Latest Odisha News

BREAKING NEWS

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ କମିଟି ଗଠିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କମିଟି ଗଠନ ସମ୍ପର୍କିତ ଏକ ଗେଜେଟ ବିଜ୍ଞପ୍ତି ଶନିବାର ଜାରି କରାଯାଇଛି।

୨୦୨୧ ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଯାଉଥିବା ଏକବର୍ଷ ବ୍ୟାପୀ ଉକ୍ତ ସ୍ମାରକୀ କାର‌୍ୟ୍ୟକ୍ରମ ବାବଦରେ ଏହି ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବ । ବିଶିଷ୍ଟ ନାଗରିକ, ଐତିହାସିକ, ଲେଖକ, ବିଶେଷଜ୍ଞ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ଏବଂ ଆଜାଦ ହିନ୍ଦ ଫୌଜ (ଆଇଏନଏ) ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି କମିଟିର ସଦସ୍ୟ ରହିଛନ୍ତି ।

ଆହୁରି ମଧ୍ୟ କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂ ତୋମାର, ସ୍ମୃତି ଇରାନୀ, ପ୍ରକାଶ ଜାଭଡେକର, ଜିତେନ୍ଦ୍ର ସିଂ ଏବଂ ପ୍ରହ୍ଲାଦ ସିଂ ପଟେଲ ପ୍ରମୁଖ ରହିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ଏବଂ ମନମୋହନ ସିଂ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ ସାମିଲ।

ଏହି କମିଟି ଦିଲ୍ଲୀ, କୋଲକାତା ଓ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ଅନ୍ୟ ସ୍ଥାନଗୁଡ଼ିକରେ, ଉଭୟ ଭାରତ ଏବଂ ବିଦେଶରେ ସ୍ମରଣୀୟ କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶନ କରିବ।

Leave A Reply

Your email address will not be published.