Latest Odisha News

ଗଣେଶ ପୂଜା ମଣ୍ଡପରେ ଭାଇଭଉଣୀ ଦ୍ରୌପଦୀ-ନବୀନ ସଂପର୍କର ଝଲକ

ବ୍ରହ୍ମପୁର: ଅଗ୍ର ପୂଜ୍ୟ ଗଜାନନଙ୍କ ଆରାଧନା ପାଇଁ ବ୍ରହ୍ମପୁର ସହର ଉତ୍ସବମୂଖର ହୋଇପଡ଼ିଛି । ସହରର ବିଭିନ୍ନ ସ୍ଥାନରେ ମଣ୍ଡପରେ ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ଚଳିତ ବର୍ଷ ଆକର୍ଷଣ ସାଜିଛି ସହରର ଅଶୋକନଗର ଠାରେ ନିର୍ମିତ ମେଢ଼।

ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୋରଣ ଲଗାଯାଇଛି । ନବୀନଙ୍କୁ ଦ୍ରୌପଦୀ ରାକ୍ଷୀ ବାନ୍ଧିବା ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପଦବୀ ଅକ୍ତିଆର ପର୍ଯ୍ୟନ୍ତ, ଘଟଣାବଳୀକୁ ପ୍ରଦର୍ଶନ କରାଯାଇଛି।

ଏହାକୁ ଦେଖିବା ପାଇଁ ସହରବାସୀଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖିବାକୁ ମିଳୁଛି । ପ୍ରତ୍ୟେକ ସନ୍ଧ୍ୟାରେ ଶହଶହ ଶ୍ରଦ୍ଧାଳୁ ଗଣପତିଙ୍କ ଦର୍ଶନ ସହିତ ମଣ୍ଡପ ବୁଲି ଦେଖୁଛନ୍ତି। ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଏହି ପୂଜା ଆୟୋଜନ କରାଯାଉଛି ।

ବ୍ରହ୍ମପୁର ମହାନଗର ନିଗମର ୩୨ ନମ୍ବର ୱାର୍ଡ କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା କହିଛନ୍ତି ଯେ, ଅଶୋକ ନଗର ଯୁବକ ସଂଘ ନୂତନ ଚିନ୍ତାଧାରାକୁ ନେଇ ସବୁବେଳେ କିଛି ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଥାଏ ।

ଚଳିତ ବର୍ଷ ରାଷ୍ଟ୍ରପତି ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ସଂପର୍କକୁ ଦର୍ଶାଯାଇଛି । ଓଡ଼ିଶା ହେଉଛି ସଂସ୍କୃତି, ବିକାଶ ଓ ଭାଇଚାରାର ମାଟି। ଦିନ ଥିଲା ନବୀନଙ୍କୁ ଦ୍ରୌପଦୀ ରାକ୍ଷୀ ବାନ୍ଧୁଥିଲେ ।

ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ଭଉଣୀଙ୍କ ପ୍ରତି ଭାଇ ସାହାଯ୍ୟର ହାତ ବଢ଼ାଇଥିଲେ। ତାହାର ଝଲକ ମଣ୍ଡପରେ ଦେଖିବାକୁ ମିଳୁଛି । ଏହି ଭାଇଚାରା, ବନ୍ଧୁତ୍ବ ସର୍ବଦା ବଜାୟ ରହୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସଂଘର ସଭାପତି ଏ. ସନ୍ତୋଷ ପାତ୍ର କହିଛନ୍ତି ଯେ, ଦୀର୍ଘ ଦୁଇ ବର୍ଷ ହେଲା କୋଭିଡ କଟକଣା ପାଇଁ ପୂଜା ଆୟୋଜନ ବନ୍ଦ ଥିଲା । ଚଳିତ ବର୍ଷ ୯ ଫୁଟ ୯ ଇଞ୍ଚର ମୂର୍ତ୍ତି ପ୍ରସ୍ତୁତ କରାଯାଇଛି । ଭାଇ ଭଉଣୀଙ୍କ ସଂପର୍କକୁ ଉପସ୍ଥାପନ ପାଇଁ ଚଳିତ ବର୍ଷ ଉଦ୍ୟମ ହୋଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଥିବା ଭାଇ ଭଉଣୀ ସଂପର୍କକୁ ଆଜି ସାରା ଦେଶ ଦେଖିଛି । ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷ ହେଲା ସେବା କରୁଥିବା ବେଳେ ବର୍ତ୍ତମାନ ରାଷ୍ଟ୍ରପତି ମୁର୍ମୁ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

Comments are closed.