ମମତାଙ୍କ ମଞ୍ଚରେ ଫାଟ: ଯୋଗ ଦେଲେନି ନବୀନ
ଦିଲ୍ଲୀ : ମମତା ବାନାର୍ଜୀଙ୍କୁ ଲାଗିଛି ଝଟକା । ତୃଣମୂଳ ନେତ୍ରୀଙ୍କ ସବୁ ଯୋଜନା ପାଣି ଫୋଟକା ପରି ମିଳେଇ ଯାଇଛି । ଯୁଦ୍ଧ କରିବା ପୂର୍ବରୁ ସେନାପତିମାନେ ମମତାଙ୍କ ଯୁଦ୍ଧକୁ ପସନ୍ଦ କରିନାହାଁନ୍ତି । ମମତାଙ୍କ ବୈଠକକୁ ସାରା ଦେଶ ଅନାଇ ରହିଥିବା ବେଳେ ତାହା ଫୁସ ହୋଇଯାଇଛି । ବିଜେପି ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପାନେ ଦେବା ପାଇଁ ଡାକିଥିବା ବୈଠକକୁ ନବୀନ ପଟ୍ଟନାୟକ ନା ଯାଇଛନ୍ତି ନା କାହାକୁ ପଠାଇଛନ୍ତି ।
ଖାଲି ନବୀନ ପଟ୍ଟନାୟକ ନୁହଁନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ମଧ୍ୟ ଯୋଗଦେଇନାହାଁନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ ନବୀନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଯାଉଛନ୍ତି । ତେବେ କଥା ହେଉଛି ନବୀନ ଗଲେ ନାହିଁ କାହିଁକି? ସମର୍ଥନ ଦେବା ନଦେବା ଦୂରର କଥା । ମମତାଙ୍କ ସହ ନବୀନଙ୍କର ଭାଇ ଭଉଣୀ ସଂପର୍କ ବୋଲି ମିଡିଆରେ ଚର୍ଚା ହେଉଥିବା ବେଳେ ନବୀନ ତାଙ୍କ ବୈଠକକୁ ନଯିବା କିମ୍ବା କାହାକୁ ନପଠାଇବାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚା ଜୋର ଧରିଛି । ଆଜିର ବୈଠକରେ ଯୋଗ ନଦେଇ ନବୀନ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ବିରୋଧୀଙ୍କ ମେଳରେ ନାହାଁନ୍ତି ।
ଏଠି ପ୍ରଶ୍ନ ଉଠୁଛି ନବୀନ ଏବଂ ଜଗନମୋହନ , ଶିରୋମଣୀ ଅକାଳି ଦଳ ଏପରିକି ଅରବିନ୍ଦ କେଜରିଓ୍ବାଲ ମମତାଙ୍କ ବୈଠକକୁ ଗଲେ ନାହିଁ କାହିଁକି? ଉତ୍ତର ଅତି ଶହଜ । ଦେଶର ରାଜନୀତି ର ପାଣିପାଗ ଯାହା କହୁଛି ବର୍ତ୍ତମାନ ଜନସାଧାରଣ ମୋଦିଙ୍କୁ ହିଁ ଚାହୁଁଛନ୍ତି । ତାଙ୍କ ଶାସନକୁ ନେଇ ମଧ୍ୟ ଖୁସି ଅଛନ୍ତି । ମୋଦି ଯାହା ବି ନିଷ୍ପତ୍ତି ନେଲେ ଏପରିକି ଦରଦାମ ବୃଦ୍ଧି ହେଲେ ବି ଜନସାଧାରଣ ମୋଦିଙ୍କୁ ଶାସନରୁ ହଟାଇବାକୁ ଚାହୁଁନାହାଁନ୍ତି । ଏପରିକି ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସବୁ ରାଜ୍ୟଠାରୁ ଅଧିକ ରହିଛି । ଏହି ସବୁ କାରଣରୁ ନବୀନ ଚାହୁଁନାହାଁନ୍ତି ଜନସାଧାରଣଙ୍କ ମନରେ ବିରକ୍ତି ସୃଷ୍ଟି କରିବା ପାଇଁ । ସେପଟେ ମୋଦିଙ୍କୁ ମଧ୍ୟ ବିରକ୍ତ କରିବାକୁ ଚାହୁଁନାହାଁନ୍ତି ନବୀନ । କାରଣ ରାଜ୍ୟର ଆର୍ଥିକ ସ୍ଥିତି ଯାହା କେନ୍ଦ୍ରକୁ ଖୁସି କଲେ ରାଜ୍ୟ ପାଇଁ ବିଭିନ୍ନ ଯୋଜନା ଚଳାଇବାକୁ ଅର୍ଥ ଆଣି ହେବନାହିଁ । ମୋଦିଙ୍କୁ ଅସନ୍ତୁଷ୍ଟ କରି କେନ୍ଦ୍ରରୁ ଟଙ୍କା ଆଣିବା ମୁସ୍କିଲ ହେବ । ଏସବୁ କୁ ଦେଖି ନବୀନ ମୋଦିଙ୍କ ସହ ସତୃତା କରିବାକୁ ଚାହୁଁନାହାଁନ୍ତି । ତୃତୀୟ କାରଣ ହେଲା ବିରୋଧୀଙ୍କ ନିକଟରେ ସଂଖ୍ୟା ନାହିଁ ଜିତିବା ପାଇଁ । ତେଣୁ ବୈଠକକୁ ଯାଇ କିଛି ଲାଭ ନାହିଁ । ତେଣୁ ନବୀନ ବୈଠକକୁ ନଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ସବୁଠୁ ବଡ଼ କଥା ହେଉଛି ଆଜିର ବୈଠକରେ କିଛି ଦଳ ଯୋଗଦେବାକୁ ସିଧା ମନା ବି କରିଦେଇଛନ୍ତି । ତେଣୁ ମମତାଙ୍କ ପ୍ଲାନ ମୂଳରୁ ବିଗିଡି ଯାଇଛି । ଯାହାକି ବିରୋଧୀଙ୍କ ଅସନ୍ତୋଷର ପ୍ରତୀକ ପାଲଟିଥିବା ଚର୍ଚା ହେଉଛି । ଏହି ବୈଠକରେ ରାହୁଲଙ୍କ ପାଇଁ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ପ୍ରଥମରୁ ସାମିଲ ହେବାକୁ ମନା କରିଥିଲା । ସେହିପରି ଆମ୍ ଆଦମୀ ପାର୍ଟି ମଧ୍ୟ ଏବେ ମୋଦିଙ୍କ କୋପ ଦୃଷ୍ଟିରେ ଥିବାରୁ ବିରୋଧୀ ମେଳିରେ ସାମିଲ ହୋଇ କିଛି ଲାଭ ମିଳିବାର ଆଶା ନଥିବାରୁ ମିଟିଂରେ ଯୋଗ ଦେଇନଥିଲା । ଏହା ସହ ଓ୍ବାଇଏସଆର କଂଗ୍ରେସର କୈାଣସି ନେତାଙ୍କୁ ଜଗନମୋହନ ପଠାଇନଥିବା ବେଳେ ଶିରୋମଣି ଅକାଳି ଦଳ ମଧ୍ୟ ମିଟିଂକୁ ଯାଇନଥିଲେ ।
ମମତା କିନ୍ତୁ ପୂର୍ବରୁ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଯୋଗଦେବେ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଘୋଷଣା କରିବେ ଏହି ସଂଭାବନା ସୃଷ୍ଟି କରିଥିଲେ । ଟିଏମସି ସୁପ୍ରିମୋ 22 ଜଣ ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖିଥିଲେ । କିନ୍ତୁ 17ଟି ଦଳ ଏହି ବୈଠକରେ ଯୋଗଦେଇଥିଲେ ।
Delhi | Leaders of 17 parties- TMC, Congress, CPI, CPI(M), CPIML, RSP, Shiv Sena, NCP, RJD, SP, National Conference, PDP, JD(S), DMK, RLD, IUML and JMM – are participating in the Opposition leaders' meeting called by Mamata Banerjee ahead of Presidential election. pic.twitter.com/gSuvbE5ukz
— ANI (@ANI) June 15, 2022
ତେବେ AIMIM ଏବଂ BSP ସମେତ କିଛି ଦଳକୁ ମମତା ମଧ୍ୟ ଡାକିନଥିଲେ । ଏପରିକି ମମତା ଡାକିଥିଲେ ବି କଂଗ୍ରେସ ପାଇଁ ସେ ବୈଠକରେ ଯୋଗ ଦେଇ ନଥାନ୍ତେ ବୋଲି ଏଆଇଏମ୍ଆଇଏମ୍ ମୁଖ୍ୟ ଓ୍ବବେସି କହିଥିଲେ।
ତେବେ ମମତାଙ୍କ ମେଳିରେ ଯେଉଁ 17 ଟି ଦଳର ନେତା- ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରେ ଟିଏମସି, କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି, ଆଇୟୁଏମଏଲ ଏବଂ ଜେଏମଏମ ଏଥିରେ ଅଂଶଗ୍ରହଣ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରଣବ ମୁଖାର୍ଜୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ତାଙ୍କ ବିପକ୍ଷରେ ବିରୋଧୀ ଦଳମାନେ ପି.ଏ.ସାଙ୍ଗମାଙ୍କୁ ମିଳିତ ପ୍ରାର୍ଥୀ କରିଥିଲେ । ସାଙ୍ଗମାଙ୍କ ପାଇଁ ନବୀନ ହିଁ ନେତୃତ୍ୱ ନେଇଥିଲେ । ଆଉ ବିଜେପି ସେତେବେଳେ ନବୀନଙ୍କୁ ହିଁ ସମର୍ଥନ କରିଥିଲା । ସେହିପରି ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ସମର୍ଥିତ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବା ପାଇଁ ମୋଦି ଫୋନ କରିଥିଲେ ନବୀନଙ୍କୁ । ଆଉ ନବୀନ ମଧ୍ୟ ସମ୍ମତି ପ୍ରଦାନ କରିଥିଲେ । ଏଥର ମଧ୍ୟ କୁହାଯାଉଛି ମୋଦି ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କ ସହ ପୂର୍ବରୁ କଥା ହୋଇଛନ୍ତି । ମାସେ ପୂର୍ବରୁ ଦିଲ୍ଲୀ ଯାଇଥିବା ନବୀନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଆଲୋଚନା କରିଥିଲେ। ଏକଥାକୁ ନବୀନ ଏଡାଇ ଯାଇଥିଲେ ମଧ୍ୟ ମୋଦି , ଶାହ ଯେ ଏହି କଥା ହୋଇନଥିବେ ସେ କଥା ବିଶ୍ବାସ କରିହେଉନାହିଁ ।
ସବୁଠୁ ବଡ଼ କଥା ହେଲା ମମତାଙ୍କ ବୈଠକ ପରେ ଆଜି ରାଜନାଥ ସିଂହ ଫୋନ କରି ନବୀନଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କଥା ହୋଇଛନ୍ତି । ଅବଶ୍ୟ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଥର ରାଷ୍ଟ୍ରପତି ପଦ ପାଇଁ କିଏ ପ୍ରାର୍ଥୀ ହେବେ, କିଛି ଜଣାପଡ଼ିନାହିଁ । ତେବେ ମୋଦିଙ୍କ ପରି ନବୀନଙ୍କ ଆଭିମୁଖ୍ୟକୁ ପଢ଼ିବା କେବେ ସହଜ ହୁଏନାହିଁ । ଦୃଢ଼ ନିଷ୍ପତ୍ତି ନେବାରେ ଦୁଇ ନେତା ମାହିର । ଦେଖାଯାଉ ଏନଡିଏ କାହାକୁ ପ୍ରାର୍ଥୀ କରୁଛି ଏବଂ ନବୀନ କି ନିଷ୍ପତ୍ତି ନେଉଛନ୍ତି ।
Comments are closed.