Latest Odisha News

BREAKING NEWS

‘ଷଷ୍ଠଥର ପାଇଁ ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହେବେ, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି’

ଭୁବନେଶ୍ୱର: ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ଅବସରରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଛନ୍ତି ।

ଏହି ପ୍ରରିପେକ୍ଷୀରେ ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ‘କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ୧୦ ବର୍ଷ ମଧ୍ୟରେ ସାମାନ୍ୟ ଜାତୀୟ ରାଜପଥକୁ ଠିକ୍ କରିପାରିଲେ ନାହିଁ, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ? ମୋତେ ଚାମଚା, ଗୁମାସ୍ତା ବୋଲି କହୁଛନ୍ତି । ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ’ ।

ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତିଯେ, ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି ।

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ ।

ନିର୍ବାଚନ ଆସିଲା, ତେଣୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କଲେଣି । ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି । ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ । ପୂର୍ବ ନିର୍ବାଚନରେ ଦରଦାମ୍‍ କମିବ ବୋଲି ସେମାନେ କହିଥିଲେ । ଏଲ୍‍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍‍ କମିଲା କି ? ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି । ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି ।

ସେ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହୀରାକୁଦ ବିସ୍ଥାପିତମାନଙ୍କର ୫୦-୬୦ ବର୍ଷର ସମସ୍ୟା ଦୂର କରିଛନ୍ତି । ବ୍ରଜରାଜନଗରର ୧୮ଟି ଗାଁର ୨୧୦୦ ବିସ୍ଥାପିତଙ୍କୁ ପଟ୍ଟା ଦିଆଯାଇଛି । ବ୍ରଜରାଜନଗର ମାଆ ରାମଚଣ୍ଡୀ ମନ୍ଦିର ପାଇଁ ୪.୫୦ କୋଟି, କୋଇଲି ଘୁଗର ଇକୋ ଟୁରିଜିମ୍‍ ପାଇଁ ୩ କୋଟି, ଲଖନପୁର ଆଇଟି ଆଇ ପାଇଁ ୩୦ କୋଟି, ବ୍ରଜରାଜନଗରରେ ଅଡିଟୋରିଅମ ପାଇଁ ୧୦ କୋଟି, ଲଖନପୁରର ୧୬ ଟି ପଞ୍ଚାୟତରେ ପାଇପ ପାଣି ପାଇଁ ୧୨୪ କୋଟି, ହାଇସ୍କୁଲ ଓ କଲେଜ ରୁପାନ୍ତର ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି । କାଳିଆ ଯୋଜନାରେ ଏହି ନିର୍ବାଚନ ମଣ୍ଡଳୀର ୩୦ ହଜାର ୬୦୦ ଚାଷୀ ଉପକାର ପାଉଛନ୍ତି । BSKYରେ ୬୦,୫୦୦ ଲୋକ ଉପକାର ପାଉଛନ୍ତି ।

ଝାରସୁଗୁଡ଼ାରେ ସ୍ୱର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପାଣିଆନ କହିଛନ୍ତି ଯେ, ଜିଲ୍ଲାର ବିକାଶରେ ସ୍ୱର୍ଗତଃ ନବ ବାବୁଙ୍କର ବହୁତ ଅବଦାନ ରହିଛି । ତାଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ାରେ କ୍ୟାନସର ହସ୍ପିଟାଲ, ହାର୍ଟ କେୟାର ହସ୍ପିଟାଲ ହୋଇଛି । ଦୀପାଳି ଆପଣମାନଙ୍କ ଝିଅ, ନବ ବାବୁଙ୍କର ଝାରସୁଗୁଡ଼ା ପାଇଁ ଯେଉଁ ସ୍ୱପ୍ନ ଥିଲା ତାକୁ ସାକାର କରିବେ ଦୀପାଳି । ମୁଖ୍ୟମନ୍ତ୍ରୀ ଏସ୍‍.ଏଚ୍‍.ଜି ପାଇଁ ପେନସନ୍ ଓ ଗରିବ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଘୋଷଣା କରିଛନ୍ତି ।

Leave A Reply

Your email address will not be published.