେଡିକାଲ ପରି ଜରୁରୀ ସେବା ଖୋଲା ରହିପାରେ ।
ୟୁନିଅନ ସଂଘ କହିଛି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ର ଏହି ଧର୍ମଘଟକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ସଂଗଠନ ଦାବି କରିଛି । କେବଳ ଶ୍ରମିକ ଓ କର୍ମଚାରୀ ନୁହଁନ୍ତି ଏହି ଷ୍ଟ୍ରାଇକରେ କୃଷକ ମଧ୍ୟ ସାମିଲ ହେବେ ।
ଏହା ପୂର୍ବରୁ ଶ୍ରମିକ ସଂଗଠନ ୨୦୨୦ ନଭେମ୍ବର ୨୬ରେ, ୨୦୨୨, ୨୮-୨୯ ମାର୍ଚ୍ଚ ଏବଂ ଗତବର୍ଷ ଫେବୃଆରୀ ୧୬ରେ ଏହିପରି ଦେଶବ୍ୟାପୀ ଧର୍ମଘଟ କରିଥିଲେ ।
Comments are closed.