Latest Odisha News

BREAKING NEWS

ପୋପଙ୍କୁ ଭେଟିବାରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ନବୀନ, ବଢ଼ିବ ରାଜନୈତିକ ପତିଆରା

ଭୁବନେଶ୍ୱର: ସ୍ୱପ୍ନ ଦେଖିଲେ ମମତା, ପୂରଣ କରିବେ ନବୀନ । ଭାରତର କୌଣସି ରାଜ୍ୟର ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ପୋପ ଫ୍ରାନସିସ୍କୋଙ୍କୁ ଭେଟିବାକୁ ଯାଉଛନ୍ତି ନବୀନ। ଯାହାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଇଚ୍ଛା ଥିଲା। ଏବେ ନବୀନ ପୋପଙ୍କୁ ଭେଟିବା ଏକ ପ୍ରକାର ଥୟ ହୋଇଛି। ଇଟାଲୀର ରୋମରେ ରହୁଥିବା ଏହି ଧର୍ମଗୁରୁଙ୍କର ରହିଛି ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଭାବ। ଯାହାଙ୍କୁ ଭେଟିବା ପାଇଁ ପ୍ରାୟତଃ ଦେଶର ମୁଖିଆ ଭେଟିବାକୁ ଚାହାନ୍ତି। ଆଉ ଏହି ପ୍ରଭାବଶାଳୀ ଧର୍ମଗୁରୁଙ୍କୁ ଭେଟିବାରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ।

ପୋପଙ୍କ ସହ ନବୀନଙ୍କ ଏହି ପ୍ରସ୍ତାବିତ ଭେଟଘାଟ ଭାବମୂର୍ତ୍ତିକୁ କିଛି ମାତ୍ରାରେ ଉପରକୁ ନେବାର ପ୍ରୟାସ ବୋଲି କୁହାଯାଇପାରେ। ଏଭଳି ହାଇପ୍ରୋଫାଇଲ୍ ବୈଠକରେ ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି କୁହାଯାଉଛି। ନବୀନ ଦେଶର ୨୫ ବର୍ଷ ହେବ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ରହିଛନ୍ତି । ଏହି ଅବସରରେ ପୋପଙ୍କୁ ଭେଟି ନବୀନ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ଭାବମୂର୍ତିକୁ ବଢାଇବାକୁ ପ୍ରୟାସ କରୁଛନ୍ତି ବୋଲି କୁହାଯାଉଛି।

ନବୀନଙ୍କ ଏହି ଗସ୍ତ ନିଜର ଭାବମୂର୍ତୀକୁ ଯେତିକି ନ ବଢାଇବ ତାଠୁ ଅଧିକ ଈର୍ଷାନ୍ୱିତ କରିପାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ। କାରଣ ରାଷ୍ଟ୍ରପତି ନିର୍ବାଚନ ବେଳେ ସମସ୍ତଙ୍କ ନଜର ନବୀନଙ୍କ ଉପରେ ରହିଛି। ଇତି ମଧ୍ୟରେ ନବୀନ ନିକଟରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହାପରେ ପରେ ଟିଏମସି ସୁପ୍ରିମୋ ମୋଦୀ ତଥା ଏନଡିଏ ବିରୋଧୀ ଦଳ ଏବଂ ନେତାଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଯେଉଁଥିରେ ମମତା ନବୀନଙ୍କୁ ଡାକିଥିଲେ। ହେଲେ ଏଭଳି ବୈଠକରେ ଯୋଗ ଦେବା ତରବରିଆ ନିଷ୍ପତ୍ତି ବୋଲି କହିଥିଲା ବିଜେଡି।ଏପରି କହି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସହ ନବୀନ ଅଛନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କରିସାରିଛନ୍ତି।

ଗତବର୍ଷ ଇଟାଲୀରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀ । ଆଉ ଏଥିରେ ସାମିଲ ହେବାକୁ ମମତାଙ୍କୁ ଜୁଲାଇରୁ ସ୍ୱତନ୍ତ୍ର ଆମନ୍ତ୍ରଣ କରିଥିଲା ଇଟାଲୀ ସରକାର। ଏହି ସମ୍ମିଳନୀରେ ମମତା ପୋପଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମମତା ଏପରି ମ଼ଞ୍ଚରେ ଭାରତର ଛବିକୁ ବଦନାମ କରିପାରନ୍ତି ଆଶଙ୍କା କରି କେନ୍ଦ୍ର ମମତାଙ୍କୁ ଇଟାଲି ଗସ୍ତ ପାଇଁ ଅନୁମତି ଦେଇନଥିଲା। ଯହାକି ମମତାଙ୍କୁ ସ୍ୱପ୍ନକୁ ଧୂଳିସାତ କରିଥିଲା। କାରଣ ପୋପଙ୍କ ସହ ମଞ୍ଚରେ ଉପସ୍ଥିତ ରହି ମମତା ନିଜର ପତିଆରା ବୃଦ୍ଧି କରିବାକୁ ଇଚ୍ଛା ରଖିଥିଲେ। ହେଲେ ବାରମ୍ବାର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖିବା ଭଳି ମନ୍ତବ୍ୟ ପାଇଁ ହୁଏତ ମମତାଙ୍କ ପୋପ ଭେଟଘାଟ ସ୍ୱପ୍ନ ଅଧୁରା କରିଛି।

ତେବେ ଭାରତର ଯେଉଁସବୁ ପ୍ରଧାନମନ୍ତ୍ରୀ ପୋପଙ୍କୁ ଭେଟିବାର ସୌଭାଗ୍ୟ ପାଇଛନ୍ତି ସେମାନଙ୍କ ମଧ୍ୟରେ ମୋଦୀ, ବାଜପେୟୀ, ଆଇ କେ ଗୁଜରାଲ, ବାଜପେୟୀ ଏବଂ ଜବାହର ଲାଲ ନେହରୁ ରହିଛନ୍ତି। ଏବେ ଏହି ତାଲିକାରେ ନବୀନ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି।

Leave A Reply

Your email address will not be published.