Latest Odisha News

BREAKING NEWS

ଉଜୁଡ଼ା ଫସଲ ଦେଖିଲେ ନବୀନ; ତୁରନ୍ତ କ୍ଷତିପୂରଣ ପାଇଁ କଲେ ଦାବି

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହ କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟର ଭରସାଗାଁ ଆଦି ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଛନ୍ତି ଶ୍ରୀ ପଟ୍ଟନାୟକ ।

ଏହି ସମୟରେ ହଜାର ହଜାର ଚାଷୀ ମହିଳା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନରେ ଆସିନାହାନ୍ତି । ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ନଷ୍ଟ ହୋଇନଥାନ୍ତା ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ।

ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳଙ୍କ ଆଗରେ ଅଭିଯୋଗ କରିଥିଲେ ।

ଶ୍ରୀ ପଟ୍ଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ । ମୁଁ ଆପଣଙ୍କ ଚାଷ କ୍ଷୟକ୍ଷତି ଦେଖିଲି, ଦୁଃଖ ଲାଗିଲା ସରକାର ଯଥାଶୀଘ୍ର କ୍ଷତିପୂରଣ ଦେବା ଉଚିତ୍ । ଚାଷ କ୍ଷତି ହେଲେ ତୁରନ୍ତ ସହାୟତା ଦେଉଥିଲା ମୋ ସରକାର । ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚିଯାଇଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

 

Comments are closed.